ନୂଆଦିଲ୍ଲୀ : ଦୁଇଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣକୁ ବିରୋଧ କରି ଚଳିତ ମାସ ୧୬ରୁ ଦୁଇଦିନିଆ ଧର୍ମଘଟ କରିବାକୁ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ସ (ୟୁଏଫ୍ବିୟୁ) ପକ୍ଷରୁ ଧମକ ଦିଆଯାଇଛି।
କେନ୍ଦ୍ର ସରକାର ୨୦୧୯ରେ ଆଇଡିବିଆଇ ବ୍ୟାଙ୍କର ଅଧିକାଂଶ ଅଂଶଧନ ଏଲ୍ଆଇସିକୁ ବିକ୍ରି କରି ତାହାର ଘରୋଇକରଣ କରିସାରିଥିବା ବେଳେ ଗତ ଚାରି ବର୍ଷରେ ୧୪ଟି ସରକାରୀ ବ୍ୟାଙ୍କ ମଧ୍ୟରେ ମିଶ୍ରଣ କରିଛନ୍ତି। ଦୁଇଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ଗୋଟିଏ ବୀମା କଂପାନିର ଘରୋଇକରଣ କରାଯିବ ବୋଲି ଚଳିତ ଆର୍ଥିକ ବର୍ଷର ବଜେଟ୍ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ। ପ୍ରସ୍ତାବିତ ଘରୋଇକରଣକୁ ବିରୋଧ କରିବାକୁ ୟୁବିଏଫ୍ୟୁ ନିଷ୍ପତ୍ତି ନେଇଛି ବୋଲି ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ସି ଏଚ୍ ଭେଙ୍କଟଚେଲମ୍ କହିଛନ୍ତି। ୟୁନିୟନ୍ ପକ୍ଷରୁ ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ)କୁ ଧର୍ମଘଟ ନୋଟିସ୍ ପଠାଇ ଦିଆଯାଇଛି।
ସେ କହିଛନ୍ତି ଯେ ଭାରତ ଭଳି ବିକାଶଶୀଳ ଦେଶରେ ଅର୍ଥନୈତିକ ବିକାଶରେ ବ୍ୟାଙ୍କଗୁଡ଼ିକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଏଭଳି ସମୟରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଆବଶ୍ୟକତା ରହିଛି। ବ୍ୟାଙ୍କିଙ୍ଗ ସଂସ୍କାର ନାମରେ ସରକାରୀ ବ୍ୟାଙ୍କଗୁଡ଼ିକୁ ଦୁର୍ବଳ କରିବା ଲାଗି ଅଣାଯାଉଥିବା ନୀତିଗୁଡ଼ିକୁ ଆମେ ୟୁବିଏଫ୍ୟୁ ଅଧୀନରେ ଦୀର୍ଘ ୨୫ ବର୍ଷ ଧରି ବିରୋଧ କରିଆସୁଛୁ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/bank-strike.jpg)