ଚର୍ଚ୍ଚିତ ବ୍ୟକ୍ତିଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌ ହ୍ୟାକ୍ କରି ଠକେଇ: ଓବାମା, ବିଲ୍‌ ଗେଟସ୍‌, ବେଜୋସ୍‌ଙ୍କ ଭେରିଫାଏଡ୍‌ ଆକାଉଣ୍ଟ୍‌ ହ୍ୟାକ୍

ଜାଲ୍‌ ଟୁଇଟ୍‌ ପଠାଇ ଲୁଟିଲେ, ୮୯ ଲକ୍ଷ ଟଙ୍କା ନେଇଗଲେ

ନୂଆଦିଲ୍ଲୀ/ୱାସିଂଟନ: ପ୍ରଥମ ଥର ଲାଗି ଆମେରିକାର ଚର୍ଚ୍ଚିତ ବ୍ୟକ୍ତିମାନଙ୍କ ଭେରିଫ‌ାଏଡ୍‌ ଟ୍ବିଟର୍‌ ଆକାଉଣ୍ଟ୍‌ ହ୍ୟାକ୍‌ ଜରି ବଡ଼ଧରଣର ଠକେଇ କରିବାରେ ହ୍ୟାକର୍‌ମାନେ ସଫଳ ହୋଇଛନ୍ତି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା, ଆମାଜନ୍ ମୁଖ୍ୟ ଜେଫ୍‌ ବେଜୋସ୍‌, ମାଇକ୍ରୋସଫ୍‌ଟ ମୁଖ୍ୟ ବିଲ୍‌ ଗେଟସ୍‌, ବ୍ଲୁମ୍‌ବର୍ଗର ମୁଖ୍ୟ ମାଇକ୍ ବ୍ଲୁମ୍‌ବର୍ଗ, ଆମେରିକାର ପରବର୍ତୀ ରାଷ୍ଟ୍ରପତି ଦୌଡ଼ରେ ଥିବା ପ୍ରାର୍ଥୀ ଜୋ ବାଇଡେନ୍, କିମ୍ କାଦର୍ସିଆନ୍, କାନି ୱେଷ୍ଟ୍‌ ଓ ଟେସ୍‌ଲା ମୁଖ୍ୟ ଏଲନ୍ ମସ୍କଙ୍କ ଭଳି ଅନେକ ହାଇପ୍ରୋଫାଇଲ୍‌ ବ୍ୟକ୍ତିବିଶେଷଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌କୁ ହ୍ୟାକ୍ କରାଯାଇଥିଲା। ‌ସେହି ଆକାଉଣ୍ଟ୍‌କୁ ବ୍ୟବହାର କରି ବିଭିନ୍ନ ଲୋକଙ୍କ ପାଖକୁ ହ୍ୟାକର୍‌ମାନେ ଲୋଭନୀୟ ଅଫର ଥିବା ଜାଲ୍ ଟୁଇଟ୍‌ ପଠାଇଥିଲେ। ଅନେକ ଟ୍ବିଟର୍‌ ବ୍ୟବହାରକାରୀ ତାହାକୁ ସତ ଭାବି ସେହି ଠକେଇ ଜାଲରେ ପଡ଼ିଯାଇଥିଲେ। ବଡ଼ବଡ଼ିଆ ଲୋକଙ୍କ ହ୍ୟାକ୍ ହୋଇଥିବା ଆକାଉଣ୍ଟ୍‌ ଜରିଆରେ ହ୍ୟାକର୍‌ମାନେ ୮୯ ଲକ୍ଷ ଟଙ୍କା ଠକେଇ କରିବାରେ ସଫଳ ହୋଇଛନ୍ତି। ଯେଉଁ ବଡ଼ବଡ଼ିଆ ଲୋକମାନଙ୍କୁ ଆକାଉଣ୍ଟ୍‌ ହ୍ୟାକ୍ କରାଯାଇଥିଲା ସେମାନଙ୍କର ସାରା ବିଶ୍ବରେ କୋଟି କୋଟି ଅନୁଗାମୀ (ଫଲୋଅର) ଅଛନ୍ତି। ସେମାନଙ୍କ ପ୍ରତିଟି ଶବ୍ଦକୁ ଲୋକମାନେ ଗୁରୁତ୍ବର ସହ ନେଇଥାନ୍ତି।

