ଟ୍ବିଟର ନିୟମ ପାଳନ କରୁନି, କଂପାନିକୁ ଦିଲ୍ଲୀ ହାଇକୋର୍ଟର ନୋଟିସ୍‌

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଘୋଷଣା କରିିଥିବା ନୂଆ ପ୍ରଯୁକ୍ତି ନିୟମକୁ ଫେସ୍‌ବୁକ୍, ଗୁଗୁଲ୍‌ ଭଳି ବଡ଼ ସଂସ୍ଥା ପାଳନ କରିଥିବା ବେଳେ ଟ୍ବିଟର୍‌ ଆଜି ପର୍ଯ୍ୟନ୍ତ ଏହି ନିୟମକୁ ପାଳନ କରୁନାହିଁ। ଡିଜିଟାଲ୍‌ ମିଡିଆ ଲାଗି ସରକାର ଆଣିଥିବା ନିୟମକୁ ଟ୍ବିଟର୍‌ ପାଳନ କରିବାକୁ ପଡ଼ିବ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ବିଚାରପତି ରେଖା ପାଲ୍ଲି ଆଜି ଏନେଇ କଂପାନିକୁ ନୋଟିସ୍‌ ଜାରି କରିଛନ୍ତି। ଏହି ପ୍ରସଙ୍ଗରେ କଂପାନିର ଆଭିମୁଖ୍ୟ କ’ଣ ରହିଛି ତାହା ଜାଣିବା ଲାଗି କୋର୍ଟ ଚାହିଛନ୍ତି। କଂପାନିର ପ୍ରବକ୍ତା ଆଜି କହିଛନ୍ତି ଯେ କଂପାନି ନୂଆ ନିୟମ ପାଳନ କରିବ।

ଟ୍ବିଟର୍‌ ପକ୍ଷରୁ କୁହାଯାଇଛି ଯେ ଆମେ ନିୟମକୁ ପାଳନ କରିଛୁ। ରେସିଡେଣ୍ଟ୍‌ ଗ୍ରିଭାନ୍ସ ଅଫିସର ନିଯୁକ୍ତ କରିଛୁ। କିନ୍ତୁ କଂପାନିର ଦାବିକୁ ସରକାର ଖଣ୍ଡନ କରିଛନ୍ତି। ଯେପର୍ଯ୍ୟନ୍ତ ଏହି ନିୟମ ଉପରେ ରୋକ ନଲାଗିଛି ସେପର୍ଯ୍ୟନ୍ତ କଂପାନିକୁ ନିୟମ ପାଳନ କରିବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି। କିଛି ଟୁଇଟ୍‌ ଉପରେ ଅଭିଯୋଗ କରିବା ଲାଗି ପ୍ରୟାସ କରାଯିବା ବେଳେ ଟ୍ବିଟର୍‌ ଏହି ନିୟମ ପାଳନ କରିନଥିବା ଜଣାପଡ଼ିଥିଲା। ତାହାକୁ ନେଇ ଆଇନଜୀବୀ ଆକାଶ ବାଜପେୟୀ ଓ ମନିଷ କୁମାର ଆଚାର୍ଯ୍ୟ କୋର୍ଟରେ ମାମଲା ରୁଜୁ କରିଥିଲେ। ସେହି ମାମଲାର ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ରିପୁଦମନ ସିଂହ ଭାରଦ୍ବାଜ କହିଥିଲେ ଯେ କଂପାନି ନିୟମ ପାଳନ କରିନାହିଁ। ଆବେଦନକାରୀ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ କେନ୍ଦ୍ର ସରକାର ଚଳିତ ବର୍ଷ ଫେବ୍ରୁଆରି ୨୫ରେ ନୂଆ ଆଇଟି ନିୟମ ଘୋଷଣା କରିଥିଲେ। ଏହାକୁ ପାଳନ କରିବା ଲାଗି ତିନି ମାସର ସମୟ ଦିଆଯାଇଥିଲା। ଅନ୍ୟ ପ୍ରମୁଖ ଇଣ୍ଟରନେଟ୍ କଂପାନିଗୁଡ଼ିକ ଏହି ନିୟମକୁ ପାଳନ କରି ଅଭିଯୋଗ ସମାଧାନ ଲାଗି ଅଫିସର ନିଯୁକ୍ତ କରିବା ସହ ସେମାନଙ୍କ ବିବରଣୀ ଜାରି କରିଛନ୍ତି। କିନ୍ତୁ ଟ୍ବିଟର ଏପର୍ଯ୍ୟନ୍ତ ନିୟମ ପାଳନ କରୁନାହିଁ।

ଟୁଲ୍‌କିଟ୍‌ ମାମଲାକୁ ନେଇ ଟ୍ବିଟର୍ ଓ ସରକାରଙ୍କ ଭିତର ମୁହାଁମୁହିଁ ସ୍ଥିତି ରହିଛି। କିଛି ଦିନ ତଳେ କଂପାନିର ଗୁରୁଗାଓଁ କାର୍ଯ୍ୟାଳୟରେ ଦିଲ୍ଲୀ ପୁଲିସ ପହଞ୍ଚିଥିଲା। ସେହି ପ୍ରସଙ୍ଗକୁ କଂପାନି ସହଜରେ ଗ୍ରହଣ କରିପାରିନାହିଁ। ପୁଲିସ ଜରିଆରେ ଡରାଇବା ଓ ଧମକାଇବା ଲାଗି ଉଦ୍ୟମ ହେଉଛି। ଭାରତ ସରକାରଙ୍ଗ ଇଙ୍ଗିତରେ କଂପାନି ବିରୋଧରେ ମାମଲା ରୁଜୁ ହୋଇଛି ବୋଲି ଟ୍ବିଟର ଅଭିଯୋଗ କରିଥିଲା। ସମସ୍ତ ଅଭିଯୋଗକୁ ଉଭୟ କେନ୍ଦ୍ର ସରକାର ଓ ଦିଲ୍ଲୀ ପୁଲିସ ଖଣ୍ଡନ କରିଛନ୍ତି। ଏପଟସେପଟ ନ‌ହୋଇ କଂପାନି ନିୟମ ପାଳନ କରୁ ବୋଲି ସରକାର ରୋକଠୋକ୍ ଶୁଣାଇଛନ୍ତି। ନୂଆ ଆଇଟି ନିୟମରେ ବାର୍ତାର ଉତ୍ସ ଜଣାଇବା ଲାଗି ଯେଉଁ ବ୍ୟବସ୍ଥା ରହିଛି ତାହା ମୁକ୍ତ ଓ ଅବାଧ ଭାବେ ନିଜକୁ ପରିପ୍ରକାଶ କରିବା ଲାଗି ରହିଥିବା ଅଧିକାରର ଉଲ୍ଲଂଘନ ବୋଲି କଂପାନି ଦାବି କରିଛି। ବ୍ୟକ୍ତିଗତ ଗୋପନୀୟତାର ଏହା ଖୋଲାଖୋଲି ଉଲ୍ଲଘଂନ ବୋଲି କଂପାନି କହିଛି। କଂପାନିର ସେହି ମନ୍ତବ୍ୟକୁ ଭରତ ସରକାର କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଭାରତର ଭାବମୂର୍ତ୍ତୀ ଖରାପ କରିବା ଲାଗି ଟ୍ବିଟର୍‌ ଏଭଳି ମନ୍ତବ୍ୟ ଦେଇଥିବା ସରକାର କିଛନ୍ତି।

ସମ୍ବନ୍ଧିତ ଖବର