ଟ୍ବିଟର କ୍ରୟ ପ୍ରସଙ୍ଗ: ମସ୍କଙ୍କ ଅଫରକୁ ସାଉଦି ପ୍ରିନ୍ସଙ୍କ ବିରୋଧ

ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ସେବା ପ୍ରଦାନ କରୁଥିବା ସାମାଜିକ ଗଣମାଧ୍ୟମ କମ୍ପାନି ଟ୍ବିଟରକୁ କିଣିବା ପାଇଁ ଟେସଲା ଏବଂ ସ୍ପେସ‌୍‌ଏକ୍ସ ସିଇଓ ଏଲନ ମସ୍କ ଦେଇଥିବା ପ୍ରସ୍ତାବକୁ ସାଉଦି ଯୁବରାଜ କଡ଼ା ବିରୋଧ କରିଛନ୍ତି। ମସ୍କ ଟ୍ବିଟରକୁ ନଗଦ ୪୩୦୦ କୋଟି ଡଲାରରେ କିଣିବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ସାଉଦି ଯୁବରାଜ ଅଲୱାଲିଦ୍ ବିନ୍ ତଲାଲଙ୍କ ସହ ଅନ୍ୟ କେତେକ ବଡ଼ ନିବେଶକ ବିରୋଧ କରିଛନ୍ତି। ସେମାନେ ଟ୍ବିଟର ଅଧ୍ୟକ୍ଷ ବ୍ରେଟ୍ ଟେଲରଙ୍କୁ ଏହା ଜଣାଇଛନ୍ତି। ସେୟାର ପିଛା ୫୪.୨୦ ଡଲାରରେ କିଣିବା ପାଇଁ ଏଲନ ମସ୍କ ଯେଉଁ ପ୍ରସ୍ତାବ ଦେଇଛନ୍ତି କମ୍ପାନିର ଭବିଷ୍ୟତ ଅଭିବୃଦ୍ଧି ଦୃଷ୍ଟିରୁ ତାହା ଅନ୍ତର୍ନିହିତ ମୂଲ୍ୟକୁ ପ୍ରତିଫଳିତ କରୁନାହିଁ ବୋଲି ତଲାଲ ଟ୍ବିଟ୍ କରିଛନ୍ତି। ଜଣେ ବୃହତ୍ ଏବଂ ପୁରୁଣା ସେୟାରଧାରକଭାବେ ମୁଁ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରୁଛି ବୋଲି ତଲାଲ କହିଛନ୍ତି। ତଲାଲ ଉକ୍ତ ଟ୍ବିଟରେ ଏକ ପୋଷ୍ଟକୁ ଟ୍ୟାଗ୍ କରିଛନ୍ତି ଯେଉଁଥିରେ ସେ ଦାବି କରିଛନ୍ତି ତାଙ୍କ ରାଜ୍ୟର ଏବଂ ନିଜର ୫.୨ ପ୍ରତିଶତ ଅଂଶଧନ ଟ୍ବିଟରରେ ରହିଛି। ତେବେ ଏଲନ ମସ୍କଙ୍କର ୯.୨ ପ୍ରତିଶତ ଅଂଶଧନ ରହିଛି।

