ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ମତ ପ୍ରକାଶ କରିବା ଏବଂ ପ୍ରତିକ୍ରିୟାର ଏକ ପ୍ରମୁଖ ମାଧ୍ୟମ ଟ୍ବିଟର ପାଲଟି ସାରିଛି। ଏହି ଆମେରିକୀୟ କମ୍ପାନି କିନ୍ତୁ ଏବେ ଭାରତରେ ସରକାରଙ୍କ ଟାର୍ଗେଟକୁ ଆସିଯାଇଛି। ଅପ୍ରମେୟ ରାଧାକୃଷ୍ଣ ଓ ମୟଙ୍କ ବିଦ୍ବକ୍ତାଙ୍କ ଦ୍ବାରା ବିକଶିତ ‘କୁ’ ଆପ୍ ଏବେ ଟ୍ବିଟରକୁ ଟକ୍କର ଦେଉଛି। ସରକାର ବି ଏହାକୁ ପ୍ରୋତ୍ସାହିତ କରୁଛନ୍ତି। ଅପ୍ରମେୟ ଏହି କମ୍ପାନିର ସିଇଓ ରହିଛନ୍ତି। ଉଭୟ ଆଣ୍ଡ୍ରଏସ୍ ଓ ଆଇଓଏସ୍ ପ୍ଲାଟଫର୍ମରେ ଆପ୍ଟି ରହିଛି। ଏହାର ୱେବପେଜ୍ ମଧ୍ୟ ରହିଛି। ସରକାରଙ୍କ ପକ୍ଷରୁ ୨୦୨୦ ମାର୍ଚ୍ଚରେ ହୋଇଥିବା ଆତ୍ମନିର୍ଭର ଭାରତ ଆପ୍ ପ୍ରତିଯୋଗିତାରେ ଏହି ଆପ୍ ବିଜୟୀ ହୋଇଥିଲା। ବିଜୟୀ ହେବା ପରେ ଏହା ଲୋକଙ୍କ ସେତେଟା ଦୃଷ୍ଟି ଆକର୍ଷଣ କରି ନଥିଲା। କିନ୍ତୁ ହଠାତ୍ ଏହି ଆପ୍ ଏବେ ଚର୍ଚ୍ଚାକୁ ଆସିଯାଇଛି। କିଛି ବିଷୟବସ୍ତୁକୁ ନିଜ ସାଇଟ୍ରୁ ହଟାଇବା ପାଇଁ ଭାରତ ସରକାର ଟ୍ବିଟରକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଆମେରିକୀୟ କମ୍ପାନି ଏହି ନିର୍ଦ୍ଦେଶକୁ ପାଳନ କରିବାକୁ ମନା କରିଦେଇଛି। ଏହାପରେ ସରକାର ଘରୋଇ ‘କୁ’ ଆପ୍କୁ ବହୁଳମାତ୍ରାରେ ବ୍ୟବହାର କରିବା ପାଇଁ ଏକପ୍ରକାର ପରାମର୍ଶ ଦେଉଛନ୍ତି। ଏହି ଘରୋଇ ଆପ୍ରେ ଭାରତୀୟମାନେ ସେମାନଙ୍କ ଭାଷାରେ ମତ ଉପସ୍ଥାପନ ଏବଂ ପ୍ରତିକ୍ରିୟା ରଖିପାରିବେ। ତେଣୁ ଅଧିକରୁ ଅଧିକ ଭାରତୀୟଙ୍କ ସ୍ବର ଇଣ୍ଟରନେଟ ମାଧ୍ୟମରେ ନିକଟରେ ପହଞ୍ଚିବ ବୋଲି ଏହି କମ୍ପାନି ଦାବି କରିଛି।
କେମିତି ଡାଉନଲୋଡ୍ କରିବେ?
