ଟଙ୍କା @ ତଳିତଳାନ୍ତ କରୁଛି ତୁର୍କୀ ୭୦

ନୂଆଦିଲ୍ଲୀ: ଭାରତ ଇତିହାସରେ ପ୍ରଥମ ଥର ଟଙ୍କା ମୂଲ୍ୟ ରେକର୍ଡ ତଳ ସ୍ତରକୁ ଖସିଯାଇଛି। ଏକ ଡଲାର ମୂଲ୍ୟ ୭୦ ଟଙ୍କାରୁ ଅଧିକ ହୋଇଯାଇଛି। ପୂର୍ବରୁ କେବେବି ଟଙ୍କା ମୂଲ୍ୟ ଏହି ସ୍ତରକୁ ଖସିନଥିଲା। ଏହାକୁ ନେଇ ସରକାର, ରିଜର୍ଭ ବ୍ୟାଙ୍କ ଓ ନିବେଶକମାନେ ବେଶ ଚିନ୍ତିତ ହୋଇପଡ଼ିଛନ୍ତି।
ଗତକାଲି ଟଙ୍କା ମୂଲ୍ୟ ୬୯ ଟଙ୍କା ୯୩ ପଇସା ସ୍ତରକୁ ଖସିଥିଲା। ଆଜି ମୁଦ୍ରା ବିନିମୟ ବଜାରରେ କାରବାର ଆରମ୍ଭ ହେବାର କିଛି କ୍ଷଣ ମଧ୍ୟରେ ତାହା ୭୦ ଟଙ୍କାର ସ୍ତର ତଳକୁ ଖସିଯାଇଥିଲା।
ଆଜି ମୁଦ୍ରା ବିନିମୟ ବଜାରରେ କାରବାର ବେଳେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୭୦.୧୦ ଟଙ୍କାକୁ ଖସିଯାଇଥିଲା। ଏହା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ହସ୍ତକ୍ଷେପ କରିମଭବା ଯୋଗୁଁ ଟଙ୍କା ମୂଲ୍ୟରେ ସାମାନ୍ୟ ସୁଧାର ହୋଇଥିଲା। ବଜାରରେ କାରବାର ବନ୍ଦ ବେଳକୁ ଟଙ୍କା ମୂଲ୍ୟ ୬୯ ଟଙ୍କା ୯୦ ପଇସା ସ୍ତରକୁ ଆସିଯାଇଥିଲା। ଗତକାଲି ଏକ ଡଲାର ମୂଲ୍ୟ ୬୯ ଟଙ୍କା ୯୩ ପଇସା ଥିଲା। ଏହା କେବଳ ଭାରତର ସମସ୍ୟା ନୁହେଁ। ଡଲାର ତୁଳନାରେ ବିଶ୍ୱର ଅନେକ ଦେଶର ମୁଦ୍ରା ବହୁତ ଶସ୍ତା ହୋଇଯାଇଛି। ୟୁରୋ ଓ ପାଉଣ୍ଡ୍‌ ଭଳି ଚର୍ଚ୍ଚିତ ମୁଦ୍ରା ମଧ୍ୟ ଡଲାର ତୁଳନାରେ ଦୁର୍ବଳ ହୋଇଛି। ଦୁନିଆର ଅନେକ ଦେଶ ଡଲାର କିଣିବାରେ ମାତିଛନ୍ତି। ଭବିଷ୍ୟତରେ ଡଲାର ସଙ୍କଟ ଦେଖାଦେବାର ଆଶଙ୍କା ରହିଥିବାରୁ ସେମାନେ ବିପୁଳ ପରିମାଣର ଡଲାର କିଣୁଛନ୍ତି। ତୁର୍କୀ ଓ ଆମେରିକା ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦରୁ ଆରମ୍ଭ ହୋଇଥିବା ଏହି ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ମୁଖ୍ୟ ରଜନୀଶ କୁମାର କହିଛନ୍ତି ଯେ, ଅନ୍ୟ ଦେଶ ତୁଳନାରେ ଭାରତୀୟ ଟଙ୍କା ମୂଲ୍ୟରେ ହୋଇଥିବା ହ୍ରାସ ବହୁତ କମ୍‌। ଦେଶର ଇକ୍ୱିଟି ଓ ବଣ୍ଡ୍‌ରେ ଯେଉଁଭଳି ଭାବେ ନିବେଶ ହେଉଛି ତାହା ଟଙ୍କା ମୂଲ୍ୟକୁ ୬୯-୭୦ ସ୍ତରରେ ରଖିବ ବୋଲି ସେ କହିଛନ୍ତି।
ଆଜି ଆମେରିକୀୟ ଡଲାର ତୁଳନାରେ ତୁର୍କୀର ମୁଦ୍ରା ‘ଲିରା’ ଆହୁରି ଦୁର୍ବଳ ହୋଇଛି। ଚଳିତ ବର୍ଷ ଲିରା ମୂଲ୍ୟରେ ୫୦% ଭଳି ହ୍ରାସ ହୋଇସାରିଲାଣି। ଉଦୀୟମାନ ଦେଶଗୁଡ଼ିକର ମୁଦ୍ରା ଦୁର୍ବଳ ହେବା ଓ ଅନେକ ଦେଶର ଡଲାର କିଣିବାକୁ ଯେଉଁଭଳି ବ୍ୟଗ୍ରତା ପ୍ରକାଶ କରିଛି ତାହା ବିଶ୍ୱ ବାଣିଜ୍ୟ କାରବାର ପାଇଁ ଆଦୌ ଭଲ ନୁହେଁ ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି। ଟଙ୍କା ମୂଲ୍ୟ ହ୍ରାସ ପାଇଥିବା ବେଳେ ବିଟ୍‌କଏନ୍‌ ପୁଣି ଥରେ ଚର୍ଚା ସୃଷ୍ଟି କରିଛି। ତେବେ ଭାରତରେ ବିଟ୍‌କଏନ୍‌ର କୌଣସି ପ୍ରଭାବ ନାହିଁ। କାରଣ ରିଜର୍ଭ ବ୍ୟାଙ୍କ ଏହାର କାରବାରକୁ ଅବୈଧ ଘୋଷଣା କରିଛନ୍ତି।
କ’ଣ କହୁଛନ୍ତି ସରକାର?