ସେହି କଥାକୁ ଭଲ ଭାବେ ବୁଝିଥିବା ହ୍ୟାକର୍‌ମାନେ ଅତି ଚତୁରତାର ସହିତ ପ୍ରତି ବଡ଼ବଡ଼ିଆଙ୍କ ଆକାଉଣ୍ଟ୍‌ରୁ ଲୋକମାନଙ୍କ ପାଖକୁ ସ୍ବତନ୍ତ୍ର ପ୍ରକାର ଜାଲ୍‌ ଟୁଇଟ୍ ପଠାଇଥିଲେ। ମାଇକ୍ରୋସଫ୍‌ଟର ମୁଖ୍ୟ ବିଲ୍‌ ଗେଟସ୍‌ଙ୍କ ଆକାଉଣ୍ଟ୍‌ରୁ ହ୍ୟାକର୍‌ମାନେ ଜାଲ୍‌ ଟୁଇଟ୍‌ କରି ଲେଖିଥିଲେ ଯେ, ‘ପ୍ରତିଟି ଲୋକ ମୋତେ କିଛି ଫେରାଇବା ଲାଗି କହୁଛନ୍ତି ଏବଂ ଏବେ ସେହି ସମୟ ଆସିଛି। ଆସନ୍ତା ୩୦ ମିନିଟ୍‌ ଭିତରେ ମୋ ଠିକଣାରେ ମୁଁ ଦୁଇ ଗୁଣା ପେମେଣ୍ଟ୍‌ ଦେବି। ଯଦି ଆପଣମାନେ ୧୦୦୦ ଡଲାର ପଠାଇବ ମୁଁ ଆପଣଙ୍କୁ ୨୦୦୦ ଡଲାର ପଠାଇବି।’ ବିଲ୍‌ ଗେଟସ୍‌ଙ୍କ ସେହି ଟୁଇଟ୍‌କୁ ଯେଉଁମାନେ ବିଶ୍ବାସକୁ ନେଇଥିଲେ ସେମାନେ ଠକେଇର ଶିକାର ହୋଇଛନ୍ତି। ସେହିପରି, ଟେସଲା ମୁଖ୍ୟ ଏଲନ୍ ମସ୍କଙ୍କ ଟ୍ବିଟର୍‌ ହ୍ୟାଣ୍ଡେଲ୍‌କୁ ବ୍ୟବହାର କରି ହ୍ୟାକର୍‌ମାନେ ଟୁଇଟ୍‌ କରିଥିଲେ ଯେ, ‘ନିମ୍ନରେ ଦିଆଯାଇଥିବା ମୋ ଠିକଣାରେ ଯେଉଁମାନେ ବିଟ୍‌କଏନ୍ ପଠାଇବେ ମୁଁ ସେମାନଙ୍କୁ ତାହାର ଦୁଇଗୁଣା ବିଟ୍‌କଏନ୍ ପଠାଇବ। ଯଦି ଆପଣ ୧୦୦୦ ଡଲାର ପଠାଇବେ, ମୁଁ ୨୦୦୦ ଡଲାର ଫେରାଇବି’। ଟ୍ବିଟର୍‌ ବ୍ୟବହାରକାରୀମାନେ ଏହି ଟୁଇଟ୍‌କୁ ଏଥିପାଇଁ ବିଶ୍ବାସକୁ ନେଇଥ‌ିଲେ, କାରଣ ହ୍ୟାକର୍‌ମାନେ ବଡ଼ବଡ଼ିଆଙ୍କ ଭେରିଫାଏଡ୍‌ ଆକାଉଣ୍ଟ୍‌କୁ ହ୍ୟାକ୍ କରି ସେଥିରୁ ଟୁଇଟ୍‌ ପଠାଇଥିଲେ। ବିଟ୍‌କଏନ୍ ମାଧ୍ୟମରେ ଏହି ଠକେଇ ହୋଇଛି। ବିଟ୍‌କଏନ୍ ହେଉଛି ଏକ ପ୍ରକାର ଡିଜିଟାଲ୍ ମୁଦ୍ରା ଯାହା ଇଣ୍ଟରନେଟ୍ ଜଗତରେ କାରବାର ହୋଇଥାଏ। ଏହା ଉପରେ ବିଶ୍ବର କୌଣସି କେନ୍ଦ୍ରୀୟ ବ୍ୟାଙ୍କର ନିୟନ୍ତ୍ରଣ ନାହିଁ। କିଛି ବର୍ଷ ପୂର୍ବରୁ ଏହି ମୁଦ୍ରା ଚର୍ଚ୍ଚାକୁ ଆସିଥିଲା। ଏବେ ଗୋଟିଏ ବିଟ୍‌କଏନ୍‌ର ଦାମ୍ ୯,୧୧୩ ଡଲାର ଭଳି ଉଚ୍ଚ ସ୍ତରରେ ରହିଛି।