ଉଭୟ ଆଣ୍ଡ୍ରଏଡ ଏବଂ ଆଇଓଏସ୍ ପ୍ଲାଟଫର୍ମରେ ଏହି ଆପ୍ ଉପଲବ୍ଧ ରହିଛି। ଏହାକୁ ମାଗଣାରେ ଡାଉନଲୋଡ୍ କରାଯାଇ ପାରିବ। ଏଥିରେ ଟ୍ବିଟର ଭଳି ସୁବିଧା ସୁଯୋଗ ରହିଛି। ବିଭିନ୍ନ ବ୍ୟକ୍ତିକୁ ଏଥିରେ ଫଲୋ କରାଯାଇ ପାରିବ। ଏଥିସହିତ ବ୍ରାଉଜ୍ ମଧ୍ୟ କରାଯାଇ ପାରିବ। ବ୍ୟବହାରୀ ତାଙ୍କ ବାର୍ତ୍ତାକୁ ଅକ୍ଷରରେ ଲେଖି କିମ୍ବା ଅଡିଓ କିମ୍ବା ଭିଡିଓ ମାଧ୍ୟମରେ ସେୟାର କରିପାରିବେ। ଏବେ ଏଥିରେ ଇଂରାଜୀ ସମେତ ୬ଟି ଭାରତୀୟ ଭାଷା ଯଥା କନ୍ନଡ଼, ତାମିଲ, ତେଲୁଗୁ, ତାମିଲ ଭାଷାର ବିକଳ୍ପ ରହିଛି। ୪୦୦ ପର୍ଯ୍ୟନ୍ତ କ୍ୟାରେକ୍ଟରକୁ ଏଥିରେ ଲେଖାଯାଇ ପାରିବ। ଏହି ଲେଖାକୁ ‘କୁ’ କୁହାଯିବ। ଭାଷା ଅନୁସାରେ ବିଷୟବସ୍ତୁକୁ ମଧ୍ୟ ଏଥିରେ ଦେଖିହେବ। କୁ’ ଆପ୍କୁ ୩୦ ଲକ୍ଷରୁ ଅଧିକ ଥର ଡାଲନ୍ଲୋଡ୍ କରାଯାଇଛି।
ଚୀନ ନିବେଶ ନେଇ ଚର୍ଚ୍ଚା
‘କୁ’ ଆପ୍କୁ ଟ୍ବିଟରର ଭାରତୀୟ ବିକଳ୍ପ କୁହାଯାଉଥିଲେ ମଧ୍ୟ ଏହାର ମୂଳ କମ୍ପାନିରେ ଚୀନ୍ କମ୍ପାନିର ନିବେଶକୁ ନେଇ ଚର୍ଚ୍ଚା ଜୋର ଧରିଛି। ‘କୁ’ର ମୂଳ କମ୍ପାନି ହେଉଛି ବମ୍ବିନେଟ୍ ଟେକ୍ନୋଲୋଜିଜ୍ ପ୍ରାଇଭେଟ ଲିମିଟେଡ। କୁ ଆପ୍ ପୂର୍ବରୁ ଏହି କମ୍ପାନି କ୍ବୋରାର ଭାରତୀୟ ଭର୍ସନ ‘ଭୋକାଲ’କୁ ଆରମ୍ଭ କରିଥିଲା। ତେବେ ଚୀନର ସୁନୱେଇ ନାମକ କମ୍ପାନି ପୂର୍ବରୁ ଭୋକାଲ ପାଇଁ ନିବେଶ କରିଥିଲା। ନିକଟରେ ହୋଇଥିବା ପୁଞ୍ଜି ସଂଗ୍ରହ ପ୍ରକ୍ରିୟାରେ ସୁନୱେଇ ଯଦିଓ ଭାଗ ନେଇ ନେଇନାହିଁ ତଥାପି ପୂର୍ବ ନିବେଶକୁ ନେଇ ଚର୍ଚ୍ଚା ଚାଲିଛି। ସହ ପ୍ରତିଷ୍ଠାତା ରାଧାକ୍ରିଷ୍ଣ ଗତକାଲି କରିଥିବା ଟ୍ବିଟ୍ରେ ଏହା ମଧ୍ୟ କହିଛନ୍ତି ଯେ ନିକଟରେ ବମ୍ବିନେଟ୍ ପାଇଁ ହୋଇଥିବା ପୁଞ୍ଜି ସଂଗ୍ରହରେ ୩ୱାନ୪ ପ୍ରମୁଖ ନିବେଶକ ରହିଛି। ସନୱେଇ ଭୋକାଲରେ ଏକ ଅଙ୍କ ବିଶିଷ୍ଟ ନିବେଶ ସନୱେଇ କରିଥିଲା।
ଡାଟା ଲିକ୍ ଅଭିଯୋଗ
‘କୁ’ ଆପ୍ରୁ ବ୍ୟବହାରକାରୀଙ୍କ ଡାଟା ଲିକ୍ ହୋଇଛି। ଫ୍ରାନ୍ସର ଜଣେ ହ୍ୟାକର ଏଲିଅଟ୍ ଆଲଡରସନ (ଛଦ୍ମନାମ) ଏହି ଅଭିଯୋଗ ଆଣିଛନ୍ତି। ଟ୍ବିଟରରେ ସେ ଅଭିଯୋଗ କରିଛନ୍ତି ଯେ କୁ ଆପ୍ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଯଥା ଇ-ମେଲ୍, ଜନ୍ମ ତାରିଖ, ବିବାହିତ ନା ଅବିବାହିତ ଏବଂ ଲିଙ୍ଗଗତ ତଥ୍ୟ ଲିକ୍ କରିଛି। ତେବେ ଏହି ଅଭିଯୋଗକୁ କମ୍ପାନି ସିଇଓ ଖଣ୍ଡନ କରିଛନ୍ତି।
