ଦୁଇ ଗୁଣ ବଢ଼ିଲା ଆୟକର ରିଟର୍ଣ୍ଣ : ବିମୁଦ୍ରାକରଣ ପ୍ରଭାବ!

ନୂଆଦିଲ୍ଲୀ: ଟିକସଦାତା ଏବଂ ପରାମର୍ଶଦାତାଙ୍କ ଚାପରେ ସରକାର ଆୟକର ରିଟର୍ଣ୍ଣ ଦାଖଲର ଅବଧି ନିକଟରେ ଏକ ମାସ ବୃଦ୍ଧି କରିଛନ୍ତି। ଜୁଲାଇ ୩୧ ତାରିଖ ସୁଦ୍ଧା ରିଟର୍ଣ୍ଣ ଦାଖଲ କରିବାକୁ ପୂର୍ବରୁ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ନିକଟରେ ସରକାର ଏହାକୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ତେବେ ଦେଶରେ ଆୟକର ରିଟର୍ଣ୍ଣ ଦାଖଲ ନେଇ ଉତ୍ସାହଜନକ ରିପୋର୍ଟ ହସ୍ତଗତ ହୋଇଛି। ଗତ ସପ୍ତାହ ସୁଦ୍ଧା ଦେଶରେ ଆୟକର ରିଟର୍ଣ୍ଣ ଦାଖଲରେ ଦୁଇ ଗୁଣରୁ ଅଧିକ ବୃଦ୍ଧି ଘଟି ଏହି ସଂଖ୍ୟା ପ୍ରାୟ ୩ କୋଟି ହୋଇଯାଇଛି। ସେହିଭଳି ରିଫଣ୍ଡ୍‌ର ପ୍ରୋସେସିଂ ବା ଆୟକର ବାବଦରେ କରାଦାତାମାନେ ଯେଉଁ ରାଶି ଫେରି ପାଇଥାନ୍ତି ସେଥିରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ଘଟିଛି।

ଏବେ ସୁଦ୍ଧା ରିଫଣ୍ଡ୍‌ ଫଇସଲାରେ ୮୧%ରୁ ଊର୍ଧ୍ୱ ବୃଦ୍ଧି ଘଟି ୬୫ ଲକ୍ଷକୁ ବୃଦ୍ଧି ପାଇଛି। ଗତ ଗୁରୁବାର ସୁଦ୍ଧା ରିଫଣ୍ଡ ବାବଦରେ ଆୟକର ବିଭାଗ ୩୫ ପ୍ରତିଶତ ଅଧିକ ରାଶି ଅର୍ଥାତ୍‌ ୭୭,୭୦୦ କୋଟି ଟଙ୍କା ପ୍ରଦାନ କରିଛି। ଏହାର ପୂର୍ବ ବର୍ଷ ଉପରୋକ୍ତ ସମୟ ସୁଦ୍ଧା ଆୟକର ରିଫଣ୍ଡ ବାବଦରେ ୫୭,୫୫୧ କୋଟି ଟଙ୍କା ପ୍ରଦାନ କରାଯାଇଥିଲା।
ଇଲେକ୍‌ଟ୍ରୋନିକ ମାଧ୍ୟମରେ ଦାଖଲ କରାଯାଇଥିବା ପ୍ରାୟ ୬୦ ପ୍ରତିଶତ ରିଟର୍ଣ୍ଣର ପ୍ରୋସେସିଂ ହୋଇସାରିଛି ବୋଲି ଜଣାପଡ଼ିଛି। ବିମୁଦ୍ରାକରଣ ଘୋଷଣା ପରେ ଟିକସଦାତାଙ୍କ ଉପରେ ସୃଷ୍ଟି ହୋଇଥିବା ଚାପ ଯୋଗୁଁ ରିଟର୍ଣ୍ଣ ଫାଇଲ୍‌ ପରିମାଣ ବଢ଼ିଥିବା କୁହାଯାଉଛି। ଏହାକୁ ବିମୁଦ୍ରାକରଣର ସକାରାତ୍ମକ ପ୍ରଭାବ ଭାବେ ବିଚାର କରାଯାଉଛି। ଗତବର୍ଷ ୧.୦୬ କୋଟି ଅଧିକ ଲୋକ ରିଟର୍ଣ୍ଣ ଦାଖଲ କରିଥିବା ବେଳେ ସରକାର ଚଳିତ ବର୍ଷ ୧.୨୫ କୋଟି ଅଧିକ ଆୟକରଦାତା ଯୋଡ଼ିବା ଲକ୍ଷ୍ୟ ରଖିଛନ୍ତି। ସରକାର ପ୍ରଥମେ ଜୁଲାଇ ୩୧ ତାରିଖକୁ ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖ ଭାବେ ଧାର୍ଯ୍ୟ କରିଥିବାରୁ ଏହି ତାରିଖ ସୁଦ୍ଧା ରିଟର୍ଣ୍ଣ ଦାଖଲ କରିବା ପାଇଁ ଅଧିକାଂଶ ଲୋକେ ପ୍ରଚେଷ୍ଟା କରିଛନ୍ତି।

