ସେୟ‌ାର ବଜାରକୁ ପ୍ରଭାବିତ କରିପାରେ ଆମେରିକା ନିର୍ବାଚନ ଫଳାଫଳ

ନୂଆଦିଲ୍ଲୀ: ଷ୍ଟକ ମାର୍କେଟ ବା ସେୟାର ବଜାରର ବଡ଼ ଶତ୍ରୁ ହେଉଛି ଅନିଶ୍ଚିତତା। ରାଜନୀତି ଠାରୁ ଆରମ୍ଭ କରି ଅର୍ଥନୀତିରେ ଯଦି କୌଣସି ପ୍ରକାର ଅନିଶ୍ଚିତତା ଦେଖାଦିଏ ତାହେଲେ ନିବେଶକଙ୍କ ବ୍ୟବହାରରେ ହଠାତ ପରିବର୍ତ୍ତନ ଆସିଥାଏ। ବର୍ତ୍ତମାନ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଓ ଜୋ ବାଇଡେନ ପ୍ରାର୍ଥୀ ହୋଇଛନ୍ତି। ମଙ୍ଗଳବାର ସେଠାରେ ଭୋଟ ହୋଇଛି। ନିର୍ବାଚନରେ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ଜୋରଦାର ପ୍ରତିଯୋଗିତା ହେଉଛି। କିଏ ଜିତିବ ତାହା ଆକଳନ କରିବା କଷ୍ଟକର ।

ଆରବିସି କ୍ୟାପିଟାଲ ମାର୍କେଟ୍‌ସ ପକ୍ଷରୁ କରାଯାଇଥିବା ସର୍ଭେରେ ଭାଗ ନେଇଥିବା ୮୩ ପ୍ରତିଶତ ପୋର୍ଟଫୋଲିଓ ମ୍ୟାନେଜର କୁହନ୍ତି, ପ୍ରତିଯୋଗିତା ଯଦି ଜୋରଦାର ରହେ ତାହେଲେ ମାର୍କେଟ ବିୟରିସ୍ ଅର୍ଥାତ୍ ନିମ୍ନମୁଖୀ ହେବାର ଆଶଙ୍କା ଅଧିକ। କିନ୍ତୁ ମାତ୍ର ୨ ପ୍ରତିଶତ ମ୍ୟାନେଜର ମାର୍କେଟ ଉର୍ଦ୍ଧ୍ବମୁଖୀ ରହିବ ବୋଲି ମତ ଦେଇଛନ୍ତି। ନିର୍ବାଚନ ଫଳାଫଳ ଘୋଷଣା ଯଦି ବିଳମ୍ବ ହୁଏ ଏବଂ ପ୍ରସଙ୍ଗ ଅଦାଲତକୁ ଯାଏ ତା’ହେଲେ ଏହା ବଜାରକୁ ପ୍ରଭାବିତ କରିବ ବୋଲି ସିଟି ଗ୍ରୁପ୍‌ର ଚିଫ୍‌ ମାର୍କେଟ ଷ୍ଟ୍ରାଟେଜିଷ୍ଟ୍‌ ତୋବିୟାସ ଲେଭକୋଭିଚ୍‌ କହିଛନ୍ତି। କୌଣସି ଭିତ୍ତି ନଥାଇ ବହୁ ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପ ନିର୍ବାଚନରେ ହେରାଫେରି ଅଭିଯୋଗ ଆଣିଛନ୍ତି। ଏପରିକି ଯଦି ସେ ନିର୍ବାଚନରେ ପରାସ୍ତ ହୁଅନ୍ତି ତା’ହେଲେ ଶାନ୍ତିପୂର୍ଣ୍ଣ ଭାବେ ବାଇଡେନଙ୍କୁ କ୍ଷମତା ହସ୍ତାନ୍ତର ନକରିବା ଆଶଙ୍କା ମଧ୍ୟ ରହିଛି। ଏପରିକି ଏହି ପରିପ୍ରେକ୍ଷୀରେ ସେ ୨୦୦୦ ମସିହାରେ ତତ୍କାଳୀନ ରାଷ୍ଟ୍ରପତି ପ୍ରାର୍ଥୀ ଜର୍ଜ ଡବ୍ଲ୍ୟୁ ବୁଶ ଓ ଅଲ ଗୋରେଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ ବିଷୟରେ ଲେଭକୋଭିଚ୍ ଉଲ୍ଲେଖ କରିଛନ୍ତି। ସେହିବର୍ଷ ରା‌ଷ୍ଟ୍ରପତି ନିର୍ବାଚନ ଦିନଠାରୁ ଡିସେମ୍ବର ୨୦ ତାରିଖ ମଧ୍ୟରେ ଏସ ଆଣ୍ଡ ପି ୫୦୦ ସୂଚୀରେ ୧୨ ପ୍ରତିଶତ ହ୍ରାସ ଘଟିଥିଲା।

ସମ୍ବନ୍ଧିତ ଖବର