ଦୁଇ ଘରୋଇ ବ୍ୟାଙ୍କ ମୁଖ୍ୟଙ୍କୁ ସମନ

ମୁମ୍ବାଇ: ପିଏନ୍‌ବି ଠକେଇ ମାମଲାରେ ଆଜି ଦେଶର ଦୁଇଟି ପ୍ରମୁଖ ଘରୋଇ ବ୍ୟାଙ୍କର ଏମ୍‌ଡି ତଥା ସିଇଓଙ୍କୁ ଏସ୍‌ଏଫ୍‌ଆଇଓ ପଚରାଉଚରା ପାଇଁ ଡାକିଛି। ସେମାନଙ୍କୁ ଏସ୍‌ଏଫ୍‌ଆଇଓ(ଗୁରୁତର ଅପରାଧ ତଦନ୍ତ କାର୍ଯ୍ୟାଳୟ)ର ମୁମ୍ବାଇସ୍ଥିତ କାର୍ଯ୍ୟାଳୟରେ ହାଜର ହେବା ଲାଗି କୁହାଯାଇଛି। ଗଣମାଧ୍ୟମରେ ଏହି ଖବର ପ୍ରଚାର ହେବା ପରେ ଏହାର ଜବରଦସ୍ତ ପ୍ରଭାବ ଆଜି ଷ୍ଟକ ମାର୍କେଟ ଉପରେ ପଡ଼ିଛି।
ଆଇସିଆଇସିଆଇ ବ୍ୟାଙ୍କ ସିଏମ୍‌ଡି ଚନ୍ଦା କୋଚ୍ଚର ଓ ଏକ୍ସିସ୍‌ ବ୍ୟାଙ୍କର ସିଏମ୍‌ଡି ଶିଖା ଶର୍ମାଙ୍କୁ ମେହୁଲ ଚୋକ୍‌ସିଙ୍କୁ ଗୀତାଞ୍ଜଳି ଗ୍ରୁପ୍‌ କଂପାନିକୁ ୫୦୦୦ କୋଟି ଟଙ୍କାରୁ ଅଧିକ ପରିମାଣର କାର୍ଯ୍ୟକାରୀ ପୁଞ୍ଜି ଋଣ ପ୍ରଦାନ କରାଯାଇଥିଲା। ଆଇସିଆଇସିଆଇ ବ୍ୟାଙ୍କର ନେତୃତ୍ୱରେ ୩୧ଟି ବ୍ୟାଙ୍କ ଏହି ଋଣ ଉକ୍ତ କଂପାନିକୁ ପ୍ରଦାନ କରିଥିଲେ। ଏକ୍ସିସ ବ୍ୟାଙ୍କର ମଧ୍ୟ ଏଥିରେ ମୋଟା ଅଙ୍କର ଋଣ ରହିଛି। ଆଇସିଆଇସିଆଇ ବ୍ୟାଙ୍କ ପ୍ରାୟ ୪୦୦ କୋଟି ଟଙ୍କାର ଋଣ ପ୍ରଦାନ କରିଛି। ଏ ବାବଦେରେ ପଚରାଉଚରା ପାଇଁ ସେମାନଙ୍କୁ ଡକାଯାଇଛି ବୋଲି କୁହାଯାଇଛି। ଏତଦ୍‌ବ୍ୟତୀତ ପିଏନ୍‌ବିର ଏମ୍‌ଡି ତଥା ସିଇଓ ସୁନୀଲ ମେହେଟ୍ଟାଙ୍କୁ ମଧ୍ୟ ଏସ୍‌ଏଫ୍‌ଆଇଓ ପଚରାଉଚରା ପାଇଁ ଡାକିଛି। ଉଲ୍ଲେଖଯୋଗ୍ୟ ଯେ, କଂପାନି ବ୍ୟାପାର ମନ୍ତ୍ରାଳୟ ଅଧୀନରେ ଏସ୍‌ଏଫ୍‌ଆଇଓ ରହିଛି। ଦେଶରେ ବଡ଼ ଧରଣର ଆର୍ଥିକ ଜାଲିଆତି ମାମଲାର ତଦନ୍ତ ଏହି କାର୍ଯ୍ୟାଳୟ କରିଥାଏ।
ଅନ୍ୟପକ୍ଷରେ ଆଜି ଅପରାହ୍ନରେ ଏକ୍ସିସ ବ୍ୟାଙ୍କର ବରିଷ୍ଠ ଅଧିକାରୀମାନେ ଏସ୍‌ଏଫ୍‌ଆଇଓ କାର୍ଯ୍ୟାଳୟରେ ହାଜର ହୋଇଥିବା ଜଣାଯାଇଛି। ବ୍ୟାଙ୍କର ଡେପୁଟି ଏମ୍‌ଡି ଭି. ଶ୍ରୀନିବାସନ୍‌ଙ୍କ ନେତୃତ୍ୱରେ ଟ୍ରେଡ୍‌ ଓ ଟ୍ରାଞ୍ଜାକ୍ସନ ବିଭାଗର ବରିଷ୍ଠ ଅଧିକାରୀମାନେ ତଦନ୍ତକାରୀ ସଂସ୍ଥାର କାର୍ଯ୍ୟାଳୟରେ ହଜାର ହୋଇଛନ୍ତି। ଏହି ବ୍ୟାଙ୍କ ଅଧିକାରୀମାନେ ଏସ୍‌ଏଫ୍‌ଆଇଓର କାର୍ଯ୍ୟାଳୟରେ ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ରହି ଫେରିଥିଲେ। ତେବେ ଚନ୍ଦା କୋଚର ଓ ଶିଖା ଶର୍ମା ହାଜର ହୋଇଥିବା ନେଇ କୌଣସି ଖବର ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ। ଅନ୍ୟପକ୍ଷରେ ଏହି ଦୁଇ ବ୍ୟାଙ୍କର ମୁଖ୍ୟମାନଙ୍କୁ ସମନ କରାଯାଇ ନଥିବା ବିଷୟ ଏସ୍‌ଏଫ୍‌ଆଇଓ କହିଥିବା ବିଷୟ ଏକ ଗଣମାଧ୍ୟମ ସଂସ୍ଥା କହିଛି।

ସମ୍ବନ୍ଧିତ ଖବର