ଚାକିରି ଯିବା ଡରଠାରୁ ଏହି କାରଣ ପାଇଁ ଅଧିକ ଚିନ୍ତିତ ଅଛନ୍ତି ଟ୍ବିଟର ସିଇଓ ପରାଗ ଅଗ୍ରୱାଲ

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆ ଟ୍ୱିଟରର ନୂଆ ମାଲିକ ହୋଇଛନ୍ତି ଟେସଲା ସିଇଓ ଏଲନ୍ ମସ୍କ। ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ମାଲିକ ବଦଳିବା ପରେ କମ୍ପାନିର ନୂଆ ସିଇଓ କିଏ ହେବ? ମସ୍କଙ୍କ ହାତକୁ ଟ୍ବିଟର ଯିବା ପରେ ସେ ପରାଗଙ୍କୁ ହଟାଇ ଆଉ କାହାକୁ ସିଇଓ କରିବେ କି ? ଏଭଳି ଅନେକ ପ୍ରଶ୍ନକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ପରାଗଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ, ଚାକିରି ହରାଇବାର ଡରଠାରୁ ମୋତେ କମ୍ପାନିର ଭବିଷ୍ୟତକୁ ନେଇ ଚିନ୍ତା ଲାଗିଲାଣି।

ନିକଟରେ ଜଣେ ଟୁଇଟର ବ୍ୟବହାରକାରୀ ଟ୍ୱିଟ୍ କରିଥିଲେ ଯେ ସେ ଟ୍ୱିଟର ସିଇଓ ପରାଗ ଅଗ୍ରୱାଲଙ୍କ ପାଇଁ ଦୁଃଖିତ। ତାଙ୍କ ପାଖରେ ଟ୍ବିଟରକୁ ନେଇ ଅନେକ ଯୋଜନା ଥିଲା କିନ୍ତୁ ବର୍ତ୍ତମାନ ତାଙ୍କର ଏବଂ ତାଙ୍କ ପୁରା ଟିମର ଭବିଷ୍ୟତ ଅନିଶ୍ଚିତତା ଭିତରେ ରହିଛି। ଏହି ଟୁଇଟର ଜବାବରେ ପରାଗ ଅଗ୍ରୱାଲ କହିଛନ୍ତି ଯେ ମୁଁ ମୋ ଚାକିରି ପାଇଁ ଚିନ୍ତିତ ନୁହେଁ। ମୁଁ କମ୍ପାନିର ଭବିଷ୍ୟତ ବିଷୟରେ ଚିନ୍ତା କରୁଛି। ମୋ ପାଇଁ ଦୁଃଖିତ ହୁଅନ୍ତୁ ନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଟ୍ବିଟରର ସେବା ଏବଂ ଏହାକୁ ଉନ୍ନତ କରୁଥିବା ଲୋକ।

ଏହା ପୂର୍ବରୁ ମସ୍କଙ୍କ ହାତକୁ ଟ୍ବିଟର ଯିବା ପରେ ପରାଗ କମ୍ପାନିରୁ ବାହାରିଯିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ପରାଗ କହିଥିଲେ ଯେ, ମୁଁ ଏବେ ବି ଅଛି। ଟ୍ବିଟରରେ ଉନ୍ନତି ଆଣିବା ପାଇଁ, ଟ୍ବିଟର ସେବାକୁ ସଂଶୋଧନ ଏବଂ ସେବାକୁ ମଜବୁତ କରିବା ପାଇଁ ମୁଁ କମ୍ପାନିର ସିଇଓ ହୋଇଥିଲି। ମୁଁ ମୋ କର୍ମଚାରୀମାନଙ୍କ ପାଇଁ ଗର୍ବିତ, ଯେଉଁମାନେ ଏତେ ସବୁ ସମସ୍ୟା ମଧ୍ୟରେ ଅନବରତ ଭାବେ କାର୍ଯ୍ୟ ଜାରି ରଖିଛନ୍ତି।

ତେବେ ଯଦି ଟ୍ୱିଟର ସିଇଓ ପରାଗ ଅଗ୍ରୱାଲଙ୍କୁ ବରଖାସ୍ତ କରାଯାଏ, ତେବେ କମ୍ପାନୀ ତାଙ୍କୁ ୪୨ମିଲିୟନ ଡଲାର ଦେବ। ଯଦି ଏହି ଡିଲର ୧୨ମାସ ମଧ୍ୟରେ ତାଙ୍କୁ କମ୍ପାନିରୁ ବରଖାସ୍ତ କରାଯାଏ, ତେବେ ତାଙ୍କୁ ୪୨ ମିଲିୟନ୍ ଡଲାର୍ ମିଳିବ।

ସମ୍ବନ୍ଧିତ ଖବର