ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଟ୍ବିଟର ସ୍ମାର୍ଟଟିଭି ଆପ୍ ଆଣିବ। ଏହା ଉପରେ କମ୍ପାନି ଏବେ କାର୍ଯ୍ୟ କରୁଛି। ଏହା ଆସିଲେ ଲମ୍ବା ସମୟର ଭିଡିଓକୁ ଲୋକମାନଙ୍କୁ ଆଉ ମୋବାଇଲ ଫୋନରେ ଦେଖିବାକୁ ହେବନାହିଁ। ଟିଭିରେ ସେମାନେ ଟ୍ବିଟରର ଲମ୍ବା ଭିଡିଓ ଦେଖିବା ସୁଯୋଗ ପାଇବେ। ଜଣେ ଟ୍ବିଟର ୟୁଜରଙ୍କ ପ୍ରଶ୍ନର ଉତ୍ତର ଦେଇ ଏହି ଆପ୍ ଆସୁଥିବା ସଂପର୍କରେ ମସ୍କ ସୂଚନା ଦେଇଛନ୍ତି। ୟୁଜର ଲେଖିଥିଲେ ସ୍ମାର୍ଟ ଟିଭି ପାଇଁ ଆମେ ଟ୍ବିଟର ଭିଡିଓ ଆପ୍ ଆବଶ୍ୟକ କରୁଛୁ। ୧ ଘଣ୍ଟା ଅବଧିର ଭିଡିଓ ମୁଁ ଟ୍ବିଟରରେ ଦେଖୁନାହିଁ ବୋଲି ୟୁଜରଜଣକ ଲେଖିଥିଲେ। ଅନଲାଇନ ସର୍ଚ୍ଚ କ୍ଷେତ୍ରରେ ଗୁଗୁଲ୍‌ ଏବଂ ଭିଡିଓ କଣ୍ଟେଣ୍ଟ୍‌ ସର୍ଚ୍ଚ କ୍ଷେତ୍ରରେ ୟୁଟ୍ୟୁବର ଦବ୍‌ଦବା ରହିଛି। ୟୁଟ୍ୟୁବ ଭିଡିଓ ଆପ୍‌ ସ୍ମାର୍ଟଟିଭିରେ ବି ଉପଲବ୍ଧ ହେଉଛି। ମସ୍କଙ୍କ ଟ୍ବିଟର ମଧ୍ୟ ଲୋକଙ୍କୁ ସମାନ ପ୍ରକାର ସୁବିଧା ଯୋଗାଇ ଦେବାକୁ ଯାଉଛି।