ଟିଭି ବିଲ୍ କମିବା ଆହୁରି ବିଳମ୍ବ ହେବ, ମାର୍ଚ୍ଚ ୧ରେ ନୂଆ ନିୟମ ଲାଗୁ ହେବାର ଥିଲା

ଆଉ କିଛି ଦିନ ସ୍ଥଗିତ ରହିପାରେ

ମୁମ୍ବାଇ: ଟିଭି ବିଲ୍ ହ୍ରାସ ପାଇବା ଲାଗି ଚାହି ରହିଥିବା ଗ୍ରାହକମାନଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିପାରେ। କାରଣ ଟିଭି ଟାରିଫ୍‌କୁ ନେଇ ଟ୍ରାଇ ଯେଉଁ ନିର୍ଦେଶ ଜାରି କରିଥିଲା ତାହାକୁ ଆଉ କିଛି ଦିନ ସ୍ଥଗିତ ରଖାଯାଇପାରିବ କି ବୋଲି ବମ୍ବେ ହାଇକୋର୍ଟ ପ୍ରଶ୍ନ କରିଛନ୍ତି। ଏହି ନିର୍ଦେଶନାମା ଚଳିତ ବର୍ଷ ମାର୍ଚ୍ଚ ୧ରୁ ଲାଗୁ କରିବାକୁ ଟ୍ରାଇ ଘୋଷଣା କରିଥିଲା। ଏହା ଲାଗୁ ହେଲେ ଟିଭି ଚ୍ୟାନେଲ୍‌ଗୁଡ଼ିକର ଦାମ୍ ହ୍ରାସ ପାଇବ ଏବଂ ପ୍ୟାକେଜ୍‌ ପ୍ରସ୍ତୁତି ପ୍ରକ୍ରିୟା ମଧ୍ୟ ବଦଳିଯିବ। ମୋଟ୍‌ ଉପରେ ଗ୍ରାହକମାନଙ୍କୁ ଟିଭି ଦେଖିବା ଲାଗି କମ୍ ଟଙ୍କା ଗଣିବାକୁ ପଡ଼ିବ। ମାତ୍ର ଟ୍ରାଇର ଏହି ନୂତନ ନିର୍ଦେଶାନାମା ବିରୋଧରେ ପ୍ରଯୋଜକ, ପ୍ରସାରଣକାରୀ ଏବଂ କେବୁଲ୍ ଅପରେଟରମାନେ ଅଲଗା ଅଲଗା ମାମଲା ରୁଜୁ କରିଛନ୍ତି। ସେଗୁଡ଼ିକର ଶୁଣାଣି ଶେଷ ହୋଇନଥିବାରୁ ଏହି ନିର୍ଦେଶକୁ ଲାଗୁ କରିବାର ସମୟ ସୀମାକୁ ବଢ଼ାଇବାର କ’ଣ ସମ୍ଭାବନା ରହିଛି ତାହା ଜାଣିବାକୁ ବମ୍ବେ ହାଇକୋର୍ଟ ଚାହିଛନ୍ତି।

ଏହି ମାମଲାର ବିଚାର କରୁଥିବା ବିଚାରପତି ଅମଜଦ୍ ସଇଦ ଓ ଅନୁଜା ପ୍ରଭୁଦେଶାଇଙ୍କ ଖଣ୍ଡପୀଠ କହିଛନ୍ତି ଯେ, ମାମଲା ଯେତିକି ଜଟିଳ ଏବଂ ଯେତେ ପକ୍ଷ ଆବେଦନ କରିଛନ୍ତି ସମସ୍ତ ପକ୍ଷର ଶୁଣାଣି ଦୁଇ ଦିନ ଭିତରେ ଶେଷ କରିବା ସମ୍ଭବ ନୁହେଁ। ତେଣୁ ନିର୍ଦେଶକୁ ଆଉ କିଛି ଦିନ ସ୍ଥଗିତ ରଖାଯାଇପାରିବ କି ବୋଲି ଖଣ୍ଡପୀଠ ଅତିରିକ୍ତ ସଲିସିଲଟର ଜେନେରାଲ୍ ଓ ଟ୍ରାଇର ଆଇନଜୀବୀଙ୍କୁ ପ୍ରଶ୍ନ କରିଛନ୍ତି। ୨୦୧୭ରେ ଟ୍ରାଇ ପକ୍ଷରୁ ପ୍ରଥମ ଟିଭି ଟାରିଫ୍ ନିର୍ଦେଶ ଜାରି କରାଯାଇଛି। ସେହି ସମୟରେ ନିୟମ ଲାଗୁ କରିବାର ସମୟ ସୀମାକୁ ଏକ ମାସ ଘୁଞ୍ଚାଇ ଦିଆଯାଇଥିଲା। ଚଳିତ ବର୍ଷ ଜାନୁଆରି ୧୫ ସୁଦ୍ଧା ନୂଆ ଟାରିଫ୍‌ ପ୍ଲାନ୍ ବିଷୟରେ ଅବଗତ କରିବାକୁ ଟ୍ରାଇ ପକ୍ଷରୁ ପ୍ରସାରଣକାରୀଙ୍କୁ କୁହାଯାଇଥିଲା। ଏହି ସମୟ ସୀମାରେ କୌଣସି ପ୍ରକାର ପରିବର୍ତ୍ତନ କରିବାକୁ ଅନ୍ୟ ଏକ ଖଣ୍ଡପୀଠ ମନା କରିଦେଇଛନ୍ତି। ନୂଅ ନିର୍ଦେଶ ଅନୁସାରେ ଗ୍ରାହକମାନେ ୧୩୦ ଟଙ୍କାର ନେଟ୍‌ୱର୍କ କାପାସିଟି ଫି’ ଦେଇ ୨୦୦ ଚ୍ୟାନେଲ୍‌ ଦେଖିବାର ସୁଯୋଗ ପାଇବେ।

ସମ୍ବନ୍ଧିତ ଖବର