ନୂଆଦିଲ୍ଲୀ: ଚଳିତ ମାସ ୧୫-୧୬ ରାତିରୁ ଫାସ୍ଟ୍ୟାଗ୍ ବାଧ୍ୟତାମୂଳକ ହେବା ପରେ ଦେଶରେ ଏହି ଷ୍ଟିକର୍ର ବିକ୍ରି ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଗତ ଦୁଇ ଦିନରେ ଅଢ଼େଇ ଲକ୍ଷରୁ ଅଧିକ ଫାସ୍ଟ୍ୟାଗ୍ ବିକ୍ରି ହୋଇଛି। ଏଥି ସହିତ ଟୋଲ୍ ପ୍ଲାଜାରେ ଫାସ୍ଟ୍ୟାଗ୍ ଜରିଆରେ ଟୋଲ୍ ଶୁଳ୍କ ସଂଗ୍ରହ ୯୦% ପାଖାପାଖି ସ୍ତରରେ ପହଞ୍ଚିଛି। ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍ଏଚ୍ଏଆଇ) ପକ୍ଷରୁ ଟୋଲ୍ ପ୍ଲାଜାର ସବୁ ଲେନ୍କୁ ଫାସ୍ଟ୍ୟାଗ୍ ଲେନ୍ରେ ପରିଣତ କରାଯାଇଛି। ଏବେ ଫାସ୍ଟ୍ୟାଗ୍ ମାଧ୍ୟମରେ ଦୈନିକ ୬୦ ଲକ୍ଷରୁ ଅଧିକ ପରିମାଣର କାରବାର ହେଉଛି। ଏବେ ୮୭%ରୁ ଅଧିକ ଗାଡ଼ିରେ ଫାସ୍ଟ୍ୟାଗ୍ ଲାଗି ସାରିଲାଣି। ଦୁଇ ଦିନରେ ଏହି ହାର ୭% ବଢ଼ିଛି।
ଗାଡ଼ି ମାଲିକ ଓ ବ୍ୟବହାରକାରୀଙ୍କ ମଧ୍ୟରେ ଏହାର ଗ୍ରହଣୀୟତା ବଢ଼ାଇବା ଲାଗି ଏନ୍ଏଚ୍ଏଆଇ ପକ୍ଷରୁ ମାର୍ଚ୍ଚ ୧ରୁ ନିଶୁଳ୍କ ଫାସ୍ଟ୍ୟାଗ୍ ଅଭିଯାନ ଆରମ୍ଭ କରାଯିବ। ଦେଶରେ ଥିବା ୭୭୦ରୁ ଅଧିକ ଟୋଲ୍ ପ୍ଲାଜାରେ ଫାସ୍ଟ୍ୟାଗ୍ ମୂଲ୍ୟରେ ୧୦୦ ଟଙ୍କାର ରିହାତି ପ୍ରଦାନ କରାଯିବ। ଶତ ପ୍ରତିଶତ ଟୋଲ୍ ଶୁଳ୍କକୁ ଡିଜିଟାଲ୍ ମାଧ୍ୟମରେ ସଂଗ୍ରହ କରିବାର ଲକ୍ଷ୍ୟ ହାସଲ କରିବା ଲାଗି ଫାସ୍ଟ୍ୟାଗ୍ ନଥିବା ଗାଡ଼ିଗୁଡ଼ିକ ଠାରୁ ଦୁଇ ଗୁଣା ଶୁଳ୍କ ଅସୁଲ କରାଯାଉଛି। ଦେଶରେ ୨୦୧୪ରେ ଫାସ୍ଟ୍ୟାଗ୍ ଲାଗୁ କରାଯାଇଥିଲା। ଏହା ହେଉଛି ଏକ ଷ୍ଟିକର୍ ଯାହାକୁ ଗାଡ଼ି କାଚରେ ଭିତର ପଟୁ ଲଗାଯାଉଛି। ସେଥିରେ ଗାଡ଼ିର ବିବରଣୀ ରହିଛି। ଗାଡ଼ି ଟୋଲ୍ ପ୍ଲାଜା ଅତିକ୍ରମ କରିବା ବେଳେ ସେଠାରେ ଥିବା କ୍ୟାମେରା ଫାସ୍ଟ୍ୟାଗ୍ରୁ ସମସ୍ତ ବିବରଣୀ ହାସଲ କରିବା ସହ ତା’ ସହିତ ଯୋଡ଼ି ହୋଇରହିଥିବା ଆକାଉଣ୍ଟ୍ରୁ ଶୁଳ୍କ ବାବଦ ଟଙ୍କା ସ୍ବୟଂକ୍ରିୟ ଭାବେ କାଟି ନେଉଛି।