ନ୍ୟୁୟର୍କ: ଭାରତ ସମେତ ବିଶ୍ବର ବିଭିନ୍ନ ଦେଶ ଉପରେ ପାଲଟା ଶୁଳ୍କ ଲଗାଇଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକାର ଏକ କୋର୍ଟ ଶକ୍ତ ଝଟ୍‌କା ଦେଇଛନ୍ତି। ‌‌ସେହି ଶୁଳ୍କକୁ କୋର୍ଟ ଅସାମ୍ବିଧାନିକ ବୋଲି କହିବା ସହ ତାହା ଉପରେ ରୋକ ଲଗାଇଛନ୍ତି। କୋର୍ଟ କହିଛନ୍ତି ଯେ ରାଷ୍ଟ୍ରପତି ନିଜ ଶକ୍ତିର ଦୁରୁପଯୋଗ କରୁଛନ୍ତି। ସମ୍ବିଧାନର ସୀମା ବାହାରକୁ ଯାଇ ଶୁଳ୍କ ଲଗାଇବାକୁ ଉଦ୍ୟମ କରିଛନ୍ତି। ମନହଟନ୍‌ର ‘ଫେଡେରାଲ୍ କୋର୍ଟ ଅଫ୍‌ ଇଣ୍ଟରନ୍ୟାସନାଲ୍ ଟ୍ରେଡ୍‌’ ଟ୍ରମ୍ପଙ୍କ ଏହି ପଦକ୍ଷେପକୁ ବେଆଇନ ଦର୍ଶାଇଛନ୍ତି। ତିନି ଜଣିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଅନ୍ତର୍ଜାତୀୟ ଜରୁରୀକାଳୀନ ଅର୍ଥନୈତିକ ଶକ୍ତି ନିୟମ (ଆଇଇଇପିଏ)କୁ ଟ୍ରମ୍ପ ଅପବ୍ୟବହାର କରିଛନ୍ତି। ଏହି ନିୟମ ଜରୁରୀକାଳୀନ ସ୍ଥିତିରେ ରାଷ୍ଟ୍ରପତିଙ୍କୁ କିଛି ସ୍ବତନ୍ତ୍ର କ୍ଷମତା ଦେଇଥାଏ। କିନ୍ତୁ କୌଣସି‌ ‌ଠୋସ୍ ଆଧାର ବିନା ଟ୍ରମ୍ପ ଏହି ନିୟମକୁ ବ୍ୟବହାର କରିଥିବା କୋର୍ଟ କହିଛନ୍ତି।

Advertisment

ରାଷ୍ଟ୍ରପତି ସୀମା ବାହାରକୁ ଯାଉଛନ୍ତି: କୋର୍ଟ
ଅର୍ଥନୀତି ନାଁରେ ଯାହା ତାହା କରିପାରିବେନି
ଶୁଳ୍କ ବେଆଇନ, ଅସାମ୍ବିଧାନିକ

କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ସେ ନିଜ କ୍ଷମତାର ସୀମା ବାହାରକୁ ଯାଇ ବାଣିଜ୍ୟ ସହଯୋଗୀମାନଙ୍କ ଉପରେ ବଡ଼ ଧରଣର ଟିକସ ଲଗାଇଛନ୍ତି। ଆମେରିକା ସମ୍ବିଧାନ ସଂସଦକୁ ବିଭିନ୍ନ ଦେଶ ସହିତ କେବଳ ବ୍ୟବସାୟକୁ ନିୟନ୍ତ୍ରଣ କରିବାର ବିଶେଷ ଅଧିକାର ପ୍ରଦାନ କରିଛି। ଏହାର ଅର୍ଥ ନୁହେଁ ଯେ ରାଷ୍ଟ୍ରପତି ଅର୍ଥନୀତି ନାଁରେ ନିଜ ଜରୁରୀକାଳୀନ ଶକ୍ତିକୁ ବ୍ୟବହାର କରି ଯାହାତାହା ପଦକ୍ଷେପ ନେବେ। ଟ୍ରମ୍ପ ଲଗାଇଥିବା ପାଲଟା ଶୁଳ୍କକୁ ବି‌ରୋଧ କରି କୋର୍ଟରେ ଦୁଇଟି ମାମଲା ରୁଜୁ କରାଯାଇଥିଲା। ଗୋଟିଏ ମାମଲାକୁ ଏହି ନିଷ୍ପତ୍ତି ଦ୍ବାରା ପ୍ରଭାବିତ ହୋଇଥିବା ୫ କ୍ଷୁଦ୍ର ଆମେରିକୀୟ ବ୍ୟବସାୟୀ ରୁଜୁ କରିଥିଲେ। ଅନ୍ୟ ମାମଲାକୁ ୧୨ ଆମେରିକୀୟ ଆମଦାନିକାରୀ ଦାୟର କରିଥିଲେ। ସେହି ଦୁଇ ଆବେଦନ ଆଧାରରେ କୋର୍ଟ ଟ୍ରମ୍ପଙ୍କ ଶୁଳ୍କ ଉପରେ ରୋକ ଲଗାଇଛନ୍ତି। ଆବେଦନକାରୀଙ୍କ ଯୁକ୍ତିକୁ ଗ୍ରହଣ କରି କୋର୍ଟ କହିଛନ୍ତି ଯେ ଏତେ ଅଧିକ ଶୁଳ୍କ ଲଗାଇବାର ସାମ୍ବିଧାନିକ ଅଧିକାର ରାଷ୍ଟ୍ରପତିଙ୍କ ପାଖରେ ନାହିଁ। 

