ନୂଆଦିଲ୍ଲୀ: ଚୀନ୍ର ଆଉ ଦୁଇଟି ଲୋକପ୍ରିୟ ଆପ୍କୁ ଭାରତ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି। ଚୀନ୍ର ‘ବେଦୁ’ ଓ ‘ୱିବୋ’କୁ ନିଷିଦ୍ଧ କରାଯାଇଛି। ଏହି ଦୁଇ ଆପ୍କୁ ଗୁଗୁଲ୍ ପ୍ଲେ ଷ୍ଟୋର୍ ଓ ଆପଲ୍ ଆପ୍ ଷ୍ଟୋର୍ରୁ ହଟାଇ ଦେବାକୁ ନିର୍ଦେଶ ଦିଆଯାଇଛି। ଏହି ଦୁଇ ଆପ୍କୁ ବ୍ଲକ୍ କରିବା ଲାଗି ଇଣ୍ଟରନେଟ୍ ସେବା ପ୍ରଦାନ କରୁଥିବା ସଂସ୍ଥାଗୁଡ଼ିକୁ ମଧ୍ୟ କୁହାଯାଇଛି। ଚୀନ୍ରେ ବେଦୁକୁ ଗୁଗୁଲ୍ର ବିକଳ୍ପ ଭାବେ ଗ୍ରହଣ କରାଯାଇଛି। ସିନା କର୍ପୋରେସନ ପକ୍ଷରୁ ୨୦୧୯ରେ ୱିବୋକୁ ଉନ୍ମୋଚନ କରାଯାଇଥିଲା। ସାରା ବିଶ୍ବରେ ୫୦ କୋଟିରୁ ଅଧିକ ଲୋକ ଏହାକୁ ବ୍ୟବହାର କରୁଛନ୍ତି। ଟ୍ବିଟର୍ ଭଳି ଏହା ଏକ ସୋସିଆଲ୍ ମିଡିଆ ଆପ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହାକୁ ବ୍ୟବହାର କରୁଥିଲେ।
ମାତ୍ର ଲଦାଖ୍ର ଗଲ୍ୱାନ ଘାଟିରେ ଭାରତ ଓ ଚୀନ୍ ସେନା ମଧ୍ୟରେ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହେବା ପରେ ମୋଦୀ ନିଜର ଆକାଉଣ୍ଟ୍ ଡିଲିଟ୍ କରିଛନ୍ତି। ଗତ ଜୁଲାଇ ୨୭ରେ କେନ୍ଦ୍ର ସରକାର ଯେଉଁ ୪୭ଟି ଆପ୍କୁ ନିଷିଦ୍ଧ କରିଥିଲେ ସେଥିରେ ବେଦୁ ଓ ୱିବୋର ନାମ ଥିଲା। ଗଲ୍ୱାନ୍ରେ ଘଟିଥିବା ସଂଘର୍ଷ ପରେ ଭାରତ ସରକାର ଚୀନ୍ ବିରୋଧରେ ଅର୍ଥନୈତିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗତ ଜୁନ୍ ୨୯ରେ ଚୀନ୍ର ୫୯ଟି ଆପ୍କୁ ନିଷିଦ୍ଧ ଘୋଷଣା କରିଥିଲେ। ଏହା ଦ୍ବାରା ଟିକ୍ଟକ୍ ସର୍ବାଧିକ ପ୍ରଭାବିତ ହୋଇଥିଲା। ଭାରତରେ ଟିକ୍ଟକ୍କୁ ୨୦ କୋଟିରୁ ଅଧିକ ଲୋକ ବ୍ୟବହାର କରୁଥିଲେ। ଏହା ବ୍ୟତୀତ ୟୁସି ବ୍ରାଉଜର, ଲାଇକି, ହେଲୋ, ସେୟାରଇଟ୍, ୱିଚାଟ୍, କ୍ୟାମ୍ସ୍କାନର୍ ଓ ଏମ୍ଆଇ କମ୍ୟୁନିଟି ଭଳି ଆପ୍ ମଧ୍ୟ ଭାରତରେ ବେଶ ଲୋକପ୍ରିୟ ଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ଗତ ଜୁଲାଇ ୨୭ରେ ଆଉ ୪୭ଟି ଆପ୍କୁ ନିଷିଦ୍ଧ କରାଯାଇଥିଲେ। ଏଥିରେ ପ୍ରଥମ ପର୍ଯ୍ୟାୟରେ ନିଷିଦ୍ଧ କରାଯାଇଥିବା ଆପ୍ଗୁଡ଼ିକର ଲାଇଟ୍ ଭର୍ସନ ଅଧିକ ଥିଲା। ଟିକ୍ଟକ୍ ଲାଇଟ୍, ସେୟାରଇଟ୍ ଲାଇଟ୍, କ୍ୟାମ୍ସ୍କାନର ଏଚ୍ଡି, ବାୟୋଲାଇଭ୍ ଲାଇଟ୍, ଲାଇକି ଲାଇଟ୍ ଆଦି ଆପ୍ର ନାମ ଏହି ତାଲିକାରେ ଥିଲା। ଆଗାମୀ ଦିନରେ ଆଉ ୨୭୫ଟି ଆପ୍କୁ ନିଷିଦ୍ଧ କରିବା ବିଷୟରେ ସରକାର ବିଚାର କରୁଛନ୍ତି। ସେଥିରେ ମୋବାଇଲ୍ ଗେମ୍ ପବ୍ଜିର ନାମ ରହିଛି।