ରୁଷ ତେଲ ଉପରେ ଆମେରିକାର କଟକଣା

ରୁଷର ପାଲଟା ଧମକ: ‘ତୈଳ ଦର ୩୦୦ ଡଲାର ଟପିବ, ଜର୍ମାନିକୁ ଗ୍ୟାସ ଦେବିନି’

ନୂଆଦିଲ୍ଲୀ: ଯୁଦ୍ଧ ମନସ୍କ ରୁଷ ଉପରେ ଅଧିକ ଚାପ ସୃଷ୍ଟି କରିବା ଲାଗି ତାହାର ତୈଳ ଉପରେ ଆମେରିକା ସରକାର କଟକଣା ଲଗାଇଛନ୍ତି। ହ୍ବାଇଟ୍‌ ହାଉସ୍‌ରୁ ସମ୍ବୋଧିତ କରି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଆଜି ଏହା ଘୋଷଣା କରିଛନ୍ତି। ରୁଷର କୌଣସି ତୈଳକୁ ଆମେରିକାର ବନ୍ଦରଗୁଡ଼ିକରେ ଗ୍ରହଣ କରାଯିବ ନାହିଁ। ସହଯୋଗୀମାନଙ୍କ ସହ ବ୍ୟାପକ ବିଚାରବିମର୍ଶ କରିବା ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହା ଦ୍ବାରା ଆମେରିକାବାସୀ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଆଉ ଏକ ଶକ୍ତ ଝଟ୍‌କା ଦେଇଛନ୍ତି ବୋଲି ବାଇଡେନ୍ କହିଛନ୍ତି। ଆମେରିକାରେ ତୈଳ ଓ ଗ୍ୟାସ୍‌ ଦର ଆକାଶଛୁଆଁ ସ୍ତରରେ ରହିଛି। ରୁଷ ତେଲ ଉପରେ କଟକଣା ଲଗାଇବା ଦ୍ବାରା ଦରଦାମ୍ ଆହୁରି ବେଲଗାମ ହେବା ଜାଣିଥିବା ସତ୍ତ୍ବେ କଂଗ୍ରେସ ଚାପରେ କଟକଣା ଭଳି କଠୋର ନିଷ୍ପତ୍ତି ଗ୍ରହଣ କରିବା ଲାଗି ବାଇଡେନ୍ ବାଧ୍ୟ ହୋଇଛନ୍ତି। ଆମେରିକା ୧୦%ରୁ କମ୍ ତେଲ ରୁଷରୁ ମଗାଉଥିବାରୁ କଟକଣା ଦ୍ବାରା ତାହା ବିଶେଷ ପ୍ରଭାବିତ ହେବ ନାହିଁ। କିନ୍ତୁ, ୟୁରୋପୀୟ ରାଷ୍ଟ୍ରଗୁଡ଼ିକର ଅବସ୍ଥା ଖରାପ ହୋଇଯିବ ବୋଲି କୁହାଯାଉଛି।

ଆଜି ରୁଷ ପକ୍ଷରୁ କୁହାଯାଇଥିଲା ଯେ ତେଲ ଆମଦାନି ଉପରେ କଟକଣା ଲଗାଇଲେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୩୦୦ ଡଲାରରେ ପହଞ୍ଚିବ। ଗତକାଲି ତୈଳ ଦର ୧୩୯ ଡଲାର ସ୍ତର ଅତିକ୍ରମ କରିଥିଲା। ୨୦୦୮ ପରେ ପ୍ରଥମ ଥର ଲାଗି ତୈଳ ଦର ଏଭଳି ଉଚ୍ଚ ସ୍ତରରେ ପହଞ୍ଚିଛି। ଫଳରେ ଏହାକୁ ନେଇ ସାରା ବିଶ୍ବରେ ହଇଚଇ ସୃଷ୍ଟି ହୋଇଛି। ରୁଷ ଓ ୟୁକ୍ରେନ ମଧ୍ୟରେ ବୁଝାମଣା ଲାଗି ବେଲାରୁଷରେ କଥାବାର୍ତା ଚାଲିଥିଲେ ମଧ୍ୟ ସେଥିରୁ କୌଣସି ନିଷ୍କର୍ସ ବାହାରୁ ନଥିବାରୁ ଆଗାମୀ ଦିନରେ ତେଲ ଆହୁରି ମହଙ୍ଗା ହେବ ବୋଲି କୁହାଯାଉଛି। ଆଜି ସକାଳ ପ୍ରହରରେ ବ୍ରେଣ୍ଟ୍‌ କ୍ରୁଡ୍‌ର ବ୍ୟାରେଲ ପିଛା ଦାମ୍ ୧୨୪ ଡଲାର ଓ ୟୁଏସ୍‌ କ୍ରୁଡ୍‌ ଦାମ୍ ୧୧୯.୮୬ ଡଲାର ଥିଲା।

