ଦୁଇ ଆମେରିକୀୟଙ୍କୁ ଅର୍ଥନୀତ‌‌ିରେ ନୋବେଲ

ଷ୍ଟକ୍‌ହୋମ୍,: ଚଳିତବର୍ଷ ପାଇଁ ଅର୍ଥନୀତିରେ ନୋବେଲ ପୁରସ୍କାର ଦୁଇ ଜଣ ଆମେରିକୀୟ ଅର୍ଥନୀତିଜ୍ଞ ପାଇଛନ୍ତି। ସେହି ଦୁଇ ଅର୍ଥନୀତିଜ୍ଞ ହେଲେ ପ୍ରଫେସର ୱିଲିଅମ ନୋର୍‌ଢ଼ସ୍ ଓ ପ୍ରଫେସର ପଲ ରୋମର୍। ନିରନ୍ତର ଅଭିବୃଦ୍ଧି ଉପରେ ସେମାନେ କରିଥିବା ଗବେଷଣାକୁ ସ୍ବୀକୃତି ଦିଆଯାଇ ଏହି ପୁରସ୍କାର ପ୍ରଦାନ ଲାଗି ଘୋଷଣା କରାଯାଇଛି। ଅର୍ଥନୀତିକୁ ଜଳବାୟୁ ପରିବର୍ତ୍ତନ ଓ ପ୍ରଯୁକ୍ତି କିଭଳି ପ୍ରଭାବିତ କରିଛି ତାହା ଉପରେ ଏମାନଙ୍କ ଗବେଷଣା ପର୍ଯ୍ୟବେସିତ ରହିଛି। ରୟାଲ ‌ସ୍ବିଡିସ ଏକାଡେମି ଅଫ୍‌ ସାଇ‌ନ୍‌ସେସ୍ ପକ୍ଷରୁ କୁହାଯାଇଛି ଏହି ଦୁଇ ଅର୍ଥନୀତିଜ୍ଞଙ୍କ ଗବେଷଣା ବର୍ତ୍ତମାନ ସମୟର ସବୁଠୁ ବଡ଼ ପ୍ରଶ୍ନ ‘ନିରନ୍ତର ଅଭିବୃଦ୍ଧି କିଭଳି ହାସଲ କରାଯାଇ ପାରିବ?’ ତାହାର ସମାଧାନ ପ୍ରଦାନ କରିଛି। ଦୁଇ ବିଜେତାଙ୍କୁ ପୁରସ୍କାର ରାଶି ବାବଦରେ ୯ ନିୟୁତ ସ୍ବେଡିସ୍ କ୍ରୋନା (୮୪୧,୦୦୦ ପାଉଣ୍ଡ) ପ୍ରଦାନ କରାଯିବ। ୟେଲ୍‌ ବିଶ୍ବବିଦ୍ୟାଳୟର ପ୍ରଫେସର ନୋର୍‌ଢସ୍ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ଅର୍ଥନୀତି ଓ ଜଳବାୟୁ ମଧ୍ୟରେ ପାରସ୍ପରିକ ସମ୍ପର୍କକୁ ବର୍ଣ୍ଣନା କରିଛନ୍ତି। ସେହିଭଳି ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ ପାଇଁ ନୂଆ ଚିନ୍ତାଧାରା ସୃଷ୍ଟି କରିବାର ଆଗ୍ରହକୁ ଅର୍ଥନୈତିକ ଶକ୍ତି କିଭଳି ପ୍ରଭାବିତ କରିଥାଏ ତାହା ନ୍ୟୁୟର୍କ ବିଶ୍ବବିଦ୍ୟାଳୟର ଷ୍ଟର୍ଣ୍ଣ ସ୍କୁଲ ଅଫ୍‌ ବିଜ୍‌ନେସ୍‌ର ପ୍ରଫେସର ରୋମର ଦର୍ଶାଇଛନ୍ତି। ଉଲ୍ଲେଖଯୋଗ୍ୟ, ବିଶ୍ବବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ ଭାବେ ୧୫ ମାସ କାର୍ଯ୍ୟ କରିବା ପରେ ପ୍ରଫେସର ରୋମର ଚଳିତବର୍ଷ ଏହି ପଦରୁ ଇସ୍ତଫା ଦେଇ ବିବାଦୀୟ ହୋଇ ପଡ଼ିଥିଲେ। ରାଜନୈତିକ କାରଣ ପାଇଁ ଚିଲି ଏହାର ବ୍ୟବସାୟିକ ବାତାବରଣ ରିପୋର୍ଟକୁ ଏପଟସେପଟ କରିଥିବା ବିଷୟ ପ୍ରଫେସର ରୋମର ଉଠାଇଥିଲେ।

ସମ୍ବନ୍ଧିତ ଖବର