ଟ୍ବିଟର-ସରକାର ମୁହାଁମୁହିଁ
ନୂଆଦିଲ୍ଲୀ: ଆଇନ ପାଳନ ପ୍ରସଙ୍ଗକୁ ନେଇ ଟ୍ବିଟର ଓ ଭାରତ ସରକାର ମୁହାଁମୁହିଁ ସ୍ଥିତିକୁ ଆସିଯାଇଛନ୍ତି। ଆମେରିକାର କ୍ୟାପିଟଲ ହିଲ୍ ହିଂସା ଓ ଲାଲକିଲ୍ଲା ଗଣ୍ଡଗୋଳ କ୍ଷେତ୍ରରେ ଟ୍ବିଟର ପାତରଅନ୍ତର ମୂଳକ ନୀତି କାର୍ଯ୍ୟକାରୀ କରୁଛି ବୋଲି ଭାରତ ସରକାର ଅଭିଯୋଗ କରିଛନ୍ତି। ଟ୍ବିଟର୍ ବାକ୍ ସ୍ବାଧୀନତା ସପକ୍ଷରେ ନୁହେଁ ବରଂ ଯେଉଁମାନେ ବାକ୍ ସ୍ବାଧୀନତାର ଦୁରୁପଯୋଗ କରୁଛନ୍ତି ଏବଂ ବିଶୃଙ୍ଖଳାକୁ ଉସକାଉଛନ୍ତି ସେମାନଙ୍କ ସପକ୍ଷରେ ରହିଛି। ଭାରତରେ କମ୍ପାନି ବ୍ୟବସାୟ କରୁ, କିନ୍ତୁ ଦେଶର ଆଇନକୁ ମଧ୍ୟ ସମ୍ମାନ ଦେଉ ବୋଲି ଭାରତ ସରକାର କହିଛନ୍ତି। ଅନ୍ୟପକ୍ଷରେ ଟ୍ବିଟର କହିଛି ଯେ ଗଣମାଧ୍ୟମ, ସାମ୍ବାଦିକ, ସାମାଜିକ କର୍ମୀ ଏବଂ ରାଜନେତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ଏବଂ ସେମାନଙ୍କ ଆକାଉଣ୍ଟକୁ ବନ୍ଦ କଲେ ଭାରତୀୟ ଆଇନ ଅଧୀନରେ ତାହା ବାକ୍ ସ୍ବାଧୀନତା ଅଧିକାରର ଉଲ୍ଲଂଘନ ହେବ। କେନ୍ଦ୍ର ସରକାର ଟ୍ବିଟରକୁ ୧୪୦୦ରୁ ଅଧିକ ଆକାଉଣ୍ଟକୁ ନିଷ୍କ୍ରିୟ କରିବା ପାଇଁ ଅନୁରୋଧ କରିଥିଲେ। କିନ୍ତୁ କମ୍ପାନି ୫୦୦ରୁ ଅଧିକ ଆକାଉଣ୍ଟକୁ ବନ୍ଦ କରିଥିବାବେଳେ ଅନ୍ୟମାନଙ୍କ ବିରୋଧରେ ପଦକ୍ଷେପ ନେବାକୁ ମନା କରିଛି। ଭାରତ ସରକାର ଯାହା କରିବା ପାଇଁ ନିର୍ଦ୍ଦେଶ ଦେଉଛନ୍ତି ତାହା ଭାରତୀୟ ଆଇନ ପରିସରରେ ଆସୁନାହିଁ ବୋଲି କମ୍ପାନି କହିଛି। ଇତିମଧ୍ୟରେ ଟ୍ବିଟର ପ୍ରତିଦ୍ବନ୍ଦ୍ବୀ ‘କ୍ୁ’କୁ ସରକାରୀ ସ୍ତରରେ ବ୍ୟାପକ ପ୍ରଚାର କରାଯାଉଛି। କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ, ରବି ଶଙ୍କର ପ୍ରସାଦ ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପାଙ୍କ ସମେତ ଅନେକ ପ୍ରମୁଖ ସରକାରୀ ସଂସ୍ଥା ଯଥା କେନ୍ଦ୍ରର ଆଇଟି ଓ ଇଲେକ୍ଟ୍ରୋନିକ୍ସ ମନ୍ତ୍ରାଳୟ, କେନ୍ଦ୍ରୀୟ ପରୋକ୍ଷ କର ବୋର୍ଡ, ଜାତୀୟ ଇଲେକ୍ଟ୍ରୋନିକ୍ସ ଆଣ୍ଡ୍ ଆଇଟି ଇନଷ୍ଟିଚ୍ୟୁଟ୍ , ଭାରତୀୟ ଡାକ, ମାଇଁଗଭ୍ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ, ଏନ୍ଆଇସି ଏଥିରେ ଆକାଉଣ୍ଟ ଖୋଲି ତାହାର ବ୍ୟବହାର କରୁଛନ୍ତି। ଅନ୍ୟମାନେ ଏଥିରେ ଆକାଉଣ୍ଟ ଖୋଲନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଗୋୟଲ ଅାହ୍ବାନ ଦେଇଛନ୍ତି।