ମସ୍କଙ୍କ ପାଖକୁ ଆସିବ ଟ୍ବିଟର

ନୂଆଦିଲ୍ଲୀ: ବିଶ୍ବର ଏକ ନମ୍ବର ଧନୀ ବ୍ୟକ୍ତି ତଥା ଆମେରିକୀୟ ଇଲେକ୍ଟ୍ରିକ୍ ଯାନ କଂପାନି ଟେସ୍‌ଲାର ମୁଖ୍ୟ ଏଲନ୍‌ ମସ୍କ ଟ୍ବିଟରକୁ କିଣିବା ଲାଗି ଯେଉଁ ଉଦ୍ୟମ ଆରମ୍ଭ କରିଛନ୍ତି ସେଥିରେ ସଫଳ ହେବେ ବୋଲି ଚର୍ଚ୍ଚା ହେଉଛି। ଯେଉଁ ଦାମ୍‌ରେ ଟ୍ବିଟର୍‌କୁ କିଣିବା ଲାଗି ସେ ପ୍ରସ୍ତାବ ଦେଇଥିଲେ ତାହାକୁ ଏକ ଶ୍ରେଷ୍ଠ ଓ ଚୂଡ଼ାନ୍ତ ପ୍ରସ୍ତାବ ଭାବେ ବିଚାର କରାଯାଉଛି। ସେହି ପ୍ରସ୍ତାବର ପୁନର୍ବିଚାର କରିବା ଲାଗି କିଛି ନିବେଶକ ଟ୍ବିଟର କର୍ତ୍ତୃପକ୍ଷଙ୍କ ଉପରେ ଚାପ ପକାଉଛନ୍ତି। କିଛି ଦିନ ପୂର୍ବେ ଭାରତୀୟ ଅଧିକାରୀ ପରାଗ ଗୁପ୍ତା ଟ୍ବିଟର୍‌ର ସିଇଓ ଭାବେ ନିଯୁକ୍ତି ପାଇଥିଲେ।

