ସେସୁକୁ କିଣିବା ଦୌଡ଼ରେ ୨ କମ୍ପାନି

ବିଡ୍‌ ଦାଖଲ କଲେ ଟାଟା, ଇଣ୍ଡିଆ ପାଓ୍ଵାର

ନୂଆଦିଲ୍ଲୀ: ଓଡ଼ିଶାର ସେଣ୍ଟ୍ରାଲ ଇଲେକ୍ଟି୍ରିସିଟି ସପ୍ଲାଏ ୟୁଟିଲିଟି (ସେସୁ)କୁ କିଣିବା ଲାଗି ଦେଶର ଦୁଇ ପ୍ରମୁଖ କମ୍ପାନି ଏବେ ଦୌଡ଼ରେ ଅଛନ୍ତି। ସେହି ଦୁଇଟି କମ୍ପାନି ହେଲେ ଟାଟା ପାଓ୍ଵାର ଓ ହେମନ୍ତ କାନୋଡ଼ିଆଙ୍କ ଦ୍ୱାରା ପରିଚାଳିତ କମ୍ପାନି ଇଣ୍ଡିଆ ପାଓ୍ଵାର କର୍ପୋରେସନ୍‌ ଲିମିଟେଡ୍‌। ୧୭ ବର୍ଷ ପରେ ପୁଣି ସେସୁର ଘରୋଇକରଣ କରାଯିବ। ନିଲାମ ଡାକିଥିବା କମ୍ପାନି ଗୁଡ଼ିକ ଏଥିପାଇଁ ଓଡ଼ିଶା ସହିତ ଯୌଥ ଉଦ୍ୟୋଗ ସ୍ଥାପନ କରିପାରିବେ କିମ୍ବା ଏକାକୀ ଲାଇସେନ୍ସ ହାସଲ କରିପାରିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି। ତେବେ ଟାଟା ପାଓ୍ଵାର ପକ୍ଷରୁ ଏ ନେଇ କୌଣସି ମତାମତ ଦେବାକୁ ମନା କରାଯାଇଥିବାବେଳେ ଇଣ୍ଡିଆ ପାଓ୍ଵାର ପକ୍ଷରୁ କୌଣସି ମତାମତ ମିଳିପାରିନାହିଁ।

ଉଲ୍ଲେଖଯୋଗ୍ୟ ଯେ, ସେସୁକୁ ବିକ୍ରି କରିବା ଲାଗି ଗତବର୍ଷ ଡିସେମ୍ବରରେ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ନିଲାମ ଡାକିଥିଲା। ଏହି ନିଲାମ ଯିଏ ପାଇବ ସେହି ସଂସ୍ଥା ୨୫ ବର୍ଷ ପାଇଁ ସେସୁର ପରିଚାଳନା କରିବ। ରାଜ୍ୟର ପ୍ରାୟ ୧୯ ପ୍ରତିଶତ ଅଞ୍ଚଳରେ ସେସୁ ବିଜୁଳି ବଣ୍ଟନ କରୁଛି। ଏଥିରେ ଭୁବନେଶ୍ୱର, କଟକ, ପାରାଦୀପ, ଅନୁଗୁଳ ଏବଂ ତାଳଚେର ଭଳି ସହର ରହିଛି। ଏହି କମ୍ପାନିର ରାଜସ୍ୱ ଆଦାୟ କ୍ଷମତା ପ୍ରାୟ ୩ ହଜାର କୋଟି ଟଙ୍କା ରହିଛି। ସେସୁ ଅଧୀନରେ ପ୍ରାୟ ୨୦ ଲକ୍ଷ ଗ୍ରାହକ ରହିଛନ୍ତି। ଏହାର ମୋଟ ବୈଷୟିକ ଓ ବାଣିଜ୍ୟିକ କ୍ଷତି ୩୫ ପ୍ରତିଶତ ସ୍ତରରେ ରହିଛି। ଏହି କମ୍ପାନି ଉପରେ ଏବେ ପ୍ରାୟ ୨ ହଜାର କୋଟି ଟଙ୍କାର ଋଣ ବୋଝ ରହିଛି। ଦେଶରେ ବିଦ୍ୟୁତ୍‌ ବିତରଣ କମ୍ପାନି ଗୁଡ଼ିକୁ ଘରୋଇ କରଣ କରିବାରେ ଓଡ଼ିଶା ହେଉଛି ଦେଶର ପ୍ରଥମ ରାଜ୍ୟ। ରାଜ୍ୟର ବିଦ୍ୟୁତ୍‌ ବିତରଣ କମ୍ପାନି ଗୁଡ଼ିକୁ ସରକାର ୪ଟି ସଂସ୍ଥାରେ ବିଭକ୍ତ କରିଥିଲେ। ସେଗୁଡ଼ିକ ହେଲା ସେସୁ, େଓ୍ଵସ୍କୋ, ନେସ୍କୋ ଏବଂ ସାଉଥ୍‌କୋ। ୧୯୯୯ରେ ରାଜ୍ୟ ସରକାର ସେସୁକୁ ଏଇଏସ୍‌ କର୍ପୋରେସନ୍‌କୁ ହସ୍ତାନ୍ତର କରିଥିବାବେଳେ ଅନ୍ୟ ୩ଟି ସଂସ୍ଥାକୁ ବିଏସ୍‌ଇଏସ୍‌କୁ ପ୍ରଦାନ କରିଥିଲେ। ତେବେ ୨୦୦୧ରେ ଏଇଏସ୍‌ କର୍ପୋରେସନ୍‌ ଓହରି ଯାଇଥିଲା। ଏଇଏସ୍‌ ଓହରିଯିବା ପରେ ଓଇଆର୍‌ସି ସେସୁକୁ ପରିଚାଳନା କରିଆସୁଛି ଏବଂ ଏହାର ଘରୋଇକରଣ ପାଇଁ ଉଦ୍ୟମ ଚଳାଇଛି।

ସମ୍ବନ୍ଧିତ ଖବର