ମୁମ୍ବାଇ: ଡୋନାଲ୍ଡ ଟ୍ରମ୍ପ ବିଶ୍ବର ବିଭିନ୍ନ ଦେଶ ଉପରେ ପାଲଟା ଆମଦାନୀ ଶୁଳ୍କ ଲାଗୁ କରିବା ପରେ ଆମେରିକା ଏବଂ ବିଶ୍ବ ଅର୍ଥନୀତିକୁ ମାନ୍ଦାବସ୍ଥା ଭୟ ଘାରିଛି। ଆଉ ଏହାର ଜୋରଦାର୍ ପ୍ରଭାବ ଭାରତୀୟ ଷ୍ଟକ୍ ବଜାର ଉପରେ ପଡ଼ିଛି। ଦିନକରେ ସେନସେକ୍ସ ୨୨୨୭ ପଏଣ୍ଟ (୨.୯୫ ପ୍ରତିଶତ) ଖସି ୭୩,୧୩୭ ପଏଣ୍ଟରେ ବନ୍ଦ ହୋଇଥିବାବେଳେ ନିଫ୍ଟି ୭୪୨ ପଏଣ୍ଟ (୩.୨୪ ପ୍ରତିଶତ) ହ୍ରାସ ପାଇ ୨୨,୧୬୧ ପଏଣ୍ଟରେ ବନ୍ଦ ହୋଇଛି। ପ୍ରାୟ ସବୁ କ୍ଷେତ୍ରର କମ୍ପାନି ସେୟାର ମୂଲ୍ୟ ହ୍ରାସ ପାଇଛି। ଏଥିଯୋଗୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ବଜାରପୁଞ୍ଜି ଗୋଟିଏ ଦିନରେ ୧୪ ଲକ୍ଷ ଟଙ୍କା ଧୋଇଯାଇ ୩୮୯ ଲକ୍ଷ କୋଟି ଟଙ୍କାରେ ରହିଛି।
୨୨୨୭ ପଏଣ୍ଟ୍ ଖସିଗଲା ସେନସେକ୍ସ
ନିଫ୍ଟି ୭୪୨ ପଏଣ୍ଟ୍
କେବଳ ଭାରତ ନୁହେଁ ଆମେରିକାଠାରୁ ଆରମ୍ଭ କରି ବିଶ୍ବର ଅନ୍ୟାନ୍ୟ ଷ୍ଟକ ମାର୍କେଟ ଉପରେ ମଧ୍ୟ ଟ୍ରମ୍ପଙ୍କ ଆମଦାନୀ ଶୁଳ୍କବୃଦ୍ଧିର ପ୍ରଭାବ ପରିଲକ୍ଷିତ ହୋଇଛି। ଟ୍ରମ୍ପ ଯେଉଁ ମାତ୍ରାରେ ଶୁଳ୍କ ଲାଗୁ କରିଛନ୍ତି ତାହା ନିବେଶକମାନଙ୍କୁ ଚକିତ କରିଛି। ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ମୁଖ୍ୟ ଜିରୋମି ପାୱେଲ କହିଛନ୍ତି ଯେ ଆଶାଠାରୁ ଅଧିକ ଶୁଳ୍କ ଲାଗୁ କରାଯାଇଛି। ଏହା ଆମେରିକାର ମୁଦ୍ରାସ୍ଫୀତି ଓ ଅର୍ଥନୈତିକ ବିକାଶକୁ ପ୍ରଭାବିତ କରିବ ବୋଲି ସେ ସତର୍କ କରାଇ ଦେଇଛନ୍ତି। ଜାପାନର ନିକେଇ ୭.୭ ପ୍ରତିଶତ, ଦକ୍ଷିଣ କୋରିଆର କୋସ୍ପି ୫.୬ ପ୍ରତିଶତ, ଚୀନର ସାଂଘାଇ କମ୍ପୋଜାଇଟ୍ ୭.୩ ପ୍ରତିଶତ ଏବଂ ହଂକଂର ହ୍ୟାଙ୍ଗସେଙ୍ଗ ସୂଚୀ ୧୩ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ଆମେରିକାର ନାସ୍ଡାକ୍ ଫ୍ୟୁଚର୍ସ ୩.୫ ପ୍ରତିଶତ, ଏସ୍ ଆଣ୍ଡ୍ ପି ୫୦୦ ଫ୍ୟୁଚର୍ସ ୩.୧ ପ୍ରତିଶତ କମିଛି। ସେହିଭଳି ୟୁରୋପରେ ପାନ୍-ୟୁରୋପିଆନ୍ ଷ୍ଟକ୍ସ-୬୦୦ ୫.୮ ପ୍ରତିଶତ ହ୍ରାସ ପାଇଛି।
କେବଳ ସେତିକି ନୁହେଁ, ଚାହିଦା ଓ ଅର୍ଥନୀତି ମନ୍ଥର ଆଶଙ୍କାରେ ବ୍ରେଣ୍ଟ୍ କ୍ରୁଡ୍ ଦର ୬.୫ ପ୍ରତିଶତ, ୱେଷ୍ଟ ଟେକ୍ସାସ ଇଣ୍ଟରମିଡିଏଟ ଦର ୭.୪ ପ୍ରତିଶତ, ସୁନା ୨.୪ ପ୍ରତିଶତ, ରୁପା ୭.୩ ପ୍ରତିଶତ କମିଛି। ସେହିଭଳି ତମ୍ବା ଦର ୬.୫ ପ୍ରତିଶତ, ସିସା ଦର ୨ ପ୍ରତିଶତ, ଆଲୁମିନିୟମ ଦର ୩.୨ ପ୍ରତିଶତ କମିଛି। ନିବେଶକମାନେ ଇକ୍ବିଟି ବଜାର ଛାଡ଼ି ନିରାପଦ ନିବେଶ ସୁଯୋଗ ଖୋଜିବାରେ ଲାଗିଛନ୍ତି।