ଟ୍ବିଟରକୁ କିଣିବା ପାଇଁ ପ୍ରସ୍ତାବ ଦେବା ସହିତ ଏହି ସାମାଜିକ ଗଣମାଧ୍ୟମ କମ୍ପାନିର ଅସାଧାରଣ କ୍ଷମତା ରହିଛି ଏବଂ ସେ ତାହାକୁ ଉନ୍ମୋଚିତ କରିବେ ବୋଲି କହିଥିବା ସାଉଦି ଯୁବରାଜଙ୍କୁ ଦୁଇଟି ପ୍ରଶ୍ନ କରିଛନ୍ତି। ଯଦି ସେ କିଣିପାରନ୍ତି ତାହେଲେ ତାଙ୍କ ରାଜ୍ୟର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଟ୍ବିଟରରେ କେତେ ପ୍ରତିଶତ ଅଂଶଧନ ରହିଛି। ଦ୍ବିତୀୟ ପ୍ରଶ୍ନଟି ହେଲା ସାମ୍ବାଦିକତା ଦୃଷ୍ଟିକୋଣରୁ ବାକ୍ ସ୍ବାଧୀନତା ଉପରେ ତାଙ୍କ ରାଜ୍ୟର ମତ କ’ଣ? ଗୁରୁବାର ମସ୍କ ଯେଉଁ କ୍ରୟ ପ୍ରସ୍ତାବ ଦେଇଥିଲେ ସେଥିରେ ସେ କହିଥିଲେ କମ୍ପାନିକୁ ପ୍ରାଇଭେଟ୍ କମ୍ପାନିରେ ପରିଣତ କରାଯିବା ଆବଶ୍ୟକ। ଏହା ସହିତ ସେ ଏହା ମଧ୍ୟ ଚେତେଇ ଦେଇଥିଲେ ଯେ ଯଦି ସେ ଦେଇଥିବା ଉତ୍କୃଷ୍ଟ ଏବଂ ଚୂଡ଼ାନ୍ତ ଅଫରକୁ ପ୍ରତ୍ୟାଖ୍ୟାନ କରାଯାଏ ତାହେଲେ ଅଂଶଧନଧାରୀଭାବେ ସେ ତାଙ୍କ ସ୍ଥିତିର ପୁନର୍ବିଚାର କରିବେ।

ମସ୍କଙ୍କ ଅଫରକୁ ନେଇ ବିଭିନ୍ନ ଆଡ଼େ ଚର୍ଚ୍ଚା ଚାଲିଥିବାବେଳେ ଭାନଗାର୍ଡ ନାମକ କମ୍ପାନି ଟ୍ବିଟରରେ ଏହାର ଅଂଶଧନକୁ ଇତିମଧ୍ୟରେ ୧୦.୩ ପ୍ରତିଶତକୁ ବଢ଼ାଇ ଦେଇଛି। ଫଳରେ ଉକ୍ତ କମ୍ପାନି ଟ୍ବିଟରର ସର୍ବବୃହତ୍ ଅଂଶଧନଧାରୀରେ ପରିଣତ ହୋଇଛନ୍ତି। ବିଶ୍ବର ଶୀର୍ଷ ଧନୀ ବ୍ୟକ୍ତି ପୂର୍ବରୁ ୯.୨ ପ୍ରତିଶତ ଅଂଶଧନ ସହିତ ଟ୍ବିଟରର ସବୁଠୁ ବଡ଼ ଅଂଶଧନଧାରୀ ଥିବାବେଳେ ଏବେ ସେ ଦ୍ବିତୀୟ ସ୍ଥାନକୁ ଖସିଯାଇଛନ୍ତି। ବ୍ରିଟେନର ସାମ୍ବାଦିକ କନରାଡ୍‌ କ୍ବାଲିଟି-ହାର୍ପର ଏଲନ ମସ୍କଙ୍କ ସଂପର୍କରେ ଆଉ ଏକ ନୂଆ ତଥ୍ୟ ଏବେ ସାମ୍ନାକୁ ଆଣିଛନ୍ତି। ସେ କହିଛନ୍ତି ୨୦୧୯ରେ ସେ ଏକ ସାପ୍ତାହିକ ବିଜ୍ଞାନ ପତ୍ରିକା ନ୍ୟୁ ସାଇଣ୍ଟିଷ୍ଟ୍ରେ ଡିଜିଟାଲ ଏଡିଟର ଭାବେ କାର୍ଯ୍ୟ କରୁଥିଲେ। ସେହି ସମୟରେ ମସ୍କ ଉକ୍ତ ମାଗାଜିନକୁ କିଣିବା ପାଇଁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ସେହି ପ୍ରସ୍ତାବ କାର୍ଯ୍ୟକାରୀ ହୋଇ ନଥିଲା। ପରେ ସେହି ମାଗାଜିନକୁ ପ୍ରାୟ ୭୦ ନିୟୁତ ପାଉଣ୍ଡ (୯୨ ନିୟୁତ ଡଲାର) ମୂଲ୍ୟରେ ଡେଲି ମେଲ୍ ଗ୍ରୁପ୍ କିଣିଥିଲା।

ସମ୍ବନ୍ଧିତ ଖବର