ମୁମ୍ବାଇ: ଏଲନ ମସ୍କ ଟ୍ବିଟର୍ର ନୂଆ ମାଲିକ ହେବା ପରଠାରୁ କିଛି ନା କିଛି ପରିବର୍ତ୍ତନ ହୋଇଚାଲିଛି। ମସ୍କ ଗତ ବର୍ଷ ଏହି ମାଇକ୍ରୋବ୍ଲଗିଂ ସାଇଟ୍କୁ କିଣିଥିଲେ। ଏହା ପରେ କମ୍ପାନିର ମାଲିକ ଅନେକ ପରିବର୍ତ୍ତନ ଆଣିଛନ୍ତି। କିଛି କର୍ମଚାରୀଙ୍କୁ ଚାକିରିରୁ କାଢ଼ି ଦିଆଯାଇଛି ତ ପୁଣି କିଛି କର୍ମଚାରୀଙ୍କୁ ଅଧିକ କାମ କରିବାକୁ କୁହାଯାଇଛି। କମ୍ପାନିର ମ୍ୟାନେଜ୍ମେଣ୍ଟ୍ ପକ୍ଷରୁ ହୋଇଥିବା ପରିବର୍ତ୍ତନର ପ୍ରଭାବ ‘ଟ୍ବିଟର୍ ଇଣ୍ଡିଆ’ ଉପରେ ବି ପଡ଼ିଛି।
ପ୍ରଥମେ ତ ଏଲନ ମସ୍କ ଭାରତରେ କାମ କରୁଥିବା ପ୍ରାୟ ୯୦ ପ୍ରତିଶତ ଟ୍ବିଟର୍ କର୍ମଚାରୀଙ୍କୁ ଚାକିରିରୁ କାଢ଼ି ଦେଇଛନ୍ତି। ଏହା ପରେ ଦିଲ୍ଲୀ ଓ ମୁମ୍ବାଇରେ ଥିବା ଟ୍ବିଟର୍ ଅଫିସ୍କୁ ବନ୍ଦ କରିବାକୁ ବି ନିଷ୍ପତ୍ତି ନେଇଛନ୍ତି।
ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଟ୍ବିଟର୍ର ଅଫିସ୍ କେବଳ ବେଙ୍ଗାଲୁରରେ ଚାଲିବ। ଦିଲ୍ଳୀ ଓ ମୁମ୍ବାଇ ଅଫିସ୍କୁ ମସ୍କ ବନ୍ଦ କରିବାର ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ନେବା ସହ ମସ୍କ କର୍ମଚାରୀମାନଙ୍କୁ ଘରୁ କାମ (ୱାର୍କ ଫ୍ରମ୍ ହୋମ୍) କରିବାକୁ କହିଛନ୍ତି।
ଏପରି କଠିନ ନିଷ୍ପତ୍ତିର ସାମ୍ନା କରିବାରେ ଭାରତ ପ୍ରଥମ ଦେଶ ନୁହେଁ, ଆହୁରି ଅନେକ ଦେଶରେ ବି ଟ୍ବିଟର୍ର ଅଫିସ୍ ବନ୍ଦ ହୋଇଛି। ମସ୍କ ମାଲିକ ହେବା ପରେ କମ୍ପାନି ଛଟେଇ ଅଭିଯାନ ବି ଜାରି ରଖିଛି।
ସେ ଟ୍ବିଟର୍ କିଣିବା ପରେ ପରେ ହିଁ ସିଇଓ ପରାଗ ଅଗ୍ରୱାଲ୍ଙ୍କ ସମେତ ଅନେକ ବଡ଼ କର୍ମଚାରୀଙ୍କୁ ଚାକିରିରୁ କାଢ଼ି ଦେଇଛନ୍ତି। ମସ୍କ ଟ୍ବିଟର୍କୁ ଏକ ଲାଭଦାୟକ ସଂସ୍ଥାରେ ପରିଣତ କରିବାକୁ ଏପରି ନିଷ୍ପତ୍ତି ନେଉଥିବା କହିଛନ୍ତି।