ଟିଭି ବିଜ୍ଞାପନରେ ବିଜେପି ଏକ ନମ୍ବର

ନୂଆଦିଲ୍ଲୀ: ଟେଲିଭିଜନରେ ବିଜ୍ଞାପନ ଦେବାରେ ବିଜେପି ଏବେ ଶୀର୍ଷସ୍ଥାନରେ ରହିଛି। ସାଧାରଣ ନିର୍ବାଚନ ହେବାକୁ ଆଉ ଅଳ୍ପ କିଛିମାସ ବାକି ଥିବାବେଳେ ୫ଟି ରାଜ୍ୟରେ ଏବେ ବିଧାନସଭା ପାଇଁ ନିର୍ବାଚନ ଚାଲିଛି। ଏହି ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପ୍ରକ୍ରିୟା ଚାଲିଥିବାବେଳେ ଟିଭିରେ ବିଜ୍ଞାପନ ଦେବାରେ ବିଜେପି ୧ ନମ୍ବର ସ୍ଥାନରେ ରହିଛି। ବ୍ରଡକାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନ୍‌ସିଲ୍‌ (ବାର୍କ) ରିପୋର୍ଟରୁ ଏହି ତଥ୍ୟ ପଦାକୁ ଆସିଛି। ଗତ ନଭେମ୍ବର ୧୦ରୁ ୧୬ ତାରିଖ ମଧ୍ୟରେ ବିମଲ ପାନ ମସଲାକୁ ପଛକୁ ଠେଲି ବିଜେପି ପ୍ରଥମ ସ୍ଥାନ ଦଖଲ କରିନେଇଛି। ବିଜେପି ପଛକୁ ନେଟଫ୍ଲିକ୍ସ ଓ ଟ୍ରିଭାଗୋ ଯଥା‌କ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ସବୁ ଚାନେଲରେ ବିଜେପି ୧ ନମ୍ବର ସ୍ଥାନରେ ରହିଛି। ନଭେମ୍ବର ୧୦ରୁ ୧୬ ତାରିଖର ପୂର୍ବ ସପ୍ତାହରେ ଏହି ଦଳ ଦ୍ବିତୀୟ ସ୍ଥାନରେ ରହିଥିଲା। ଏପରିକି ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏହି ତାଲିକାର ପ୍ରଥମ ୧୦ଟି ସ୍ଥାନ ମଧ୍ୟରେ ବି ନାହିଁ।
୫ଟି ରାଜ୍ୟ ଯଥା ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମରେ ଏବେ ବିଧାନସଭା ନିର୍ବାଚନ ହେଉଛି। ସାଧାରଣ ନିର୍ବାଚନ ପୂର୍ବରୁ ଏହାକୁ ସେମି ଫାଇନାଲ ଭାବେ ବିବେଚନା କରାଯାଉଛି। ଏହି ନିର୍ବାଚନ ଫଳାଫଳର ପ୍ରଭାବ ସାଧାରଣ ନିର୍ବାଚନ ଉପରେ ପଡ଼ିବା ସମ୍ଭାବନା ରହିଛି। ତେବେ ବିଜେପି ମିଡିଆ ସେଲ୍‌ ମୁଖ୍ୟ ଅନିଲ ବାଲୁନିଙ୍କ ସହ ‌ଟେଲିଫୋନରେ ଯୋଗାଯୋଗ କରାଯାଇ ଥିଲେ ମଧ୍ୟ ତାଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ସାଧାରଣ ନିର୍ବାଚନ ବେଳକୁ ରାଜନୈତିକ ଦଳ ଗୁଡ଼ିକର ବିଜ୍ଞାପନ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା ରଖାଯାଇଛି।

ସମ୍ବନ୍ଧିତ ଖବର