ସପ୍ତାହକରେ ସଙ୍କଟରେ ଦୁଇ ବ୍ୟାଙ୍କ

ନୂଆଦିଲ୍ଲୀ : ଗୋଟିଏ ସପ୍ତାହ ଭିତରେ ଦୁଇଟି ଘରୋଇ କ୍ଷେତ୍ରର ବ୍ୟାଙ୍କ ସଙ୍କଟରେ ପଡ଼ିଛନ୍ତି। ଉଭୟ ବ୍ୟାଙ୍କରେ ବରିଷ୍ଠ ଅଧିକାରୀଙ୍କୁ ଅଂଶଧନକାରୀମାନେ ବିଦା କରିଛନ୍ତି। ଏହି ଦୁଇ ଘରୋଇ କ୍ଷେତ୍ରର ବ୍ୟାଙ୍କ ହେଉଛି ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଓ ଧନଲକ୍ଷ୍ମୀ ବ୍ୟାଙ୍କ। ଉଭୟ ବ୍ୟାଙ୍କରେ ଏମ୍‌ଡି ଓ ସିଇଓଙ୍କ ପୁନଃ ନିଯୁକ୍ତିକୁ ଅଂଶଧନକାରୀମାନେ ଦୃଢ଼ ବିରୋଧ କରିଛନ୍ତି। ଧନଲକ୍ଷ୍ମୀ ବ୍ୟାଙ୍କର ସିଇଓଙ୍କ ପୁନଃ ନିଯୁକ୍ତି ପ୍ରସ୍ତାବକୁ ୯୦ ପ୍ରତିଶତ ଅଂଶଧନକାରୀ ବିରୋଧ କରିଥିଲେ। ଉଭୟ ବ୍ୟାଙ୍କର ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌)ରେ ନାଟକୀୟ ଭାବେ ସିଇଓଙ୍କୁ ବିଦା କରାଯାଇଛି।

୯୩ ବର୍ଷ ପୁରୁଣା ଧନଲକ୍ଷ୍ମୀ ବ୍ୟାଙ୍କ ମୂରବୀ ଶୂନ୍ୟ
କେରଳର ଧନଲକ୍ଷ୍ମୀ ବ୍ୟାଙ୍କର ଏମ୍‌ଡି ତଥା ସିଇଓ ଭାବେ କାର୍ଯ୍ୟ କରୁଥିବା ସୁନିଲ ଗୁରବକ୍ସାନିଙ୍କ ପୁନଃ ନିଯୁକ୍ତି ପ୍ରସ୍ତାବକୁ ଅଂଶଧନକାରୀମାନେ ପ୍ରତ୍ୟାଖ୍ୟାନ କରିବା ପରେ ବ୍ୟାଙ୍କ ମୂରବୀ ଶୂନ୍ୟ ହୋଇପଡ଼ିଛି। ୯୩ ବର୍ଷ ପୁରୁଣା ଏହି ବ୍ୟାଙ୍କର ପରିଚାଳନାରେ ଯେଭଳି କୌଣସି ଅସୁବିଧା ନହୁଏ ତାହାକୁ ନିଶ୍ଚିତ କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ହସ୍ତକ୍ଷେପ କରିବା ଆରମ୍ଭ କରିଛି। ଧନଲକ୍ଷ୍ମୀ ବ୍ୟାଙ୍କ ବୋର୍ଡରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜଣେ ଅତିରିକ୍ତ ନିର୍ଦେଶକଙ୍କୁ ନିଯୁକ୍ତି ଦିଆଯାଇଛି। ଚଳିତ ବର୍ଷ ଫେବ୍ରୁଆରିରେ ସୁନିଲଙ୍କୁ ତିନି ବର୍ଷ ପାଇଁ ବ୍ୟାଙ୍କର ସିଇଓ ପଦରେ ନିଯୁକ୍ତି ଦିଆଯାଇଥିଲା। ଧନଲକ୍ଷ୍ମୀ ବ୍ୟାଙ୍କ ମାମଲାରେ ହସ୍ତକ୍ଷେପ କରିବାକୁ ଗତ ସପ୍ତାହରେ ସର୍ବଭାରତୀୟ ବ୍ୟାଙ୍କ ଅଫିସର ମହାସଂଘ ପକ୍ଷରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ହସ୍ତକ୍ଷେପ ଲୋଡ଼ାଯାଇଥିଲା। ତେବେ ଏହି ବ୍ୟାଙ୍କର ଆର୍ଥିକ ସ୍ଥିତି ବହୁତ ଭଲ ରହିଛି।

Business Line

ଲକ୍ଷ୍ମୀ ବିଳାସ ବ୍ୟାଙ୍କ ସିଇଓ ବିଦା
ଅନ୍ୟତମ ଘରୋଇ କ୍ଷେତ୍ରର ବ୍ୟାଙ୍କ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ମଧ୍ୟ ମୂରବୀ ଶୂନ୍ୟ ହୋଇପଡ଼ିଛି। ବ୍ୟାଙ୍କର ଏମ୍‌ଡି ଓ ସିଇଓ ଏସ୍‌ ସୁନ୍ଦର ଓ ଅନ୍ୟ ସାତ ଜଣ ନିର୍ଦେଶକଙ୍କ ପୁନଃ ନିଯୁକ୍ତିକୁ ଅଂଶଧନକାରୀମାନେ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ବ୍ୟାଙ୍କର ବାର୍ଷିକ ସାଧାରଣ ବୈଠକରେ ନାଟକୀୟ ଢଙ୍ଗରେ ସିଇଓଙ୍କ ନିଯୁକ୍ତିକୁ ଅଂଶଧନକାରୀମାନେ ପ୍ରତ୍ୟାଖ୍ୟାନ କରିଥିଲେ। କ୍ଲିକ୍ସ ଗ୍ରୁପ୍ ସହିତ ଲକ୍ଷ୍ମୀ ବିଳାସ ବ୍ୟାଙ୍କର ମିଶ୍ରଣ ହେବାକୁ ଯାଉଛି। ବ୍ୟାଙ୍କର ପରିଚାଳନା ବୋର୍ଡରେ ଦେଖାଦେଇଥିବା ଅସ୍ଥିରତା ରିଜର୍ଭ ବ୍ୟାଙ୍କକୁ ଚିନ୍ତାରେ ପକାଇ ଦେଇଛି। ଏହି ମିଶ୍ରଣ ଶୀଘ୍ର ସମ୍ପାଦିତ ହେଉ ବୋଲି ରିଜର୍ଭ ବ୍ୟାଙ୍କ ଚାହୁଛି। ଲକ୍ଷ୍ମୀ ବିଳାସ ବ୍ୟାଙ୍କକୁ ପିଏନ୍‌ବି ସହ ମିଶ୍ରଣ କରିବାକୁ ରିଜର୍ଭ ବ୍ୟାଙ୍କ ପ୍ରସ୍ତାବ ଦେଇଥିଲା ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର