ମହଙ୍ଗା ହେବ ଟିଭି, ସ୍ମାର୍ଟଫୋନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ସ୍ମାର୍ଟଫୋନ୍‌, ଟେଲିଭିଜନ୍‌ ସେଟ୍‌, ମାଇକ୍ରୋେଓ୍ଵଭ, ଏଲ୍‌ଇଡି ଲ୍ୟାମ୍ପ ଏବଂ ଅନ୍ୟ କେତେକ ଇଲେକ୍‌ଟ୍ରୋନିକ୍‌ ସାମଗ୍ରୀର ଆମଦାନୀ ଶୁଳ୍କ ବୃଦ୍ଧି କରିଛନ୍ତି। ଫଳରେ ଆଗାମୀ ଦିନରେ ବିଦେଶରୁ ଆମଦାନୀ ହେଉଥିବା ଏସବୁ ସାମଗ୍ରୀ ମହଙ୍ଗା ହୋଇଯିବ। ଘରୋଇ ନିର୍ମାତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ଆମଦାନୀ ଶୁଳ୍କ ବୃଦ୍ଧି କରିଛନ୍ତି। ସ୍ମାର୍ଟଫୋନ୍‌ ଉପରେ ସରକାର ଏବେ ଆଦୌ ଆମଦାନୀ ଶୁଳ୍କ ଆଦାୟ କରୁ ନଥିବାବେଳେ ଏହା ଉପରେ ୧୫ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି। ଏହି ଶୁଳ୍କ ଲାଗୁ ହେବା ଦ୍ୱାରା ଗ୍ରାହକଙ୍କୁ କମ୍‌ ଦାମିଆ ଫୋନ୍‌ ସହିତ ବଣ୍ଡଲ୍‌ ଅଫର୍‌ ପ୍ରଦାନ କରୁଥିବା ଟେଲିକମ୍‌ ସେବା ପ୍ରଦାନକାରୀମାନେ ଅଡ଼ୁଆରେ ପଡ଼ିବେ। ଟେଲିଭିଜନ୍‌ ସେଟ୍‌ ଉପରେ ସୀମା ଶୁଳ୍କ ମଧ୍ୟ ଦୁଇ ଗୁଣ ବୃଦ୍ଧି କରାଯାଇ ୨୦ ପ୍ରତିଶତ ରଖାଯାଇଛି। ସେହିଭଳି ଏଲ୍‌ଇଡି ଲ୍ୟାମ୍ପ ଉପରେ ୨୦ ପ୍ରତିଶତ ଆମଦାନୀ ଶୁଳ୍କ ଆଦାୟ କରିବା ଲାଗି ନିଷ୍ପତ୍ତି ନିଆଯାଇଛି ବୋଲି ଗତକାଲି ରାତିରେ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।
ସେହିଭଳି ମାଇକ୍ରୋେଓ୍ଵଭ ଓଭେନ୍‌ର ସୀମା ଶୁଳ୍କ ମଧ୍ୟ ୨୦ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏତଦ୍‌ବ୍ୟତୀତ ଭିଡିଓ ରେକର୍ଡିଂ ଉପକରଣ ଓ ଟିଭି କ୍ୟାମେରା ଉପରେ ଆମଦାନୀ ଶୁଳ୍କ ବର୍ତମାନର ୧୦ ପ୍ରତିଶତରୁ ୧୫ ପ୍ରତିଶତକୁ ବୃଦ୍ଧି କରାଯାଇଛି। ସେଟ୍‌ଟପ୍‌ ବକ୍ସର ଆମଦାନୀ ଶୁଳ୍କକୁ ମଧ୍ୟ ୨ ଗୁଣ ବୃଦ୍ଧି କରାଯାଇ ୨୦ ପ୍ରତିଶତରେ ରଖାଯାଇଛି। ସେହିଭଳି ଲ୍ୟାମ୍ପ ଏବଂ ଘର ସଜାଇବା ଲାଗି ବ୍ୟବହୃତ ଲାଇଟ୍‌, ସର୍ଚଲାଇଟ୍‌ ଆଦିର ସୀମା ଶୁଳ୍କକୁ ଦୁଇ ଗୁଣ ବୃଦ୍ଧି କରାଯାଇ ୨୦ ପ୍ରତିଶତରେ ରଖାଯାଇଛି। ଏତଦ୍‌ବ୍ୟତୀତ ବିଦ୍ୟୁତ୍‌ ମିଟରର ଆମଦାନୀ ଶୁଳ୍କ ୧୦ ପ୍ରତିଶତରୁ ୧୫ ପ୍ରତିଶତକୁ ବୃଦ୍ଧି କରାଯାଇଛି।

ସମ୍ବନ୍ଧିତ ଖବର