ଭୁବନେଶ୍ବର: ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ସମୟରେ ପାକିସ୍ତାନକୁ ଖୋଲାଖୋଲି ସମର୍ଥନ କରିଥିବା ତୁର୍କୀର ବିଭିନ୍ନ ସାମଗ୍ରୀକୁ ରାଜ୍ୟବ୍ୟାପୀ ବର୍ଜନ କରାଯାଉଛି। ଭୁବନେଶ୍ବର ସମେତ ଅନ୍ୟାନ୍ୟ ସହର ଓ ଅଞ୍ଚଳଗୁଡ଼ିକରେ ‘ବୟକଟ୍ ତୁର୍କୀ’କୁ ଲୋକମାନେ ସମର୍ଥନ କରିଛନ୍ତି। ବିଶେଷ କରି ତୁର୍କୀରୁ ଆସୁଥିବା ସେଓକୁ ବର୍ଜନ କରାଯାଇଛି। ରାଜ୍ୟର ବ୍ୟବସାୟୀମାନେ ମଧ୍ୟ ତୁର୍କୀର କୌଣସି ଜିନିଷ କାରବାର କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଟ୍ରାଭେଲ୍ ଅପରେଟରମାନେ ମଧ୍ୟ ତୁର୍କୀ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଗତ ୩-୪ ଦିନରେ ତୁର୍କୀ ପାଇଁ ହୋଇଥିବା ୭୦ ପ୍ରତିଶତରୁ ଅଧିକ ବୁକିଂ ବାତିଲ ହୋଇଛି।
ଏ ସମ୍ପର୍କରେ ଓଡ଼ିଶା ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡା କହିଛନ୍ତି ଯେ ତୁର୍କୀ ସହିତ ବ୍ୟବସାୟ ଏତେ ଅଧିକ ନାହିଁ। ରାଜ୍ୟରେ ବିକ୍ରି ହେଉଥିବା ସେଓ ମଧ୍ୟରୁ ତୁର୍କୀରୁ ଆସୁଥିବା ସେଓର ଭାଗ ୧ ପ୍ରତିଶତରୁ ବି କମ୍ ରହିଛି। କେବଳ କିଛି ବଡ଼ ବଡ଼ ହୋଟେଲ୍ ଓ ରେସ୍ତୋରାଁକୁ ବାଦ ଦେଲେ ସାଧାରଣରେ ତୁର୍କୀରୁ ଆସୁଥିବା ସେଓ ଅତି ଅଳ୍ପ ମାତ୍ରାରେ ବିକ୍ରି ହୋଇଥାଏ। ସେହି ବିକ୍ରି ଏବେ ବନ୍ଦ ହୋଇଯାଇଛି। ତୁର୍କୀ ସେଓର ବିକଳ୍ପ ଭାବେ ସିମ୍ଲା ଓ କାଶ୍ମୀର ସେଓ ରହିଛି। ତୁର୍କୀରୁ ଏଭଳି କୌଣସି ଜିନିଷ ରାଜ୍ୟକୁ ଆସୁନାହିଁ ଯାହାକୁ ଅତ୍ୟାବଶ୍ୟକ ସାମଗ୍ରୀ କୁହାଯାଇପାରିବ। ତେଣୁ ସେଠାରୁ ଆସୁଥିବା ସବୁ ଜିନିଷର ବିକ୍ରି ବନ୍ଦ କରିଦେଲେ କିଛି ଅସୁବିଧା ହେବ ନାହିଁ ବୋଲି ସେ କହିଛନ୍ତି। ତୁର୍କୀ ସେଓ ବିକ୍ରି ନ କରିବା ଲାଗି ବ୍ୟବସାୟୀମାନଙ୍କୁ ମହାସଂଘ ପକ୍ଷରୁ ଅବଗତ କରାଯାଇଥିବା ସେ କହିଛନ୍ତି। ଟ୍ରାଭେଲ୍ ଅପରେଟରମାନେ ମଧ୍ୟ ବୟକଟ୍ ତୁର୍କୀକୁ ନେଇ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।
ଭାରତୀୟ ଟ୍ରାଭେଲ ଅପରେଟର ସଂଘ (ପୂର୍ବାଞ୍ଚଳ)ର ଅଧ୍ୟକ୍ଷ ଜେ କେ ମହାନ୍ତି କହିଛନ୍ତି ଯେ ତୁର୍କୀର ପ୍ରସାର ନ କରିବା ଲାଗି ଟ୍ରାଭେଲ୍ ଅପରେଟରମାନେ ନିଷ୍ପତ୍ତି ନେଇଛନ୍ତି। ଜାତୀୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି। ତୁର୍କୀ ଭ୍ରମଣ ଉଦ୍ଦେଶ୍ୟରେ ହୋଇଥିବା ବୁକିଂର ୭୦ ପ୍ରତିଶତରୁ ଅଧିକ ବାତିଲ ହୋଇଗଲାଣି। କୌଣସି ନୂଆ ବୁକିଂ ଗ୍ରହଣ କରାଯାଉନାହିଁ ବୋଲି ସେ କହିଛନ୍ତି। ସଂଘର ଓଡ଼ିଶା ଶାଖା ଅଧ୍ୟକ୍ଷ ତଥା ଡୋଭ୍ ଟୁର୍ସ ପ୍ରାଇଭେଟ୍ ଲିମିଟେଡ୍ର ନିର୍ଦ୍ଦେଶକ ଗଗନ ଷଡ଼ଙ୍ଗୀ କହିଛନ୍ତି ଯେ ଏକ ପର୍ଯ୍ୟଟନ ସ୍ଥଳ ଭାବେ ଆମେ ତୁର୍କୀର ପ୍ରସାର ନ କରିବାକୁ ନିଷ୍ପତ୍ତି ନେଇଛୁ। ବୁକିଂ ବାତିଲ କରାଯାଉଥିବାରୁ ଆମେ ବହୁତ ଖୁସି ଅଛୁ। ବର୍ତ୍ତମାନ ପରିସ୍ଥିତିରେ ଆମେ ଦେଶ ସହିତ ଠିଆ ହୋଇଛୁ। ତୁର୍କୀକୁ ନୂଆ ବୁକିଂ ସମ୍ପୂର୍ଣ୍ଣ ବନ୍ଦ ରହିଛି।