ମହଙ୍ଗା ହେବ ଟିଭି, ମୋବାଇଲ ଫୋନ !

ବିଭିନ୍ନ ଇଲେକ୍‌ଟ୍ରୋନିକ ସାମଗ୍ରୀ ଉପରେ ସୀମା ଶୁଳକ ବଢାଇଲେ ସରକାର

ନୂଆଦିଲ୍ଲୀ- ଦେଶରେ କେତେକ ନିତ୍ୟବ୍ୟବହାର୍ଯ୍ୟ ଇଲେକଟ୍ରୋନିକ ସାମଗ୍ରୀ ଯଥା ଟିଭି, ମୋବାଇଲ ଫୋନ, ପ୍ରୋଜେକ୍ଟର ଓ ଓ୍ଵାଟର ହିଟର ମହଙ୍ଗା ହେବାର ସମ୍ଭାବନା ରହିଛି । ସରକାର ଏସବୁ ସାମଗ୍ରୀଗୁଡିକ ଉପରେ ସୀମା ଶୁଳକ ବା କଷ୍ଟମ୍ସ ଡ୍ୟୁଟି ବଢାଇଦେଇଛନ୍ତି । ଚୀନ, ତାଇଓ୍ଵାନ ପ୍ରଭୃତି ଦେଶରୁ ଆସୁଥିବା ଶସ୍ତା ସାମଗ୍ରୀ କବଳରୁ ଘରୋଇ ଉଦ୍ୟୋଗଗୁଡିକୁ ସୁରକ୍ଷା ଦେବା ଲାଗି ସରକାର ଏହି ପଦକ୍ଷେପ ନେଇଥିବା କୁହାଯାଉଛି ।

“ଅର୍ଥମନ୍ତ୍ରାଳୟ ଅଧିନସ୍ଥ ରାଜସ୍ୱ ବିଭାଗ ପକ୍ଷରୁ ଗତକାଲି ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଟିଭି ଉପରେ ସୀମା ଶୁଳ୍କ ୧୦ ପ୍ରତିଶତରୁ ୧୫ ପ୍ରତିଶତକୁ ବୃଦ୍ଧି ପାଇଛି । ସେହିପରି ମିନିଟର ଓ ପ୍ରୋଜେକ୍ଟର ଉପରେ ସୀମା ଶୁଳକୁ ଦ୍ୱିଗୁଣିତ କରାଯାଇ ୨୦ ପ୍ରତିଶତ କରାଯାଇଛି । ଅନ୍ୟପକ୍ଷରେ ବଟନ ଥିବା ମୋବାଇଲ ଫୋନ ଉପରେ ଏହି ଶୁଳକକୁ ୧୫ ପ୍ରତିଶତକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏସବୁ ସାମଗ୍ରୀ ଉପରେ କୌଣସି ସୀମା ଶୁଳକ ଲାଗୁ ହେଉନଥିଲା । ସେହିପରି ଓ୍ଵାଟର ହିଟର ଓ ହେୟାର ଡ୍ରେସିଂ ସାମଗୀ ଉପରେ ସୀମା ଶୁଳକକୁ ଦୁଇଗୁଣ ବୃଦ୍ଧି କରାଯାଇ ୨୦ ପ୍ରତିଶତ କରାଯାଇଛି ।

ଏସବୁ ସାମଗ୍ରୀ ବ୍ୟତୀତ ଆଉ କେତେକ ସାମଗ୍ରୀ ଯଥା ଇଲେକଟ୍ରୋନିକ ଫିଲାମେଣ୍ଟ ଓ ଡିସଚାର୍ଜ ଲାମ୍ପ ଉପରେ ତାରିଫକୁ ବୃଦ୍ଧି କରାଯାଇଛି ।
ଭାରତୀୟ ବଜାରକୁ ଏବେ ଶସ୍ତା ଇଲେକ୍ଟ୍ରୋନିକ ସାମଗ୍ରୀର ଛୁଅ ଛୁଟିଛି । ଭରତୀୟ ବଜାର ବିକ୍ରି ହେଉଥିବା ସମାନ ପ୍ରକାରର ସାମଗ୍ରୀ ଦରଠାରୁ ଅତି କମ ଦରରେ ଏସବୁ ସାମଗୀ ବିକ୍ରି ହେଉଛି । ଫଳରେ ଭାରତୀୟ ଉତ୍ପାଦନ ଉଦ୍ୟୋଗ କ୍ଷତି ସହୁଛି ଓ ଦେଶରେ ନିଯୁକ୍ତି ସୁଯୋଗ ହ୍ରାସ ପାଉଛି । ଏହାକୁ ନେଇ ସରକାର ଚିନ୍ତା ପ୍ରକଟ କରିବା ସହ ଉପରୋକ୍ତ ପଦକ୍ଷେପ ନେଇଛନ୍ତି । ଆଗକୁ ମଧ୍ୟ ସରକାର ଆଉ କେତେକ ସାମଗ୍ରୀର ଆମଦାନୀ ଉପରେ ସୀମା ଶୁଳକ ଓ ଆମଦାନୀ ଶୁଳକ ବଢାଇବାର ସମ୍ଭାବନା ରହିଛି ।

 

ସମ୍ବନ୍ଧିତ ଖବର