ଦୁଇ ସରକାରୀ ବ୍ୟାଙ୍କ ପର୍ଯ୍ୟାୟକ୍ରମେ ବିକ୍ରି ହେବ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଯେଉଁ ଦୁଇଟି ସରକାରୀ ବ୍ୟାଙ୍କର ଘରୋଇକରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ସେଗୁଡ଼ିକୁ ଏକାଥରେ ବିକ୍ରି କରାଯିବ ନାହିଁ। ପର୍ଯ୍ୟାୟକ୍ରମେ ସେହି ଦୁଇ ବ୍ୟାଙ୍କର ଅଂଶଧନ ବିକ୍ରି କରାଯିବ। ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ଓ ସେଣ୍ଟ୍ରାଲ୍ ବ୍ୟାଙ୍କକୁ ବିକ୍ରି କରାଯିବ ବୋଲି ଚର୍ଚ୍ଚା ହେଉଛି। ସରକାରଙ୍କ ପକ୍ଷରୁ ଏନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।

ମିଳିଥିବା ସୂଚନା ଅନୁସାରେ ପୁଞ୍ଜିପ୍ରତ୍ୟାହାର ପରେ ଦୁଇ ବ୍ୟାଙ୍କରେ କେନ୍ଦ୍ର ସରକାର ୨୬% ଲେଖାଏଁ ଅଂଶଧନ ରଖିବେ। ବ୍ୟାଙ୍କ ଘରୋଇକରଣକୁ ସହଜ କରିବା ଲାଗି ଚଳିତ ମାସ ୨୯ରୁ ଆରମ୍ଭ ହେଉଥିବା ସଂସଦର ଶୀତ ଅଧିବେଶନରେ ସରକାର ବ୍ୟାଙ୍କିଙ୍ଗ ନିୟମରେ ସଂଶୋଧନ କରିବାକୁ ବିଲ୍ ଆଣିବେ। ଯେଉଁ ୨୬ଟି ବିଲ୍ ଏଥର ଅଧିବେଶନରେ ଆସିବ ବୋଲି ଧାର୍ଯ୍ୟ କରାଯାଇଛି ସେଥିରେ ବ୍ୟାଙ୍କିଙ୍ଗ୍ ସଂଶୋଧନ ବିଲ୍ ନାମ ରହିଛି। ଦୁଇଟି ସରକାରୀ ବ୍ୟାଙ୍କ ଓ ଗୋଟିଏ ବୀମା କଂପାନିର ଘରୋଇକରଣ କରାଯିବ ବୋଲି ଚଳିତ ଆର୍ଥିକ ବର୍ଷର ବଜେଟ୍‌ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ। ପୁଞ୍ଜି ପ୍ରତ୍ୟାହାରରୁୁ ସରକାର ଏଥର ୧.୭୫ ଲକ୍ଷ କୋଟି ଟଙ୍କା ପାଇବାକୁ ଯୋଜନା ରଖିଛନ୍ତି। ଆସନ୍ତା ମାର୍ଚ୍ଚ ସୁଦ୍ଧା ବିପିସିଏଲ୍ ଓ ସିପିଙ୍ଗ କର୍ପୋରେସନର ଅଂଶଧନ ବିକ୍ରି କରିବା ଓ ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ଇନିସିଅାଲ୍‌ ପବ୍ଲିକ୍ ଅଫର (ଆଇପିଓ) ଆଣିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ସମ୍ବନ୍ଧିତ ଖବର