ନୂଆଦିଲ୍ଳୀ: ବିରିୟାନି ହେଉଛି ଏବେକା ସମୟ‌ର ସବୁଠାରୁ ପ୍ରିୟ ଖାଦ୍ୟ। ଲୋକଙ୍କ ଭିତରେ ବିରିୟାନି ଖାଇବାର ନିଶା ଏପରି ଘାରିଛି ଯେ ଆମିଷ ନଖାଇଲେ ବି ଲୋକେ ନିରାମିଷ ବିରିୟାନି ଖାଇବାକୁ ଉପଯୁକ୍ତ ମଣନ୍ତି। ଅନ୍‌ଲାଇନ୍‌ରୁ ଖାଦ୍ୟ ବରାଦ କରିବା ଆଜିକାଲି ଏକ ସାଧାରଣ କଥା। ଖାଦ୍ୟ ବରାଦ କଲେ ସ୍ବିଗି, ଜୋମ‌ାଟୋର ଡେଲିଭରି ଏଜେଣ୍ଟ୍‌ମାନେ ଆଣି ପାଖରେ ପହଞ୍ଚାଇ ଦେଇଯାଆନ୍ତି।

Advertisment

ସମ୍ପ୍ରତି, ଜଣେ ବ୍ୟବହାରକାରୀ ଏକ ଘଟଣା ବିଷୟରେ ଟ୍ୱିଟରରେ ପୋଷ୍ଟ କରିଛନ୍ତି। ଟ୍ୱିଟ୍ ପୋଷ୍ଟ୍‌ ଅନୁଯାୟୀ, ତାଙ୍କ ବନ୍ଧୁ ପବିତ୍ର ଶ୍ରାବଣ ମାସରେ ‌ଜୋମାଟୋ ଜରିଆରେ ପ୍ରସିଦ୍ଧ ‘ବେହରୁଜ୍‌ବିରିୟାନି’ରୁ ପନିର୍‌ ବିରିୟାନି ବରାଦ କରିଥିଲେ। କିନ୍ତୁ ସେ ଖୋଲିଲା ବେଳକୁ ବିରିୟାନିରୁ ଚିକେନ୍‌ ବାହାରିଥିଲା। ଯାହାଫଳରେ ପରିବାର ଲୋକ ଖାଇ ପାରିନଥିଲେ।

ଅଶ୍ୱିନୀ ଶ୍ରୀବାସ୍ତବ ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ରବିବାର ରାତିରେ ବାରାଣାସୀରେ ତାଙ୍କ ବନ୍ଧୁଙ୍କ ସହ ଘଟିଥିବା ଏହି ଘଟଣାକୁ ଟ୍ବିଟର୍‌ରେ ପ୍ରକାଶ କରିଛନ୍ତି। ବିରିୟାନି ମିଳିବା ପରେ ପରିବାର ଲୋକ ପ୍ରଥମେ ଜାଣିପାରିଲେ ନାହିଁ ଯେ ତାହା ଚିକେନ୍‌ କି ଛଣା ପନିର୍‌। କିନ୍ତୁ ଭଲ କରି ଦେଖିବା ପରେ ଚିକେନ୍‌ ବୋଲି ଜଣାପଡ଼ିଥିଲା। ଭିଡିଓଟି ଭାଇରାଲ୍‌ ହେବା ପରେ ଏବେ ସୁଦ୍ଧା ୮୧୬.୪ ହଜାର ଭିଉ ଏବଂ ୫.୭ ଲାଇକ୍‌ ମିଳି ସାରିଲାଣି।

ଅଶ୍ବିନୀଙ୍କ ଏହି ପୋଷ୍ଟ୍‌ରେ ଏବେ ଜୋମାଟୋ ଉତ୍ତର ଦେଇ ଲେଖିଛି, ‘ଆମ ଭୁଲ୍‌ ବୁଝାମଣା ପାଇଁ ଆମେ ଦୁଃଖିତ। ଆମେ ଉଦ୍ଦେଶ୍ୟମୂଳକ ଭାବେ ଏପରି କରିନାହୁଁ। ଆମେ ତୁରନ୍ତ ଏହାକୁ ଦେଖି ସମାଧାନ କରିବୁ।’ ଏହି ପୋଷ୍ଟ୍‌ରେ ‘ବେହରୁଜ୍‌ବିରିୟାନି’ ମଧ୍ୟ ପ୍ରତିକ୍ରିୟା ଦେଇ ଦୁଃଖ ପ୍ରକାଶ କରିଛି।