୩୦ରୁ ମିଳିବ ଟୁନ୍‌ଓ୍ଵାଲ୍‌ ଇ-ସ୍କୁଟ୍‌, ମୋପେଡ୍‌

ଭୁବନେଶ୍ୱର: ଗୁଜରାଟର କଂପାନି ଟୁନ୍‌ଓ୍ଵାଲ୍‌ର ଇ ସ୍କୁଟ୍‌ ଏବଂ ମୋପେଡ୍‌ ନଭେମ୍ବର ୩୦ରୁ ବଜାରରେ ଉପଲବ୍ଧ ହେବ। ଇ-ସ୍କୁଟ ୬ଟି ମଡେଲ୍‌ରେ ୬ଟି ଭାରିଆଣ୍ଟ୍‌ରେ ୭ଟି ରଙ୍ଗରେ ଉପଲବ୍ଧ ହେବ। ଇ-ସ୍କୁଟ୍‌ର ଷ୍ଟର୍ମ ମଡେଲ୍‌ ଘଣ୍ଟା ପିଛା ୩୦-୫୦ କିମି ବେଗରେ ଯାତ୍ରା କରିପାରିବ। ଥରେ ଚାର୍ଜ କଲେ ଏହା ୭୫ କିମି ଅତିକ୍ରମ କରିବ। ସେହିପରି ସ୍ପୋର୍ଟସ୍‌ ମଡେଲ୍‌ ୧୦୫ କିମି ଯାତ୍ରା କରିପାରିବ। ଏହାକୁ ଛଅ ଘଣ୍ଟା ପର୍ଯ୍ୟନ୍ତ ଚାର୍ଜ କରିବାର ଖର୍ଚ ହେଉଛି ମାତ୍ର ୧୦ ଟଙ୍କା। ଇ-ସ୍କୁଟ ମଡେଲ୍‌ଗୁଡ଼ିକର ମୂଲ୍ୟ ୪୨-୭୧ ହଜାର ଟଙ୍କା ମଧ୍ୟରେ ରହିଛି। କଂପାନି ପକ୍ଷରୁ ଦୁଇଟି ଭାରିଆଣ୍ଟ୍‌ରେ ମୋପେଡ୍‌ ମଧ୍ୟ ବିକ୍ରି କରାଯିବ। ଏହାର ଭାର ବୋହିବା କ୍ଷମତା ହେଉଛି ୨୦୦ କେଜି। ଇ-ମୋପେଡ୍‌ର ମୂଲ୍ୟ ୪୨ ହଜାର ଟଙ୍କାରୁ ୫୨ ହଜାର ଟଙ୍କା ଭିତରେ ରହିଛି। ଉଭୟ ଇ-ସ୍କୁଟ ଏବଂ ମୋପେଡ୍‌ରେ ଟ୍ୟୁବ୍‌ ଲେସ୍‌ ଟାୟାର, ଡିସ୍କ ବ୍ରେକ୍‌, ଟେଲିସ୍କୋପିକ୍‌ ସସ୍‌ପେନ୍‌ସନ୍‌, ଆଣ୍ଟି ଥେଫ୍‌ଟ ଲକ୍‌ ଏବଂ ସେଣ୍ଟ୍ରାଲ ଲକିଂ ଭଳି ବ୍ୟବସ୍ଥା ରହିଛି। କେତେକ ନିର୍ଦିଷ୍ଟ ମଡେଲ୍‌ ଉପରେ ୪୦୦୦ ଟଙ୍କାର ଆକ୍‌ସେସୋରିଜ୍‌ ମାଗଣାରେ ମିଳିବ। କଂପାନି ପକ୍ଷରୁ ଭୁବନେଶ୍ୱରର ରାହୁଲ ଅଟୋ କେୟାରକୁ ଓଡ଼ିଶା ପାଇଁ ବିତରକ ଭାବେ ନିଯୁକ୍ତ କରାଯାଇଛି। ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଏହି ସବୁ ମଡେଲ୍‌ ସବୁ ଜିଲ୍ଲାରେ ଉପଲବ୍ଧ ହେବ ବୋଲି କଂପାନି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର