ମୁମ୍ବାଇ: ଦରଦାମ୍ ସ୍ଥିତି ନିୟନ୍ତ୍ରଣ ରହିବା ଭଳି ଅନୁକୂଳ ସ୍ଥିତି ସତ୍ତ୍ବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୃଷ୍ଟି କରିଥିବା ଶୁଳ୍କ ଅନିଶ୍ଚିତତାକୁ ନଜରରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି ରେପୋ ହାରକୁ ୫.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି। ତେଣୁ ସୁଧ କମ୍ ହେଲେ ମାସିକ ଋଣ କିସ୍ତି ବା ଇଏମ୍ଆଇ କମିବ ବୋଲି ଯେଉଁମାନେ ଆଶା ରଖିଥିଲେ, ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି। ଗତ ଜୁନ୍ରେ ରିଜର୍ଭ ବ୍ୟାଙ୍କ ରେପୋ ହାରରେ ୦.୫୦ ପ୍ରତିଶତ ହ୍ରାସ କରିଥିଲା।
ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ଯେ କମିଟିର ସମସ୍ତ ୬ ସଦସ୍ୟ ସୁଧ ଅପରିବର୍ତ୍ତିତ ରଖିବା ସପକ୍ଷରେ ମତ ଦେଇଥିଲେ। ମୌସୁମୀ ବର୍ଷା ସ୍ବାଭାବିକ ଥିବା ବେଳେ ଆଗକୁ ପୂଜା ଋତୁ ଆସୁଥିବାରୁ କାରବାର ଲାଗି ଦେଶରେ ବହୁତ ଭଲ ପରିବେଶ ରହିଛି। ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କ ଅନୁକୂଳ ନୀତି ପ୍ରଭାବରେ ଭାରତୀୟ ଅର୍ଥନୀତିର ଭବିଷ୍ୟତ ଭଲ ଥିବା ସଙ୍କେତ ମିଳୁଛି। ବିଶ୍ବସ୍ତରରେ ବାଣିଜ୍ୟ ଶୁଳ୍କକୁ ନେଇ କିଛିଟା ଆହ୍ବାନ ଥିବା ସହ ରୂ-ରାଜନୈତିକ ଅନିଶ୍ଚିତତା କିଛିଟା କମ୍ ହେବା ଭଲ ସଙ୍କେତ ବୋଲି ସେ କହିଛନ୍ତି। ୨୦୨୫-୨୬ ଆର୍ଥିକ ବର୍ଷରେ ଅଭିବୃଦ୍ଧି ୬.୫ ପ୍ରତିଶତ ରହିବ ବୋଲି ରିଜର୍ଭ ବ୍ୟାଙ୍କ ଆକଳନ କରିଛି। ତେବେ ଖୁଚୁରା ମୁଦ୍ରାସ୍ଫୀତି କିଛି ସମୟ ପାଇଁ ନିର୍ଧାରିତ ସୀମା ୪ ପ୍ରତିଶତଠାରୁ ଉପରକୁ ଯାଇପାରେ ବୋଲି ଆକଳନ କରାଯାଇଛି।
ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଭାରତ ଉପରେ ୨୫ ପ୍ରତିଶତ ପାଲଟା ଶୁଳ୍କ ଲଗାଇଥିବା ବେଳେ ରୁଷ୍ଠାରୁ ତେଲ କିଣୁଥିବାରୁ ଅତିରିକ୍ତ ୫୦% ଶୁଳ୍କ ଲଗାଇଛନ୍ତି। ଏଥି ସହିତ ସେ ବାରମ୍ବାର ଭାରତକୁ ଶୁଳ୍କ ବଢ଼ାଇବା ଲାଗି ଧମକ ଦେଉଛନ୍ତି। ଭାରତକୁ ଚାପରେ ରଖି ବାଣିଜ୍ୟ ରାଜିନାମା ହାସଲ କରିବା ଲାଗି ତାଙ୍କ ଉଦ୍ୟମ ଆଗରେ କିନ୍ତୁ ସରକାର ମୁଣ୍ଡ ନୁଆଁଇନାହାନ୍ତି। ଏଭଳି ଅନିଶ୍ଚିତତାର ସମୟରେ ରିଜର୍ଭ ବ୍ୟାଙ୍କ ସୁଧକୁ ନେଇ ସ୍ଥିତିବସ୍ଥା ବଜାୟ ରଖିବାକୁ ଉଚିତ୍ ମଣିଛି।