ଚଳନ୍ତା ଟ୍ରେନରେ ଡ଼େବିଟ୍ ଏବଂ କ୍ରେଡ଼ିଟ୍ କାର୍ଡ଼ରେ ଆଦାୟ ହେବ ଦେୟ, ଟିଟିଇ ଧରିବେ ଟ୍ୟାବ୍ ଏବଂ ସ୍ୱାଇପିଙ୍ଗ୍ ମେସିନ୍
ନୂଆଦିଲ୍ଲୀ : ରେଳ ହେବ ହାଇଟେକ୍ । କାଗଜ ପତ୍ର ଛାଡ଼ି ଏବେ ମେସିନରେ ହେବ କାମ । ବିନା ଟିକେଟରେ ରେଳରେ ଯାତ୍ରା କରୁଥିବା ଯାତ୍ରୀମାନେ ଏବେ ଡ଼େବିଟ୍ ଏବଂ କ୍ରେଡ଼ିଟ୍ କାର୍ଡ଼ ମାଧ୍ୟମରେ ଭରିବେ ଜରିମାନା । ଏଥିପାଇଁ ଟିଟିଇଙ୍କୁ ସ୍ୱାଇପ୍ ମସିନ ଦେବାର ବ୍ୟବସ୍ଥା କରାଯାଇଥିବା ବେଳେ ଜାନୁଆରୀ ୧୫ ସୁଦ୍ଧା ଏ ନେଇ ନିଷ୍ପତ୍ତି କରାଯିବ ବୋଲି ଜଣାପଡ଼ିଛି ।
ସୂଚନା ଅନୂଯାୟୀ, କିଛି ଦିନ ପୂର୍ବରୁ ଏ ନେଇ ରେଲେଓ୍ଵ ବୋର୍ଡ଼ର ବୈଠକ ବସିଥିବା ବେଳେ କ୍ୟାସ୍ଲେସ ଟ୍ରାନ୍ଜାକ୍ସନ୍ର ପ୍ରସାର କରିବା ପାଇଁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣା ପଡ଼ିଛି । ବିନା ଟିକେଟ ଯାତ୍ରୀଙ୍କ ଠାରୁ ଜରିମାନା ହେଉ ଅବା ରିଜର୍ଭେସନ୍ ଦେୟ, ଏହାକୁ ଡ଼େବିଟ୍ ଏବଂ କ୍ରେଡ଼ିଟ୍ କାର୍ଡ଼ ମାଧ୍ୟମରେ ଆଦାୟ ଲାଗି ସ୍ୱାଇପ୍ ମସିନ ସହ ଟିଟିଇଙ୍କୁ ଟ୍ୟାବ୍ ମଧ୍ୟ ଦିଆଯିବ। ଏହି ବ୍ୟବସ୍ଥା କରାଯିବା ପରେ ଟିଟିଇମାନେ ପେପର ଚାଟ୍ର୍ର ବ୍ୟବହାର ନ କରି ଟ୍ୟାବ୍ରେ ଯାତ୍ରୀମାନଙ୍କ ବିଷୟରେ ପୂରା ସୂଚନା, ରିଜର୍ଭେସନ ଚାର୍ଟ ସହ ଟ୍ରେନ୍ ବିଷୟରେ ସଂପୂର୍ଣ୍ଣ ବିବରଣୀ ପାଇ ପାରିବେ । କେବେ କେବେ ବିନା ଟିକେଟ୍ରେ ଯାତ୍ରା କରୁଥିବା ଲୋକମାନେ ଧରାପଡ଼ିବା ପରେ ଜରିମାନା ଦେବା ପାଇଁ ପଇସା ନାହିଁ ବୋଲି ବାହାନା କରିଥାନ୍ତି ।
ଏହା ସହ ଟ୍ରେନ୍ ଭିତରେ ମଧ୍ୟ କିଛି ଲୋକ ବେଆଇନ କାମ କରିବା ପରେ ଜରିମାନା ଦେବା ପାଇଁ ବିଭିନ୍ନ ବାହାନା କରିଥାନ୍ତି । ଏହି ସବୁ ସମସ୍ୟାକୁ ଆଖି ଆଗରେ ରଖି ରେଲେଓ୍ଵ ବୋର୍ଡ଼ ଏଭଳି ବ୍ୟବସ୍ଥା ଗ୍ରହଣ କରିବାକୁ ଚିନ୍ତା କରୁଥିବା ଜଣାପଡ଼ିଛି ।