ଏହି ବଡ଼ ଧରଣର ହ୍ୟାକିଂ ପରେ ଭେରିଫାଏଡ୍‌ ଟ୍ବିଟର୍‌ ଆକାଉଣ୍ଟ୍‌ର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଏସଂକ୍ରାନ୍ତରେ ଟ୍ବିଟର୍‌ ପକ୍ଷରୁ ସଫେଇ ଦିଆଯାଇଛି ଯେ ସମନ୍ବୟ ରକ୍ଷା କରି ଏହି ସାମାଜିକ ଆକ୍ରମଣ କରାଯାଇଥିଲା। ଆମର କିଛି କର୍ମଚାରୀଙ୍କୁ ଟାର୍ଗେଟ୍‌ କରି ହ୍ୟାକର୍‌ମାନେ କଂପାନିର ଆଭ୍ୟନ୍ତରୀଣ ସିଷ୍ଟମ୍ ଓ ଟୁଲସ୍‌ଗୁଡ଼ିକୁ ହାସଲ କରିବାରେ ସଫଳ ହୋଇଥିଲେ। ଏହା ପରେ ସେମାନେ ଅନେକ ବଡ଼ବଡ଼ିଆ ଓ ଚର୍ଚ୍ଚିତ ଲୋକମାନଙ୍କ ଆକାଉଣ୍ଟ୍‌କୁ ନିଜ ନିୟନ୍ତ୍ରଣକୁ ନେଇ ଜାଲ୍‌ ଟୁଇଟ୍ ପଠାଇଥିଲେ। ହ୍ୟାକିଂ ବିଷୟରେ ଜଣାପଡ଼ିବା ପରେ ଟ୍ବିଟର୍‌ ପକ୍ଷରୁ ପ୍ରଭାବିତ ହୋଇଥିବା ସମସ୍ତ ଆକାଉଣ୍ଟ୍‌କୁ ତୁରନ୍ତ ଲକ୍‌ କରିଦିଆଯାଇଥିଲା ଏବଂ ସେଥିରୁ କରାଯାଇଥିବା ଜାଲ୍ ଟୁଇଟ୍‌ଗୁଡ଼ିକୁ ଡିଲିଟ୍ କରାଯାଇଛି। କ୍ରିପ୍‌ଟୋ ମୁଦ୍ରା ବିଶେଷଜ୍ଞ ବେନ୍‌ସନ୍ ସାମୁଏଲ୍‌ କହିଛନ୍ତି ଯେ, ନିୟମିତ ବ୍ୟବଧାନରେ ଏଭଳି ଠକେଇ ହେଉଛି। ବିଟ୍‌କଏନ୍ ଚର୍ଚ୍ଚାକୁ ଆସିବା ପରେ ଲୋକମାନଙ୍କୁ ଆକାଉଣ୍ଟ୍‌ ହ୍ୟାକ୍‌ କରି ସେମାନଙ୍କୁ ବିଟ୍‌କଏନ୍ ପଠାଇବାକୁ ବାଧ୍ୟ କରାଯାଉଥିଲା। କେବେବି ସହଜରେ କିଛି ମିଳେ ନାହିଁ। ଏହି କଥାକୁ ମନରେ ରଖି ଲୋଭନୀୟ ଅଫର ଦେଖିବା ପରେ ସେ ବିଷୟରେ ଅତିକମ୍‌ରେ ଦୁଇ ଥର ଭାବିବାକୁ ସେ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧିତ ଖବର