ତେ‌ବେ କୋର୍ଟଙ୍କ ଏହି ନିଷ୍ପତ୍ତି ବିରୋଧରେ ଟ୍ରମ୍ପ ପ୍ରଶାସନ ଅପିଲ କରିବା ଉପରେ ବିଚାର କରୁଛି। ଟ୍ରମ୍ପ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ଆମେରିକାକୁ ପୁଣି ଥରେ ମହାନ୍ କରିବା ଲାଗି ତାଙ୍କ ଶୁଳ୍କ ନୀତି ଜରୁରୀ। କୋର୍ଟ ପ୍ରସ୍ତାବ ଦେଇଛନ୍ତି ଯେ ବାଣିଜ୍ୟ ନିୟମ ୧୯୭୪ର ଧାରା ୧୨୨ ଆଧାରରେ ୧୫୦ ଦିନ ପାଇଁ ଟ୍ରମ୍ପ ୧୫ ପ୍ରତିଶତ ଟିକସ ଲଗାଇପାରିବେ। କିନ୍ତୁ ସେଥିପାଇଁ ମଧ୍ୟ ଠୋସ୍‌ ଆଧାର ଆବଶ୍ୟକ। ଚଳିତ ବର୍ଷ ଏପ୍ରିଲ୍‌ ୨ରେ ଭାରତ ଉପରେ ୨୬ ପ୍ରତିଶତ ସମେତ ବିଶ୍ବର ବିଭିନ୍ନ ଦେଶ ଉପରେ ଟ୍ରମ୍ପ ଚଢ଼ା ପାଲଟା ଶୁଳ୍କ ଲଗାଇଥିଲେ। ଏପ୍ରିଲ୍‌ ୯ରୁ ତାହା ଲାଗୁ ହେବ ବୋଲି କହିଥିଲେ। କିନ୍ତୁ ସେହିଦିନ ସେ ଶୁଳ୍କକୁ ୯୦ ଦିନ ପାଇଁ ସ୍ଥଗିତ ରଖିଥିଲେ। ସେହି ସମୟ ସୀମା ଭିତରେ ବିଭିନ୍ନ ଦେଶ ସହ ବାଣିଜ୍ୟ ରାଜିନାମା ଲାଗି ମୁଳଚାଲ ଚାଲିଛି।

‘ଅପରେସନ୍‌ ସିନ୍ଦୂର’ ବେଳେ ଆମେରିକା ସହ ଶୁଳ୍କ ଆଲୋଚନା ହୋଇନି: ଭାରତ
ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ପ୍ରଶମନ କରିବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟସ୍ଥତା କରିଥିବା ଦାବିକୁ ଭାରତ ଦୃଢ଼ ଭାବେ ଖଣ୍ଡନ କରିଛି। ଆମେରିକାରେ ଶୁଳ୍କ ସମ୍ପର୍କିତ ଏକ ମାମଲାର ଶୁଣାଣି ବେଳେ କୋର୍ଟରେ ଆମେରିକା ବାଣିଜ୍ୟ ସଚିବ ହୋୱାର୍ଡ ଲୁଟ୍‌ନିକ୍ ଓ ରାଷ୍ଟ୍ର ସଚିବ ମାର୍କୋ ରୁବିଓ କହିଥି‌ଲେ ଯେ ଉଚ୍ଚ ଟିକସ ଭୟ ଦେଖାଇ ରାଷ୍ଟ୍ରପତି ବିଶ୍ବସ୍ତରୀୟ ସମସ୍ୟାଗୁଡ଼ିକୁ ସମାଧାନ କରିବାକୁ ଉଦ୍ୟମ କରୁଛନ୍ତି। ଉଦାହରଣ ଦେଇ ସେମାନେ ଭାରତ-ପାକ୍ ମଧ୍ୟରେ ଅସ୍ତ୍ରବିରତି କଥା କହିଥିଲେ। ଏହା ଉପରେ ପ୍ରତିକ୍ରିୟା ରଖି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପ୍ରବକ୍ତା ରଣଧୀର ‌ଜୟସ୍ବାଲ୍‌ କହିଛନ୍ତି ଯେ ମେ’ ୭ରେ ଅପରେସନ ସିନ୍ଦୂର ଆରମ୍ଭ ହେବା ଏବଂ ମେ’ ୧୦ରେ ଅସ୍ତ୍ରବିରତି ମଧ୍ୟରେ ଆମେରିକା ସହ ଆଲୋଚନା ହୋଇଥିଲା। କିନ୍ତୁ ସେଥିରେ ଶୁଳ୍କକୁ ନେଇ କିଛି ଆଲୋଚନା ହୋଇନଥିଲା।