ନିର୍ଧାରିତ ତାରିଖ ପରେ ରିଟର୍ଣ୍ଣ ଦାଖଲ କରିଲେ ଜରିମାନା ଦେବାର ବ୍ୟବସ୍ଥା କରାଯାଇଥିବାରୁ ରିଟର୍ଣ୍ଣ ଦାଖଲ କରିଥିବା ଲୋକଙ୍କ ସଂଖ୍ୟାରେ ଏଭଳି ବୃଦ୍ଧି ଘଟିଛି ବୋଲି କୁହାଯାଉଛି। ୨୦୧୭ ଜୁଲାଇ ୨୬ ତାରିଖ ସୁଦ୍ଧା ୧.୭ କୋଟି ଇ-ରିଟର୍ଣ୍ଣ ଦାଖଲ ହୋଇଥିଲା। ତେବେ ୨୦୧୮ ଜୁଲାଇ ୨୬ ସୁଦ୍ଧା ରିଟର୍ଣ୍ଣ ଦାଖଲରେ ପ୍ରାୟ ୮୨ ପ୍ରତିଶତ ବୃଦ୍ଧି ଘଟିଛି। ଆୟକର ବିଭାଗ ଦେଶରେ ଆୟକରଦାତାଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଉଦ୍ୟମ ଚଳାଇଛି। ଏଥିପାଇଁ ଏକାଧିକ ସୂଚନା ଉତ୍ସକୁ ଉପଯୋଗ କରୁଛି। ସମ୍ପତ୍ତି ପଞ୍ଜୀକରଣ ଠାରୁ ମୂଲ୍ୟବାନ ସାମଗ୍ରୀ କ୍ରୟ ପର୍ଯ୍ୟନ୍ତ ବିଭିନ୍ନ କାରବାର ଉପରେ ତୀକ୍ଷ୍‌ଣ ନଜର ରଖିଛନ୍ତି। ବିଶେଷକରି ଯେଉଁମାନେ ରିଟର୍ଣ୍ଣ ଦାଖଲ କରୁନାହାନ୍ତି କିମ୍ବା ବାସ୍ତବ ଆୟ ସମ୍ପର୍କରେ ସୂଚନା ଦେଉନାହାନ୍ତି ସେମାନଙ୍କ ଉପରେ ନଜର ରଖାଯାଇଛି। ଦେଶରେ ସମ୍ପତ୍ତି ପଞ୍ଜୀକରଣ କାର୍ଯ୍ୟାଳୟ ସମେତ ଗହଣା ବିକ୍ରେତା, କାର୍‌ ଡିଲର, ଦାମୀ ଘଣ୍ଟା ବିକ୍ରେତା ଆଦିଙ୍କଠାରୁ ତଥ୍ୟ ସଂଗ୍ରହ କରି ତାହାକୁ ବିଭାଗ ମିଳାଉଛି।

ସମ୍ବନ୍ଧିତ ଖବର