ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ୬୯ଟି ଦେଶ ଉପରେ ପାଲଟା ଶୁଳ୍କ ଘୋଷଣା କରିଛନ୍ତି। ସର୍ବାଧିକ ୪୩ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲଗାଯାଇଥିବା ବେଳେ ଭାରତ ଉପରେ ୨୫% ଶୁଳ୍କ ଲାଗିଛି। ଏହି ଶୁଳ୍କ ଚଳିତ ମାସ ୭ରୁ କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି। ରୁଷ୍ଠାରୁ ଭାରତ ତେଲ ଏବଂ ଅସ୍ତ୍ର କିଣୁଥିବା ଦର୍ଶାଇ ଟ୍ରମ୍ପ ଜରିମାନା ମଧ୍ୟ ଲଗାଇଛନ୍ତି। କିନ୍ତୁ ଜରିମାନା କେତେ ଲାଗିବ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ଭାରତୀୟ ରପ୍ତାନିର ବଡ଼ ଅଂଶ (ଫାର୍ମା ଏବଂ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ସମେତ) ଆମେରିକାର ଛାଡ଼ ବର୍ଗରେ ଆସୁଛି। ତେଣୁ ସେସବୁ ସାମଗ୍ରୀ ଉପରେ କୌଣସି ଶୁଳ୍କ ଲାଗିବ ନାହିଁ। ଆମେରିକାକୁ ଭାରତ କରୁଥିବା ରପ୍ତାନିର ଅଧାରୁ ଅଧିକ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ।
ଆମେରିକାର ଛାଡ଼ ଧାରାର ୨୩୨ ଅଧୀନରେ ଏହି ରିହାତି ମିଳିବ। ତେଣୁ କେବଳ ୪୦ ବିଲିଅନ ଡଲାରର ରପ୍ତାନି ପ୍ରଭାବିତ ହେବ ବୋଲି କୁହାଯାଉଛି। ୨୦୨୪-୨୫ ଆର୍ଥିକବର୍ଷରେ ଭାରତ ଏବଂ ଆମେରିକା ମଧ୍ୟରେ ୧୩୧.୮ ବିଲିଅନ ଡଲାରର ବାଣିଜ୍ୟ ହୋଇଥିଲା। ସେଥିରୁ ୮୬.୫ ବିଲିଅନ ଡଲାର ରପ୍ତାନି ହୋଇଥିବାବେଳେ ୪୫.୩ ବିଲିଅନ ଡଲାର ହେଉଛି ଆମଦାନି। କୁହାଯାଉଛି ଯେ ବାଣିଜ୍ୟ ଆଲୋଚନାରେ ଆମେରିକାର ଦୁଗ୍ଧଜାତ ସାମଗ୍ରୀକୁ ଭାରତ କୌଣସି ରିହାତି ଦେବ ନାହିଁ। କାରଣ ସେ ଦେଶରେ ଚାଷୀମାନେ ଗୋଖାଦ୍ୟରେ ବ୍ୟବହାର କରୁଥିବା ସାମଗ୍ରୀକୁ ନେଇ ଆପତ୍ତି ରହିଛି। ଭାରତର ଧାର୍ମିକ ଭାବାବେଗ ଏହା ସହ ଜଡ଼ିତ ଥିବାରୁ ଏହା ଭାରତ ପାଇଁ ଗ୍ରହଣଯୋଗ୍ୟ ହେବ ନାହିଁ। ଉଲ୍ଲେଖଯୋଗ୍ୟ, ଭାରତ ଏବଂ ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ ରାଜିନାମା ସଂପର୍କିତ ଆଲୋଚନା ଚଳିତବର୍ଷ ମାର୍ଚ୍ଚରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ୫ଟି ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି। ଷଷ୍ଠ ପର୍ଯ୍ୟାୟ ଆଲୋଚନା ନୂଆଦିଲ୍ଲୀରେ ଚଳିତମାସ ଶେଷଆଡ଼କୁ ହେବାକୁ ଯାଉଛି।