ନୂଆଦିଲ୍ଲୀ: ଉଦ୍ୟୋଗୀ ହେବାର ଯାତ୍ରା କେତେ ଆହ୍ବାନପୂର୍ଣ୍ଣ ତାହା ଦେଶର ଦୁଇ ଜଣ ପ୍ରତିଷ୍ଠାତାଙ୍କ ଜୀବନ କାହାଣୀ ଉପରେ ନଜର ପକାଇଲେ ଜଣାପଡ଼ୁଛି। ସେମାନେ ହେଉଛନ୍ତି ପେଟିଏମ୍‌ର ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ଓ ବାଇଜୁସ୍‌ର ପ୍ରତିଷ୍ଠାତା ବାଇଜୁ ରବୀନ୍ଦ୍ରନ। ଅଭିନବ ଚିନ୍ତାଧାରାକୁ ନେଇ ଏକ ଷ୍ଟାର୍ଟଅପ୍ ଗଠନ କରିବା ଏବଂ ତାହାକୁ କିଛି ବର୍ଷ ଭିତରେ ବିଶ୍ବସ୍ତରରେ ପରିଚିତ କରାଇବାର ସୁନାମ ଏମାନଙ୍କ ନାମରେ ରହିଛି। କିନ୍ତୁ କାହାଣୀ ଏତିକିରେ ଶେଷ ହୋଇନାହିଁ। ଏହି ଦୁଇ ଜଣ ବ୍ୟକ୍ତି ଏବେ ନିଜ ଜୀବନର ସବୁଠୁ ଆହ୍ବାନପୂର୍ଣ୍ଣ ସମୟ ଦେଇ ଗତି କରୁଛନ୍ତି।

Advertisment

ପେଟିଏମ୍ ପେମେଣ୍ଟ୍‌ସ୍‌ ବ୍ୟାଙ୍କ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ କଟକଣା ଜାରି କରିବା ପରଠାରୁ ବିଜୟ ଶେଖର ଶର୍ମାଙ୍କ ପାଇଁ ବହୁତ ବଡ଼ ଆହ୍ବାନ ସୃଷ୍ଟି ହୋଇଛି। କମ୍ପାନି ପ୍ରତି ‌ସାଧାରଣ ଜନତା ଓ ବ୍ୟବସାୟ ଜଗତର ରହିଥିବା ବିଶ୍ବାସକୁ ଫେରାଇ ଆଣିବା ପାଇଁ ତାଙ୍କୁ କାମ କରିବାକୁ ପଡ଼ିବ। ଉତ୍ତରପ୍ରଦେଶର ଆଲିଗଡ଼ରେ ଜନ୍ମ ହୋଇଥିବା ବିଜୟ ଇଞ୍ଜିନିୟରିଂ ପାଠପଢ଼ିବା ପରେ ଉଦ୍ୟୋଗୀ ହେବାକୁ ମନ ବଳାଇଥିଲେ। ୧୯୯୬ରେ ସେ ୱାନ୍‌୯୭ କମ୍ୟୁନିକେସନ ସ୍ଥାପନ କରିଥିଲେ ଏବଂ ୨୦୧୦ରେ ଆରମ୍ଭ କରିଥିଲେ ଲୋକପ୍ରିୟ ବ୍ରାଣ୍ଡ୍‌ ପେଟିଏମ୍। କରୋନା ମହାମାରୀ ସମୟରେ ଘରୁ ବାହାରିବା ଯେତେବେଳେ କଷ୍ଟକର ଥିଲା କିଣାବିକା କାରବାରକୁ ସହଜ କରିଥିଲା ପେଟିଏମ୍।

ସେହିଭଳି ଆଉ ଜଣେ ପ୍ରତିଷ୍ଠାତା ମଧ୍ୟ ସଙ୍କଟ ଦେଇ ଗତି କରୁଥିବା ବେଳେ ନିଜ କମ୍ପାନି ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି। ସେ ହେଉଛନ୍ତି ବାଇଜୁସ୍‌ର ପ୍ରତିଷ୍ଠାତା ବାଇଜୁ ରବୀନ୍ଦ୍ରନ। ଜଣେ ଗଣିତ ଶିକ୍ଷକରୁ ଉଦ୍ୟୋଗୀ ହୋଇଥିବା ରବୀନ୍ଦ୍ରନ ଦେଶର ସବୁଠୁ ବଡ଼ ଏଡ୍‌ଟେକ୍ କମ୍ପାନି ବାଇଜୁସ୍‌ ଗଠନ କରିଥି‌ଲେ। ଏକଦା ଏହି କମ୍ପାନିର ମୂଲ୍ୟ ୨୨ ବିଲିଅନ ଡଲାର ଥିଲା। ଏହା ଅତ୍ୟନ୍ତ ଦ୍ରୁତ ଗତିରେ ଆଗକୁ ବଢ଼ି ଈର୍ଷଣୀୟ ସଫଳତା ପାଇଥିଲା। ମାତ୍ର ସେହି ଭଲ ଦିନ ସେହିଭଳି ଶୀଘ୍ର ସରିଗଲା।‌ ବାଇଜୁସ୍‌ ଏବେ ନିଜ କର୍ମଚାରୀଙ୍କୁ ‌ଦରମା ଦେବା ଲାଗି ସଂଘର୍ଷ କରୁଛି। ଏହାର ମୂଲ୍ୟ ଏବେ ୧-୩ ବିଲିଅନ ଡଲାରକୁ ଖସିଆସିଛି।