ବେଙ୍ଗାଲୁରୁ: ବିଶ୍ବର ଏକ ନମ୍ବର ଧନୀ ଏଲନ୍‌ ମସ୍କଙ୍କ ମାଲିକାନାରେ ପରିଚାଳିତ ହେଉଥିବା ସୋସିଆଲ ମିଡିଆ ଟ୍ବିଟରକୁ ଭାରତରେ ଶକ୍ତ ଧକ୍କା ଲାଗିଛି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ବି‌ରୋଧରେ କର୍ଣ୍ଣାଟକ ହାଇକୋର୍ଟ ଯାଇଥିବା ଟ୍ବିଟର୍‌ କେସ୍ ହାରିଯାଇଛି। କଂପାନିର ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। କେନ୍ଦ୍ର ସରକାରଙ୍କ ନି‌ର୍ଦ୍ଦେଶ ପାଳନ କରିବା ପରିବର୍ତ୍ତେ ତାହାକୁ କୋର୍ଟରେ ଚ୍ୟାଲେଞ୍ଜ୍‌ କରିଥିବାରୁ ଜଷ୍ଟିସ୍‌ କ୍ରିଷ୍ଣା ଏସ୍‌ ଦିକ୍ଷୀତ କଂପାନି ଉପରେ ୫୦ ଲକ୍ଷ ଟଙ୍କାର ଜରିମାନା ଲାଗୁ କରିଛନ୍ତି। ଆସନ୍ତା ୪୫ ଦିନ ଭିତରେ ଜରିମାନା ଦାଖଲ କରିବାକୁ କହିଛନ୍ତି। ସେଥିରେ ବିଳମ୍ବ ହେଲେ ପ୍ରତ୍ୟେକ ଦିନ ଲାଗି ଅତିରିକ୍ତ ୫୦୦୦ ଟଙ୍କା ଲେଖାଏଁ ଗଣିବାକୁ ପଡ଼ିବ ବୋଲି ଜଷ୍ଟିସ୍‌ ଦିକ୍ଷୀତ ସ୍ପଷ୍ଟ କରିଛନ୍ତି।

Advertisment

୨୦୨୧ ଫେବ୍ରୁଆରି ୨ରୁ ୨୦୨୨ ଫେବ୍ରୁଆରି ୨୮ ଭିତରେ ବହୁ ପୋଷ୍ଟ୍‌ ଓ ଆକାଉଣ୍ଟ୍‌ ବ୍ଲକ୍ କରିବା ଲାଗି ଟ୍ବିଟରକୁ କେନ୍ଦ୍ର ସରକାର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଥିଲେ। ୧୪୭୪ ଆକାଉଣ୍ଟ୍‌, ୧୭୫ ଟୁଇଟ୍‌ ଓ ୨୫୬ ୟୁଆର୍‌ଏଲ୍‌ ଓ ଗୋଟିଏ ହାସ୍‌ଟ୍ୟାଗ୍‌ ବ୍ଲକ୍ କରିବାକୁ ସରକାର କଂପାନିକୁ କହିଥିଲେ। ସରକାରଙ୍କ ନିର୍ଦ୍ଦେଶ ପାଳନ କରିବା ପରିବର୍ତ୍ତେ କଂପାନି କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ସୋସିଆଲ ମିଡିଆ ଆକାଉଣ୍ଟ୍‌ ବ୍ଲକ୍ କରିବା ଲାଗି ନିର୍ଦ୍ଦେଶ ଦେବାର କ୍ଷମତା ସରକାରଙ୍କ ନଥିବା ଟ୍ବିଟର କହିଥିଲା। ସେଭଳି ପଦକ୍ଷେପ ନେବା ପୂର୍ବରୁ ତାହା ପଛର କାରଣ ବିଷୟରେ ବ୍ୟବହାରକାରୀଙ୍କୁ ଆଗୁଆ ସୂଚିତ କରିବା ଜରୁରୀ ବୋଲି କଂପାନି ଯୁକ୍ତି ବାଢ଼ିଥିଲା। ସରକାରଙ୍କ କିନ୍ତୁ କହିଥିଲେ ଯେ ଯେହେତୁ ଟ୍ବିଟର ଏକ ବିଦେଶୀ କଂପାନି ତାହା ଭାରତୀୟ ସମ୍ବିଧାନ ଏହାର ନାଗରିକମାନଙ୍କୁ ଯେଉଁ ଅଧିକାର ଦେଇଛି ତାହାକୁ ଉଲ୍ଲଂଘନ କରିପାରିବନି।

