ୟୁଏଏନ୍‌ -ଆଧାର ତଥ୍ୟ ସଂଯୋଗ ନେଇ ନିଯୁକ୍ତିଦାତାଙ୍କ ବୈଠକ

ଭୁବନେଶ୍ୱର: ଭବିଷ୍ୟନିଧି ସଦସ୍ୟଙ୍କର ୟୁଏଏନ୍‌ ସହିତ ଆଧାର ସମ୍ବନ୍ଧିତ ତଥ୍ୟ ସଂଯୋଗ ଲାଗି ଇପିଏଫଓ ପକ୍ଷରୁ ନିଯୁକ୍ତିଦାତା ମାନଙ୍କର ଏକ ବୈଠକ ଗତ ୫ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଏହି ସଂଯୋଗ ପ୍ରକ୍ରିୟାକୁ ଆସନ୍ତା ୩୦ ତାରିଖ ଭିତରେ ଶେଷ କରିବା ସମ୍ପର୍କରେ ନିର୍ଦ୍ଦେଶ ଦେବା ପାଇଁ ଅତିରିକ୍ତ କେନ୍ଦ୍ରୀୟ ଭବିଷ୍ୟନିଧି ଆୟୁକ୍ତ (ଓଡ଼ିଶା ଅଞ୍ଚଳ) ପି ବୀରଭଦ୍ର ସ୍ୱାମୀଙ୍କ ଅଧ୍ୟକ୍ଷତାରେ କ୍ଷେତ୍ରୀୟ କାର୍ଯ୍ୟାଳୟ ସଭାଗୃହରେ ଏହି ବୈଠକ ହୋଇଥିଲା। ଏହି ବୈଠକରେ ପ୍ରାୟ ୪୯ ଜଣ ନିଯୁକ୍ତିଦାତା ଉପସ୍ଥିତ ଥିଲେ। ଶ୍ରୀ ସ୍ୱାମୀ ଏବଂ କ୍ଷେତ୍ରୀୟ ଭବିଷ୍ୟନିଧି ଆୟୁକ୍ତ-୧ ସଞ୍ଜୟ ମିଶ୍ର ନିଯୁକ୍ତିଦାତାମାନଙ୍କୁ ଏ ସମ୍ପର୍କରେ ବିସ୍ତତ ସୂଚନା ଦେଇଥିଲେ। ଏହି ଅବସରରେ ନିଯୁକ୍ତିଦାତାମାନଙ୍କୁ ସୂଚନା ମଧ୍ୟ ଦିଆଯାଇଥିଲା ଯେ, ଯେଉଁ ସଦସ୍ୟମାନଙ୍କର କାର୍ଯ୍ୟାଳୟରେ ଥିବା କାଗଜପତ୍ର ଅନୁସାରେ ଇ-କେଓ୍ଵାଇସି ଡାଟା ଠିକ୍‌ ଥିବ ସେମାନଙ୍କ ଇ-କେଓ୍ଵାଇସିକୁ ଆସନ୍ତା ୧୫ ତାରିଖ ସୁଦ୍ଧା ଭବିଷ୍ୟନିଧି ମେମ୍ବର ମଷ୍ଟର୍‌ରେ ଅପ୍‌ଡେଟ୍‌ କରି ଦିଆଯିବ। ତଥ୍ୟ ମେଳ ଖାଉ ନଥିବା ସଦସ୍ୟମାନଙ୍କ କ୍ଷେତ୍ରରେ ମିଳିତ ରୂପେ କାର୍ଯ୍ୟ କରାଯାଇ ଆସନ୍ତ ୩୦ ତାରିଖ ଭିତରେ ଏହାକୁ ସମ୍ପୂର୍ଣ୍ଣ କରାଯିବ। ଏହି ବୈଠକରେ ଓଡ଼ିଶା ଅଞ୍ଚଳର କ୍ଷେତ୍ରୀୟ ଭବିଷ୍ୟନିଧି ଆୟୁକ୍ତ-୧ ରବୀନ୍ଦ୍ର ସାମଲ ଓ ଏସ. କେ. ଗୁପ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର