ନୂଆଦିଲ୍ଲୀ: ଆସନ୍ତା ମାସ ଫେବ୍ରୁଆରି ପହିଲାରେ ଆସିବ ୨୦୨୩-୨୪ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟ୍। ଏହାକୁ ଲୋକସଭାରେ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବଜେଟ୍ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏଥି ପାଇଁ ନର୍ଥ ବ୍ଲକରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଓ ତାଙ୍କ ୭ ଜଣିଆ ଟିମ ଜୋର୍ସୋର୍ରେ ପ୍ରସ୍ତୁତି ଚଳାଇଛନ୍ତି। ଏହି ଟିମ୍ରେ ସାମିଲ ହୋଇଛନ୍ତି ୧୯୮୭ ବ୍ୟାଚ୍ ଓଡ଼ିଶା କ୍ୟାଡର୍ ଆଇଏଏସ୍ ତଥା ନିବେଶ ଏବଂ ସାର୍ବଜନିକ ସମ୍ପତ୍ତି ପରିଚାଳନା ବିଭାଗ (ଦିପମ) ସଚିବ ତୁହିନକାନ୍ତ ପାଣ୍ଡେ । ଶ୍ରୀ ପାଣ୍ଡେ ୨୦୧୯ ଅକ୍ଟୋବରରୁ ଦିପମର ସଚିବ ଅଛନ୍ତି।
ଉଦ୍ୟୋଗ ବିକାଶ, ଆର୍ଥିକ ପରିଚାଳନା ଓ ସାର୍ବଜନିକ ବିତ୍ତ କ୍ଷେତ୍ରରେ ଶ୍ରୀ ପାଣ୍ଡେଙ୍କ ଉତ୍ତମ ଅଭିଜ୍ଞତା ରହିଛି। କ୍ରମାଗତ ଚତୁର୍ଥ ଥର ପାଇଁ ଶ୍ରୀ ପାଣ୍ଡେ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କ ବଜେଟ୍ ଟିମ୍ରେ ସାମିଲ ହେବାର ସୌଭାଗ୍ୟ ହାସଲ କରିଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କ ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ହାସଲ ଦିଗରେ ତାଙ୍କର ସବୁଠାରୁ ବଡ଼ ଭୂମିକା ରହିବ। ଶ୍ରୀ ପାଣ୍ଡେଙ୍କ ସହ ନିର୍ମଳାଙ୍କ ଟିମ୍ରେ ଅନ୍ୟମାନଙ୍କ ମଧ୍ୟରେ ଅର୍ଥ ସଚିବ ଟିଭି ସୋମନାଥନ, ଅର୍ଥନୈତିକ ବ୍ୟାପାର ବିଭାଗ ସଚିବ ଅଜୟ ସେଠ, ରାଜସ୍ବ ସଚିବ ସଂଜୟ ମାଲହୋତ୍ରା, ମୁଖ୍ୟ ଆର୍ଥିକ ପରାମର୍ଶଦାତା ଭି. ଅନନ୍ତ ନାଗେଶ୍ବରନ ଓ ଆର୍ଥିକ ବିଭାଗ ସଚିବ ବିବେକ ଯୋଶୀ ସାମିଲ ହୋଇଛନ୍ତି।