ନୂଆଦିଲ୍ଲୀ: ଜାନୁଆରି ପହିଲାରୁ ଦେଶରେ ଟିଭି ଦେଖା ମହଙ୍ଗା ହେବ। ଲୋକମାନଙ୍କ ମାସିକିଆ କେବୁଲ ଓ ଡିଟିଏଚ୍ ବିଲ୍ ବଢ଼ିଯିବ। ଟିଭି ଦେଖିବା ପାଇଁ ମାସକୁ ଅତିକମ୍ରେ ୪୩୦-୪୪୦ ଟଙ୍କା ଗଣିବାକୁ ପଡ଼ିବ। ନୂଆବର୍ଷ ଠାରୁ ଏକ ନୂତନ ନିୟମ ଲାଗୁ ହେବ। ସେହି ନିୟମ ପ୍ରଭାବରେ ଟିଭି ଚ୍ୟାନେଲ୍ଗୁଡ଼ିକର ଦାମ୍ ବଢ଼ିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି।
ଏବେ ଲୋକମାନେ କେବୁଲ କିମ୍ବା ଡିଟିଏଚ୍ ସେବା ପାଇଁ ମାସକୁ ଏକ ନିର୍ଦିଷ୍ଟ ପରିମାଣର ବିଲ୍ ଦେଉଛନ୍ତି ଓ ଗୋଟିଏ ପ୍ୟାକ୍ ଭିତରେ ଅନେକଗୁଡ଼ିଏ ଚ୍ୟାନେଲ୍ ପାଉଛନ୍ତି। ସେହି ପ୍ୟାକ୍ରେ ଥିବା ଅନେକ ଚ୍ୟାନେଲ୍କୁ ଲୋକମାନେ ଦେଖୁନାହାନ୍ତି। ଜାନୁଆରିରୁ ଲାଗୁ ହେବାକୁ ଥିବା ନୂଆ ନିୟମରେ ଗ୍ରାହକମାନେ ନିଜେ ନିଜ ପସନ୍ଦର ଚ୍ୟାନେଲ୍କୁ ଚୟନ କରିପାରିବେ। କିନ୍ତୁ, ସମସ୍ୟା ହେଉଛି ପ୍ରତି ଚ୍ୟାନେଲ୍ ପାଇଁ ସେମାନଙ୍କୁ ଅଲଗା ଅଲଗା ଦାମ୍ ଗଣିବାକୁ ପଡ଼ିବ।
ଟିଭି ଉପଭୋକ୍ତାମାନଙ୍କୁ ପ୍ରଥମ ୧୦୦ଟି ଚ୍ୟାନେଲ୍ ପାଇଁ ୧୩୦ ଟଙ୍କା ସହିତ ଟିକସ ଦେବାକୁ ପଡ଼ିବ। କିନ୍ତୁ ସେହି ୧୦୦ ଚ୍ୟାନେଲ୍ ଭିତରେ ଜି, ଷ୍ଟାର୍ କିମ୍ବା ସୋନିର କୌଣସି ଲୋକପ୍ରିୟ ଚ୍ୟାନେଲ୍ ନାହିଁ। ଏହି ସବୁ ପ୍ରସାରଣକାରୀଙ୍କ ଲୋକପ୍ରିୟ ଚ୍ୟାନେଲ୍କୁ ଗ୍ରାହକମାନେ ନିଜ ପସନ୍ଦ ଅନୁସାରେ ଚୟନ କରିବେ। ପ୍ରତି ଚ୍ୟାନେଲ୍ର ଅଲଗା ଅଲଗା ଦର ରହିବ। ସେହି ଅନୁସାରେ ଗ୍ରାହକଙ୍କୁ ପେମେଣ୍ଟ୍ କରିବାକୁ ପଡ଼ିବ। ଦେଶର ପ୍ରମୁଖ ପ୍ରସାରଣକାରୀ ସଂସ୍ଥାଗୁଡ଼ିକ ନିଜର ସବୁ ଚ୍ୟାନେଲ୍ର ଅଲଗା ଅଲଗା ଦର ନିର୍ଧାରଣ କରିଛନ୍ତି। ସେ ବିଷୟରେ ଟିଭି ସ୍କ୍ରିନ୍ରେ ସୂଚନା ପ୍ରଦାନ କରାଯାଇଛି। କେଉଁ ଚ୍ୟାନେଲ୍ ଦାମ୍ କେତେ ତାହା ଗ୍ରାହକମାନେ ଜାଣିପାରିବେ। ଅଧିକାଂଶ ଚ୍ୟାନେଲ୍ର ମୂଲ୍ୟ ୫ ଟଙ୍କାରୁ ୧୯ ଟଙ୍କା ମଧ୍ୟରେ ରହିଛି। କେତେକ ଚ୍ୟାନେଲ୍ର ମୂଲ୍ୟ ୫୦ ଟଙ୍କା କିମ୍ବା ତା’ଠାରୁ ଅଧିକ ମଧ୍ୟ ରହିଛି। ଏକ ଟଙ୍କିଆ ଓ ୫୦ ପଇସା ମୂଲ୍ୟର ଚ୍ୟାନେଲ୍ ମଧ୍ୟ ରହିଛି। କେଉଁ ଚ୍ୟାନେଲ୍ ଦର କେତେ ଟଙ୍କା ରହିବ ତାହାର ତାଲିକାକୁ ପ୍ରସାରଣକାରୀମାନେ ଭାରତୀୟ ଦୂରସଂଚାର ନିୟାମକ କତୃର୍ପକ୍ଷ (ଟ୍ରାଇ) ନିକଟରେ ଦାଖଲ କରିଛନ୍ତି। ଟ୍ରାଇର ଏହି ନୂତନ ନିୟମ ଯୋଗୁ ନୂଆ ବର୍ଷରୁ ସମସ୍ୟା ଆରମ୍ଭ ହୋଇପାରେ ବୋଲି କିଛି କେବୁଲ ଅପରେଟର କହିଛନ୍ତି। ଗ୍ରାହକମାନେ ଏହି ନୂତନ ବ୍ୟବସ୍ଥା ବିଷୟରେ ଆଦୌ ସଚେତନ ହୋଇନଥିବା ବେଳେ ଏହି ଆସନ୍ତା ଦୁଇ ସପ୍ତାହ ଭିତରେ ଲାଗୁ କରିବାକୁ ପଡ଼ିବ। ଏହା ଏକ କଷ୍ଟକର ବ୍ୟାପାର ବୋଲି ସେମାନେ କହିଛନ୍ତି।
ନୂଆବର୍ଷରୁ ଟିଭି ଦେଖା ମହଙ୍ଗା
O ଡିଟିଏଚ୍, କେବୁଲ୍ ବିଲ୍ ବଢ଼ିବ O ସବୁ ଚ୍ୟାନେଲ୍ର ଅଲଗା ଦାମ୍
/sambad/media/post_attachments/wp-content/uploads/2018/12/led-tv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)