ମସ୍କ ହେଉଛନ୍ତି ଟ୍ବିଟର୍‌ର ଜଣେ ଅତ୍ୟନ୍ତ ସକ୍ରିୟ ବ୍ୟବହାରକାରୀ। ବିଭିନ୍ନ ପ୍ରସଙ୍ଗରେ ସେ ଟୁଇଟ୍‌ କରି ମତ ଦିଅନ୍ତି। ତେଣୁ ଏହି ପ୍ଲାଟଫର୍ମକୁ ସେ କେତେ ଭଲ ପାଆନ୍ତି ତାହା ଜଣାଇବା ଦରକାର ନାହିଁ। ଟ୍ବିଟର୍‌କୁ କିଣିବା ଲାଗି ସେ ବହୁ ଦିନରୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏବେ ତାଙ୍କ ପାଖରେ ଏହି ସଂସ୍ଥାର ୯.୨ ପ୍ରତିଶତ ସେୟାର ରହିଥିବା ବେଳେ ସେ ହେଉଛନ୍ତି କଂପାନିର ଦ୍ବିତୀୟ ବଡ଼ ଅଂଶଧନକାରୀ। ଏହି ମାନ୍ୟତା ମିଳିବା ପରଠାରୁ ସେ ଟ୍ବିଟର୍‌କୁ କିଣିବା ଲାଗି ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି। ଚଳିତ ମାସ ୧୪ ତାରିଖରେ ସେ ଏଥିପାଇଁ ପ୍ରଥମ ପ୍ରସ୍ତାବ ଦେଇଥିଲେ। ସେୟାର ପିଛା ୫୪.୨ ଡଲାର ମୂଲ୍ୟ ସମ୍ପୂର୍ଣ୍ଣ ରୂପେ ଟ୍ବିଟର୍‌କୁ କିଣିବାକୁ ସେ ଚାହୁଛନ୍ତି। ଆମେରିକାର ପ୍ରତିଭୂତି ଓ ଏକ୍ସଚେଞ୍ଜ୍‌ କମିସନଙ୍କୁ ସେ ଏବିଷୟରେ ଅବଗତ କରିଛନ୍ତି। ନିଜ ଉଦ୍ୟମ‌ରେ ଟ୍ବିଟର୍‌କୁ କିଣିବା ଲାଗି କିଛି ଦିନ ହେଲାଣି ମସ୍କ ଜୋରଦାର ଉଦ୍ୟମ କରୁଛନ୍ତି। ସେ କଂପାନିର କିଛି ଅଂଶଧନକାରୀଙ୍କୁ ଭେଟି ଆଲୋଚନା ମଧ୍ୟ କରିଛନ୍ତି। ମର୍ଗାନ ଷ୍ଟାନ୍‌ଲି ନାମକ ବ୍ୟାଙ୍କ ଠାରୁ ପାଣ୍ଠି ହାସଲ କରିବା ଲାଗି ସେ ପ୍ରତିଶ୍ରୁତି ମଧ୍ୟ ହାସଲ କରିଛନ୍ତି। ମସ୍କ ଦେଇଥିବା ପ୍ରସ୍ତାବ ହାତଛଡ଼ା ନକରିବା ଲାଗି କିଛି ଅଂଶଧନକାରୀ ଟ୍ବିଟର୍‌ କର୍ତ୍ତୃପକ୍ଷଙ୍କୁ କହିଛନ୍ତି। ‌ସେଥିପାଇଁ ଏହି ପ୍ରସ୍ତାବ ସମ୍ପର୍କରେ ମସ୍କଙ୍କ ସହିତ ଆଲୋଚନା କରି ଅଧିକ ତଥ୍ୟ ସଂଗ୍ରହ କରିବାକୁ ଟ୍ବିଟର୍‌ ବୋର୍ଡ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ଟ୍ବିଟର୍‌ ଯେଉଁଭଳି ପରିଚାଳିତ ହେଉଛି ତାହାକୁ ମସ୍କ ପସନ୍ଦ କରୁନାହାନ୍ତି। ପ୍ରଥମେ ସେ ଏହାକୁ ମୁକ୍ତ ଓ ଅବାଧ ଭାବନା ବ୍ୟକ୍ତ କରିବାର ଏକ ପ୍ଲାଟଫର୍ମରେ ପରିଣତ କରିବାକୁ ଚାହୁଛନ୍ତି। ଏହା ବ୍ୟତୀତ ସେଥିରେ ଏଡିଟ୍‌ ସୁବିଧା ଆରମ୍ଭ କରିବାକୁ ମଧ୍ୟ ତାଙ୍କର ଆଗ୍ରହ ଅଛି। ଟ୍ବିଟର୍‌ର ଆଲ୍‌ଗୋରିଦମ୍‌କୁ ସେ ଓପୋନ୍ ସୋର୍ସ କରିବାକୁ ମଧ୍ୟ ଚାହୁଛନ୍ତି।

ଟ୍ବିଟରକୁ କିଣିବା ଲାଗି ମସ୍କ ପ୍ରଥମେ ପ୍ରସ୍ତାବ ଦେବା ପରେ ତାହାକୁ ଟ୍ବିଟର୍‌ର ପରିଚାଳନା କର୍ତ୍ତୃପକ୍ଷ ବିରୋଧ କରିଥିଲେ। ତାହାକୁ ବଳପୂର୍ବକ ଅଧିଗ୍ରହଣ ବୋଲି କହିବା ସହ ଦରକାର ପଡ଼ିଲେ ଏହି ଅଧିଗ୍ରହଣକୁ ରୋକିବା ଲାଗି ‘ପଏଜନ୍ ପିଲ୍‌’ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି କହିଥିଲେ। ପଏଜନ୍ ପିଲ୍ ବ୍ୟବସ୍ଥାରେ କଂପାନିର ଅନ୍ୟ ଅଂଶଧନକାରୀମାନେ ରିହାତି ଦାମ୍‌ରେ ବିପୁଳ ପରିମାଣର ସେୟାର କିଣି ତାହାର ଦାମ୍‌ ଏତେ ବଢ଼ାଇ ଦିଅନ୍ତି ଯେ କିଣିବାକୁ ଚାହୁଥିବା ନିବେଶକଙ୍କ ପାଇଁ ସଂସ୍ଥାଟି ଅନାକର୍ଷଣୀୟ ହୋଇପଡ଼େ। ମାତ୍ର, ଏହି ବ୍ୟବସ୍ଥା ଲାଗୁ କରିବା ବଦଳରେ ମସ୍କଙ୍କ ପ୍ରସ୍ତାବ ଗ୍ରହଣ କରିବା ଉପରେ ଟ୍ବିଟର କର୍ତ୍ତୃପକ୍ଷ ବିଚାର କରୁଥିବା କୁହାଯାଉଛି।

ସମ୍ବନ୍ଧିତ ଖବର