ମୁମ୍ବାଇ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ପ୍ରଚଳନରେ ଥିବା ମୋଟ ୩.୬୨ ଲକ୍ଷ କୋଟି ମୂଲ୍ୟର ୨ ହଜାର ଟଙ୍କିଆ ନୋଟର ଦୁଇ-ତୃତୀୟାଂଶ ( ମୂଲ୍ୟ ପ୍ରାୟ ୨.୪୧ ଲକ୍ଷ କୋଟି ଟଙ୍କା) ନୋଟ୍ ଫେରିଆସିଛି । ୨ ହଜାର ଟଙ୍କିଆ ନୋଟ୍ ପ୍ରତ୍ୟାହାର ନିଷ୍ପତ୍ତିର ଏକ ମାସ ମଧ୍ୟରେ ବ୍ୟାଙ୍କଗୁଡ଼ିକୁ ଫେରିଆସିଛି ବୋଲି ସେ କହିଛନ୍ତି ।  ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ପ୍ରତ୍ୟାହାର କରାଯାଉଥିବା ୨୦୦୦ ଟଙ୍କିଆ ନୋଟ୍ ଅର୍ଥନୀତି ଉପରେ କୌଣସି ପ୍ରତିକୂଳ ପ୍ରଭାବ ପକାଇବ ନାହିଁ ।

Advertisment

ଗତ ମେ ୧୯ ତାରିଖରେ କେନ୍ଦ୍ରୀୟ ବ୍ୟାଙ୍କ ୨ ହଜାର ଟଙ୍କିଆ ନୋଟ୍ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିଲା। ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଲୋକମାନେ ବ୍ୟାଙ୍କଯାଇ ସେମାନଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କିଆ ନୋଟ୍ ଜମା କରିବା କିମ୍ବା ଅନ୍ୟାନ୍ୟ ମୂଲ୍ୟର ନୋଟ୍ ବଦଳାଇବାକୁ କୁହାଯାଇଥିଲା । ମୂଲ୍ୟ ହିସାବରେ ମାର୍ଚ୍ଚ ୨୦୨୩ ସୁଦ୍ଧା ୨୦୦୦ ଟଙ୍କିଆ ନୋଟର ମୋଟ ମୂଲ୍ୟ ୩.୬୨ ଲକ୍ଷ କୋଟି ଟଙ୍କା ଥିଲା ।

ଆରବିଆଇ କାର୍ଯ୍ୟାଳୟରେ ଆୟୋଜିତ ଏକ ସାକ୍ଷାତକାରରେ ଶ୍ରୀ ଦାସ କହିଛନ୍ତି ଯେ ପ୍ରଚଳନରେ ଥିବା ୨ ହଜାର ଟଙ୍କିଆ ନୋଟ୍ ପ୍ରତ୍ୟାହାର ନିଷ୍ପତ୍ତି ପରେ ମୋଟ ୩.୬୨ ଲକ୍ଷ କୋଟି ଟଙ୍କା ବା ୨.୪୧ ଲକ୍ଷ କୋଟି ଟଙ୍କାରୁ ଅଧିକ ନୋଟ୍ ବ୍ୟାଙ୍କକୁ ଫେରିଆସିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଫେରିଥିବା ୨ ହଜାର ଟଙ୍କିଆ ନୋଟ୍ ମଧ୍ୟରୁ ପ୍ରାୟ ୮୫ ପ୍ରତିଶତ ବ୍ୟାଙ୍କ ଆକାଉଣ୍ଟରେ ଜମା ଆକାରରେ ଆସିଛି।