ନୂଆଦିଲ୍ଲୀ: ଭାରତୀୟ ରେଳବାଇର ଦାୟିତ୍ୱହୀନତା ହେତୁ ଶହ ଶହ ଯାତ୍ରୀ ଏକ ବିରାଟ ଦୁର୍ଘଟଣାର ଶିକାର ହୋଇଥାନ୍ତେ। ଫେବ୍ରୁଆରି ୯ ତାରିଖରେ ଏହି ଦୁର୍ଘଟଣାଟି ଘଟିବାକୁ ଯାଉ ଯାଉ ଅଳ୍ପକେ ବର୍ତ୍ତି ଯାଇଛି। ଗୋଟାଏ ରେଳ ଟ୍ରାକ୍ରେ ଏକା ଥରରେ ଦୁଇ ଦୁଇଟି ଟ୍ରେନ୍ ମୁହାଁମୁହିଁ ହୋଇଥିବା ପରି ଦୃଶ୍ୟ ଦେଖିବାକୁ ମିଳିଛି। ଗେଟାଏ ଟ୍ରାକ୍ରେ ସେପାଖରୁ ଆସୁଛି ହରିଦ୍ୱାର-ଦିଲ୍ଲୀ ପାସେଞ୍ଜର୍ ଟ୍ରେନ୍ ଏବଂ ଅନ୍ୟ ପାଖରୁ ଆସୁଛି ଶାହାରନପୁର-ଦିଲ୍ଲୀ ପାସେଞ୍ଜର୍ ଟ୍ରେନ୍।
ଏହି ଦୃଶ୍ୟର ଭିଡିଓ ଏମ୍. ସି ଚୌଧୁରୀ ନାମକ ଜଣେ ବ୍ୟକ୍ତି ନିଜ ଫେସ୍ବୁକ୍ ପେଜ୍ରେ ଅପ୍ଲୋଡ୍ କରିଛନ୍ତି। ଘଟଣାସ୍ଥଳରେ ବହୁ ଦେଖଣାହାରୀ ଉପସ୍ଥିତ ରହି ମୋବାଇଲ୍ରେ ସୁଟିଂ କରୁଥିବା ଦେଖିବାକୁ ମିଳୁଛି। ପ୍ରାୟ ୫୦୦ ମିଟର ଦୂରତାରେ ୨ଟି ଟ୍ରେନ୍ ନଚାଲି ସ୍ଥିର ରହିଛି। ଯାତ୍ରୀମାନେ ଟ୍ରେନ୍ରୁ ଓହ୍ଲାଇ ତଳେ ଏପାଖ ସେପାଖ ହେବା ସହ ଫଟୋ, ଭିଡିଓ ନେବାରେ ବ୍ୟସ୍ତ ରହିଛନ୍ତି। ତେବେ ଲୋକପାଇଲଟଙ୍କ ଉପସ୍ଥିତ ବୁଦ୍ଧି ହେତୁ ଶହ ଶହ ଲୋକ ବର୍ତ୍ତି ଯାଇଛନ୍ତି ବୋଲି ଅପ୍ଲୋଡକାରୀ ନିଜ ଫେସ୍ବୁକ୍ ପେଜ୍ରେ ଉଲ୍ଲେଖ କରିଛନ୍ତି।