ଟଙ୍କା ମୂଲ୍ୟରେ ହୋଇଥିବା ହ୍ରାସ ଚିନ୍ତାଜନକ ନୁହେଁ ବୋଲି କେନ୍ଦ୍ର ସରକାର କହିଛନ୍ତି। ବାର୍ହି ପ୍ରଭାବ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଅର୍ଥନୈତିକ ବ୍ୟାପାର ସଚିବ ସୁଭାଷ ଗର୍ଗ କହିଛନ୍ତି। ସାଧାରଣ ଜନତା ଓ ନିବେଶକମାନଙ୍କ ମନରେ ଯେଉଁ ଭୟ ସୃଷ୍ଟି ହୋଇଛି ତାହାକୁ ଦୂର କରିବା ପାଇଁ ସେ କହିଛନ୍ତି ଯେ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ବିଦେଶୀ ମୁଦ୍ରା ରହିଛି। ବିଦେଶୀ ନିବେଶକମାନେ ମଧ୍ୟ ଭାରତୀୟ ବଜାରରେ ବିପୁଳ ପରିମାଣ ନିବେଶ କରୁଛନ୍ତି। ତେଣୁ ଏହି ସମସ୍ୟା ଭାରତୀୟ ଅର୍ଥନୀତିକୁ ବିଶେଷ ପ୍ରଭାବିତ କରିବ ନାହିଁ ବୋଲି ସେ କହିଛନ୍ତି। ଅନ୍ୟ ଦେଶ ତୁନଳାରେ ଭାରତୀୟ ଟଙ୍କା ମୂଲ୍ୟ କମ୍‌ ହ୍ରାସ ପାଇଛି। ଯଦି ଅନ୍ୟ ସବୁ ମୁଦ୍ରା ଦୁର୍ବଳ ହେଉଥିବ ଓ ଟଙ୍କାର ମୂଲ୍ୟ ଡଲାର ତୁଳନାରେ ୮୦ ସ୍ତରକୁ ଖସିଯିବ ତେବେ ବି କୌଣସି ସମସ୍ୟା ଦେଖାଦେବନି ବୋଲି ସେ କହିଛନ୍ତି।
ରିଜର୍ଭ ବ୍ୟାଙ୍କର ଭୂମିକା କ’ଣ?
ରିଜର୍ଭ ବ୍ୟାଙ୍କ ପାଖରେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର୍‌ ରହିଛି। ସବୁ ପ୍ରକାର ମୁଦ୍ରାକୁ ଡଲାର ମୂଲ୍ୟରେ ହିସାବ କରି ରଖାଯାଏ। ଭାରତରେ ବିଶେଷ କରି ଆମଦାନିକାରୀ ଓ ବ୍ୟାଙ୍କଗୁଡ଼ିକ ଡଲାର କିଣିଥାନ୍ତି। ସେମାନେ ମୁଦ୍ରା ବିନିମୟ ବଜାରରୁ ଡଲାର କିଣିଥାନ୍ତି। ଯେତେବେଳେ ବଜାରରେ ଡଲାର ବହୁତ ମହଙ୍ଗା ହୋଇଯାଏ ସେହି ସମୟରେ ରିଜର୍ଭ ବ୍ୟାଙ୍କ ହସ୍ତକ୍ଷେପ କରିବା ଆରମ୍ଭ କରେ। ନିଜ ପାଖରେ ଥିବା ଡଲାରକୁ ରିଜର୍ଭ ବ୍ୟାଙ୍କ ଶସ୍ତା ଦରରେ ବିକ୍ରି କରିଥାଏ। ଏହା ଦ୍ୱାରା ଡଲାର ଚାହିଦା କମିଯାଏ ଓ ତାହାର ମୂଲ୍ୟ ମଧ୍ୟ ହ୍ରାସ ପାଇଥାଏ। ଏହି ଉପାୟରେ ରିଜର୍ଭ ବ୍ୟାଙ୍କ ଦୁର୍ବଳ ଟଙ୍କାକୁ ସବଳ କରିବା ପାଇଁ ପ୍ରୟାସ କରିଥାଏ।

ସମ୍ବନ୍ଧିତ ଖବର