ନୂଆଦିଲ୍ଲୀ: ଦୁଇଚକିଆ ଗାଡ଼ି ଯଥା ମୋଟରସାଇକଲ୍ ଓ ସ୍କୁଟର ବିକ୍ରି କରୁଥିବା କମ୍ପାନିଗୁଡ଼ିକୁ ଗାଡ଼ି ସହିତ ଗ୍ରାହକଙ୍କୁ ଦୁଇଟି ଆଇଏସ୍ଆଇ ଚିହ୍ନ ଥିବା ହେଲ୍ମେଟ୍ ଦେବା ଲାଗି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ କହିଛନ୍ତି। ଗଡ଼କରୀଙ୍କ ଏହି ଘୋଷଣାକୁ ହେଲ୍ମେଟ୍ ନିର୍ମାତା ସଂଘ ସମର୍ଥନ କରିଛି। ସଡ଼କ ସୁରକ୍ଷାରେ ଉନ୍ନତି ଆଣିବା ଲାଗି ଗଡ଼କରୀ ଏଭଳି ଘୋଷଣା କରିଛନ୍ତି। ଆଇଏସ୍ଆଇ ଚିହ୍ନ ଥିବା ହେଲ୍ମେଟ୍କୁ ବାଧ୍ୟତାମୂଳକ କରିବା ଲାଗି ହେଲ୍ମେଟ୍ ନିର୍ମାତା ସଂଘ ଅନେକ ଦିନରୁ ଦାବି କରୁଥିଲା।
ତଥ୍ୟ କହୁଛି ଯେ ଦେଶରେ ବର୍ଷକୁ ୪,୮୦,୦୦୦ରୁ ଅଧିକ ସଡ଼କ ଦୁର୍ଘଟଣାରେ ୧,୮୮,୦୦୦ ଲୋକଙ୍କ ମୃତ୍ୟୁ ହେଉଛି। ସେମାନଙ୍କ ଭିତରୁ ୬୬ ପ୍ରତିଶତ ଲୋକଙ୍କ ବୟସ ୧୮ରୁ ୪୫ ବର୍ଷ ଭିତରେ ରହିଛି। ଦୁଇଚକିଆ ଯାନ ଦୁର୍ଘଟଣାରେ ବର୍ଷକୁ ୬୯ ହଜାର ମୃତ୍ୟୁ ହେଉଛି। ସେଥିରୁ ୫୦ ପ୍ରତିଶତ ମୃତ୍ୟୁ ହେଲ୍ମେଟ୍ ପିନ୍ଧି ନ ଥିବା କାରଣରୁ ହେଉଛି। ଦୁଇଚକିଆ ହେଲ୍ମେଟ୍ ନିର୍ମାତା ସଂଘ (ଟିଏଚ୍ଏମ୍ଏ)ର ସଭାପତି ରାଜୀବ କପୁର ଏହି ନିର୍ଦ୍ଦେଶକୁ ସ୍ବାଗତ କରିଛନ୍ତି। ସେ କହିଛନ୍ତି ଯେ ଏହା କେବଳ ଏକ ନିୟମ ନୁହେଁ, ଏହା ହେଉଛି ଜାତୀୟ ଆବଶ୍ୟକତା। ସଡ଼କ ଦୁର୍ଘଟଣାରେ ଯେଉଁ ପରିବାର ନିଜ ପ୍ରିୟଜନଙ୍କୁ ହରାଇଛନ୍ତି, ଏହି ନିର୍ଦ୍ଦେଶନାମା ସେମାନଙ୍କ ମନରେ ଭବିଷ୍ୟତ ଦୁର୍ଘଟଣା ରୋକିହେବ ବୋଲି ଆଶା ସଞ୍ଚାର କରିବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/01/j6lzBHVL2owmNnEc7KtC.jpg)