ଆକାଉଣ୍ଟ୍‌ ଖୋଲିଥିବା ଲୋକଙ୍କ ତରଫରୁ ଟ୍ବିଟର କିଛି କରିପାରିବନି ବୋଲି ସରକାର କହିଥିଲେ। ଏହି ମାମଲାରେ ଉଭୟ ପକ୍ଷ ଯୁକ୍ତି ଶୁଣିବା ପରେ ଗତ ଏପ୍ରିଲ୍‌ ୨୧ରେ ହାଇକୋର୍ଟ ରାୟ ସ୍ଥଗିତ ରଖିଥିଲେ। ସୋସିଆଲ ମିଡିଆ ଉପରେ ନିୟନ୍ତ୍ରଣ ହାସଲ କରିବା ଲାଗି ଭାରତ ସରକାର ଲାଗୁ କରିଥିବା ଆଇଟି ନିୟମକୁ ଟ୍ବିଟର ପ୍ରବଳ ବିରୋଧ କରିଥିଲା। ଏହା ଲୋକମାନଙ୍କ ବାକ୍ ସ୍ବାଧୀନତାର ଉଲ୍ଲଂଘନ ବୋଲି କହିଥିଲା। ସେହି ସମୟରେ ସରକାର ଓ ଟ୍ବିଟର ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ତିକ୍ତ ଥିଲା। ଅବଶ୍ୟ, ଟ୍ବିଟର ଭିନ୍ନ ଏକ କର୍ତ୍ତୃପକ୍ଷଙ୍କ ଜରିଆରେ ସେତେବେଳେ ପରିଚାଳିତ ହେଉଥିଲା। ତାହାର ସିଇଓ ଭାବେ ପ୍ରବାସୀ ଭାରତୀୟ ପରାଗ ଅଗ୍ରୱାଲ୍ କାମ କରୁଥିଲେ। ତା’ପୂର୍ବରୁ ଜ୍ୟାକ୍ ଡୋର୍ସି ଟ୍ବିଟରର ସିଇଓ ଥିଲେ। ନିକଟରେ ଡୋର୍ସି କହିଥିଲେ ଯେ ପୋଷ୍ଟ୍‌ ହଟାଇବା ଲାଗି ଭାରତ ସରକାର ଟ୍ବିଟର ଉପରେ ଚାପ ପକାଉଥିଲେ। ତାଙ୍କ ସେହି ମନ୍ତବ୍ୟକୁ ନେଇ ଦେଶରେ ରାଜନୀତି ସରଗରମ ହୋଇଥିଲା। କିନ୍ତୁ ଟ୍ବିଟରକୁ କିିଣିିଥିବା ନୂଆ ମାଲିକ ଏଲନ୍ ମସ୍କ ଭିନ୍ନ ମତ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ସମୟରେ ତାଙ୍କୁ ସାକ୍ଷାତ କରିବା ବେଳେ ସାମ୍ବାଦିକଙ୍କ ସହ ଆଲୋଚନା କରି ମସ୍କ କହିଥିଲେ ଯେ ଟ୍ବିଟର ଯେଉଁ ଦେଶରେ କାମ କରୁଛି ସେହି ଦେଶର ନିୟମ ମାନିବାକୁ ପଡ଼ିବ। ଭାରତ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ସେ ଏହା କହିଥିଲେ।