ବଳପୂର୍ବକ ୟୁକ୍ରେନ ଉପରେ ଆକ୍ରମଣ କରିଥିବା ରୁଷ ଉପରେ ଚାପ ପକାଇବା ଲାଗି ତାହା ଉପରେ ବିଭିନ୍ନ ଅର୍ଥନୈତିକ କଟକଣା ଲଗାଯାଉଛି। ଯେହେତୁ ରୁଷ ଏକ ତୈଳ ରାଜସ୍ବ ଉପରେ ନିର୍ଭରଶୀଳ ଦେଶ ତେଣୁ ତାହାର ତେଲ ବିକ୍ରି ଉପରେ ବଡ଼ ଧରଣର କଟକଣା ଲଗାଇ ଅର୍ଥନୀତିକୁ ଦୁର୍ବଳ କରିବାକୁ ଆମେରିକା ଚାହୁଛି। ଏକଥା ଜାଣିବା ପରେ ରୁଷ ସବୁ ଦେଶକୁ ପାଲଟା ଚେତାବନୀ ଦେଇ ଜଣାଇଥିଲା ଯେ ଯଦି ତେଲ ବିକ୍ରି ଉପରେ କଟକଣା ଲଗାଯିବ ତେବେ ଅଶୋଧିତ ତୈଳ ଦାମ୍ ୩୦୦ ଡଲାରରୁ ଅଧିକ ହୋଇଯିବ। ଏହା ବ୍ୟତୀତ, ଜର୍ମାନିକୁ ସଂଯୋଗ କରୁଥିବା ଗ୍ୟାସ ପାଇପଲାଇନ୍‌କୁ ମଧ୍ୟ ରୁଷ କାଟି‌ଦେବ ବୋଲି ଧମକ ଦେଇଛି। ତେଲ ବିକ୍ରି ଉପରେ କଟକଣା ଲଗାଇଲେ ବଡ଼ ଧରଣର ବିପଦ ଦେଖାଦେବ ବୋଲି ରୁଷର ଉପ ପ୍ରଧାନମନ୍ତ୍ରୀ ଆଲେକ୍‌ଜାଣ୍ଡର ନୋଭାକ ଏକ ଟେଲିଭିଜନ ବାର୍ତାରେ କହିଛନ୍ତି। ରୁଷ ତେଲ ନକିଣିଲେ ଯେଉଁ ଅଭାବ ଦେଖାଦେବ ତାହା ପୂରଣ କରିବା ଲାଗି ୟୁରୋପୀୟ ରାଷ୍ଟ୍ରଗୁଡ଼ିକୁ ଏକ ବର୍ଷରୁ ଅଧିକ ସମୟ ଲାଗିବ। ଏହି ସମୟରେ ସେମାନଙ୍କୁ ଅଲଗା ଦେଶର ତେଲ ପାଇଁ ଚଢ଼ା ଦାମ୍ ଗଣିବାକୁ ପଡ଼ିବ ବୋଲି ସେ ସତର୍କ କରାଇ ଦେଇଛନ୍ତି।

ଆନ୍ତର୍ଜାତିକ କଟକଣା ଓ ବୟକଟ୍ ଯୋଗୁଁ ଆର୍ଥିକ ସ୍ତରରେ ଦୁର୍ବଳ ହୋଇପଡ଼ିଥିବା ରୁଷ ଏହାର ପୁରୁଣା ବନ୍ଧୁ ଭାରତକୁ ୨୭% ରିହାତିରେ ତେଲ ବିକିବା ଲାଗି ପ୍ରସ୍ତାବ ଦେଇଥିବା ଆଲୋଚନା ହେଉଛି। ଭାରତ ସେହି ପ୍ରସ୍ତାବ ଗ୍ରହଣ କରିଛି ନା ନାହିଁ ଜଣାପଡ଼ିନାହିଁ। ଯଦି ଏହି ପ୍ରସ୍ତାବ ଗ୍ରହଣୀୟ ହେବ ତେବେ ଭାରତକୁ ଟଙ୍କାରେ ପେମେଣ୍ଟ୍ କରିବାକୁ ପଡ଼ିବ। କାରଣ ସ୍ବିଫ୍ଟ ବ୍ୟବସ୍ଥା‌ ବ୍ୟବହାର କରିବାକୁ ରୁଷକୁ ବାରଣ କରାଯାଇଥିବାରୁ ଡଲାରରେ ପେମେଣ୍ଟ ହୋଇପାରିବ ନାହିଁ। ଅତୀତରେ ଟଙ୍କାରେ ପେମେଣ୍ଟ୍‌ ଦେଇ ଇରାନରୁ ଭାରତ ତେଲ ମଗାଉଥିଲା। ୟୁକ୍ରେନ ଉପରେ ରୁଷର ବଳପୂର୍ବକ ଆକ୍ରମଣ ଭାରତ ଲାଗି ଏକ ଅଜବ ପରିସ୍ଥିତି ସୃଷ୍ଟି କରିଛି। କୂଟନୈତିକ ସ୍ତରରେ ଭାରତକୁ ହାତେ ମାପି ଚାଖଣ୍ଡେ ଚାଲିବାକୁ ପଡ଼ୁଛି। ‌ ୟୁକ୍ରେନକୁ ଦଖଲ କରିବା ଲାଗି ରୁଷ ଯୁଦ୍ଧ ଆରମ୍ଭ କରିବା ପରଠାରୁ କେବଳ ତୈଳ ନୁହେଁ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ମହଙ୍ଗା ହେବାରେ ଲାଗିଛି। ଆଜି ନିକେଲ୍ ଦାମ୍ ପ୍ରାୟ ୧୦୦% ବୃଦ୍ଧି ପାଇ ଟନ୍ ପିଛା ୧,୦୦,୦୦୦ ଡଲାର ହୋଇଯାଇଛି। ପ୍ରଥମ ଥର ଲାଗି ନିକେଲ୍ ଦାମ୍ ଏଭଳି ଉଚ୍ଚ ସ୍ତରରେ ପହଞ୍ଚିଛି। ଅଭାବ ଦେଖାଦେବାର ଭୟ ଥିବାରୁ ଗ୍ରାହକମାନେ ଚଢ଼ା ଦାମ୍‌ରେ ନିକେଲ କିଣୁଛନ୍ତି।

ସମ୍ବନ୍ଧିତ ଖବର