ବ୍ଲୁ ଟିକ୍ ପାଇଁ ୮ ଡଲାର କାର୍ଯ୍ୟକ୍ରମ ବାତିଲ କଲା ଟ୍ବିଟର

ନୂଆଦିଲ୍ଲୀ : ନକଲି ଆକାଉଣ୍ଟ୍‌ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବା ପରେ ଟ୍ବିଟର ପକ୍ଷରୁ ବ୍ଲୁ ଟିକ୍ ପାଇଁ ଆରମ୍ଭ କରାଯାଇଥିବା ୮ ଡଲାର କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ବ୍ଲୁ ସବ୍‌ସ୍କ୍ରିପ୍‌ସନ୍ ପାଇଁ ୮ ଡଲାର ଦେବାକୁ ପଡ଼ିବ ବୋଲି କଂପାନିର ନୂଆ ମାଲିକ ଏଲନ୍ ମସ୍କ ଘୋଷଣା କରିବା ପରଠାରୁ ନକଲି ଆକାଉଣ୍ଟ୍‌ ସଂଖ୍ୟା ବଢ଼ିଚାଲିଛି। ସେହି ସମସ୍ୟାରର ମୁକାବିଲା କରିବା ଲାଗି ୮ ଡଲାର କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି।

ଅନ୍ୟ ପକ୍ଷରେ ଆୟ ବଢ଼ାଇବ‌ାରେ ବିଫଳ ହେଲେ ଟ୍ବିଟର ଦେବାଳିଆ ହେବାର ଆଶଙ୍କା ରହିଛି ବୋଲି ଆଜି ମସ୍କ କହିଛନ୍ତି। କର୍ମଚାରୀମାନଙ୍କୁ ପଠାଇଥିବା ଇ-ମେଲ୍‌ରେ ସେ ଏହା ଜଣାଇଛନ୍ତି। କଂପାନିରେ ୱାର୍କ ଫ୍ରମ୍ ହୋମ୍‌ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବନ୍ଦ କରିଥିବା ବେଳେ ସପ୍ତାହକୁ ୪୦ ଘଣ୍ଟା ଅଫିସରେ ରହି କାର୍ଯ୍ୟ କରିବାକୁ ସେ କହିଛନ୍ତି। ଯେଉଁମାନେ ଏହି ନିୟମ ପାଳନ କରିବେନି ସେମାନେ ବିଭିନ୍ନ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେବେ ବୋଲି ମସ୍କ ସ୍ପଷ୍ଟ କରିଛନ୍ତି। ଟ୍ବିଟରରୁ ବରିଷ୍ଠ ଅଧିକାରୀମାନଙ୍କ ଇସ୍ତଫା ଜାରି ରହିଛି। କଂପାନିକୁ ୪୪୦୦ କୋଟି ଡଲାରରେ କିଣିବା ପରେ ମସ୍କ ଯେଉଁ ନୂଆ ଟିମ୍ ଗଠନ କରିଥିଲେ, ସେଥିରୁ ମଧ୍ୟ କିଛି ଅଧିକାରୀ ଇସ୍ତଫା ଦେଇଥିବା ଜଣାପଡ଼ିଛି। କଂପାନିକୁ ମସ୍କ କିଣିବା ପରେ ବିଜ୍ଞାପନଦାତାମାନେ ଟ୍ବିଟରଠାରୁ ଦୂରେଇ ଯାଇଛନ୍ତି।

ସମ୍ବନ୍ଧିତ ଖବର