ନୂଆଦିଲ୍ଲୀ: ସଙ୍କଟ ଦେଇ ଗତି କରୁଥିବା ସ୍ବିସ୍ ବ୍ୟାଙ୍କ କ୍ରେଡିଟ୍ ସୁଇସ୍କୁ କିଣିବା ଲାଗି ସ୍ବିଜରଲ୍ୟାଣ୍ଡ୍ର ସବୁଠୁ ବଡ଼ ବ୍ୟାଙ୍କ ‘ୟୁବିଏସ୍ ଗ୍ରୁପ୍ ଏଜି’ କଥାବାର୍ତା ଆରମ୍ଭ କରିଛି। ଏ ସଂକ୍ରାନ୍ତରେ ଫାଇନାନ୍ସିଆଲ୍ ଟାଇମ୍ସରେ ରିପୋର୍ଟ ପ୍ରକାଶ ପାଇଛି। କ୍ରେଡିଟ୍ ସୁଇସ୍କୁ ବଞ୍ଚାଇବା ଲାଗି ସ୍ବିଜରଲ୍ୟାଣ୍ଡ୍ର କେନ୍ଦ୍ରୀୟ ବ୍ୟାଙ୍କ ଜରୁରୀକାଳୀନ ସହାୟତା ଦେଇଛନ୍ତି। କିନ୍ତୁ ନିବେଶକମାନଙ୍କୁ ଶାନ୍ତ କରିବା ଲାଗି ତାହା ଯଥେଷ୍ଟ ହୋଇନାହିଁ। ଷ୍ଟକ ବଜାରରେ ବ୍ୟାଙ୍କର ସେୟାର ମୂଲ୍ୟ ଲଗାତାର ଭାବେ ହ୍ରାସ ପାଉଛି। ସଙ୍କଟ ଆହୁରି ବଡ଼ ହେବା ପୂର୍ବରୁ ତାହାର ମୁକାବିଲା କରିବା ଲାଗି କ୍ରେଡିଟ୍ ସୁଇସ୍କୁ ଏକ ସବଳ ବ୍ୟାଙ୍କ ସହ ମିଶ୍ରଣ କରାଇବା ଲାଗି ଉଦ୍ୟମ ଆରମ୍ଭ ହୋଇଛି।
କିଣାବିକା ସମ୍ପର୍କରେ ଆଲୋଚନା କରିବା ଲାଗି ଚଳିତ ସପ୍ତାହରେ ଉଭୟ ବ୍ୟାଙ୍କର ବୋର୍ଡ ସଦସ୍ୟମାନେ ଏକତ୍ରୀତ ହେବେ। ୟୁବିଏସ୍ ସହ କ୍ରେଡିଟ୍ ସୁଇସ୍ର ମିଶ୍ରଣ ହେଉ ବୋଲି ସେଠାକାର କେନ୍ଦ୍ରୀୟ ବ୍ୟାଙ୍କ ଚାହୁଛନ୍ତି। କିନ୍ତୁ ନିୟମ ଅନୁସାରେ ସେଥିପାଇଁ ନିୟାମକ ସଂସ୍ଥା କାହାକୁ ବାଧ୍ୟ କରିପାରିବ ନାହିଁ। କ୍ରେଡିଟ୍ ସୁଇସ୍ ହେଉଛି ଏକ ୧୬୭ ବର୍ଷ ପୁରୁଣା ବ୍ୟାଙ୍କ। ଆକାରରେ କିନ୍ତୁ ଅନ୍ୟ ସ୍ବିସ୍ ବ୍ୟାଙ୍କଗୁଡ଼ିକଠାରୁ ଏହା ଛୋଟ। କିନ୍ତୁ ବିଭିନ୍ନ ଦେଶରେ ଏହା କାରବାର କରି ସୁନାମ ଅର୍ଜନ କରିଛି। ଭାରତରେ ଏହାର ୨୦ ହଜାର କୋଟି ଟଙ୍କାର ସମ୍ପତ୍ତି ଥିବା ବେଳେ ମୁମ୍ବାଇରେ ଏକ ଶାଖା ରହିଛି। ମୁଖ୍ୟତଃ ମୁଦ୍ରା ବିନିମୟ କ୍ଷେତ୍ରରେ ଏହା ଭାରତରେ ସକ୍ରିୟ ରହିଛି।
ଅନ୍ୟ ଏକ ଖବର ଅନୁସାରେ କ୍ରେଡିଟ୍ ସୁଇସ୍କୁ କିଣିବା ଲାଗି ଆମର କୌଣସି ଯୋଜନା ନାହିଁ ବୋଲି ବ୍ଲାକ୍ରକ୍ ନାମକ ସଂସ୍ଥା ସ୍ପଷ୍ଟ କରିଛି। ଫାଇନାନ୍ସିଆଲ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଉପରେ ସ୍ପଷ୍ଟୀକରଣ ଦେଇ ବ୍ଲାକ୍ରକ୍ର ପ୍ରବକ୍ତା ଜଣାଇଛନ୍ତି କ୍ରେଡିଟ୍ ସୁଇସ୍କୁ ସମ୍ପୂର୍ଣ୍ଣ କିମ୍ବା ତାହାର କିଛି ଅଂଶକୁ ଅଧିଗ୍ରହଣ କରିବା ଲାଗି କୌଣସି ଯୋଜନା ନାହିଁ। ସେଥପ୍ରତି ଆମର ଆଗ୍ରହ ନାହିଁ। କ୍ରେଡିଟ୍ ସୁଇସ୍କୁ କିଣିବା ଲାଗି ବିଡ୍ ଦାଖଲ କରିବା ନିମନ୍ତେ ବିଭିନ୍ନ ନିବେଶକମାନଙ୍କ ସହ ବ୍ଲାକ୍ରକ୍ ଆଲୋଚନା କରୁଛି ବୋଲି ରିପୋର୍ଟ ପ୍ରକାଶ ପାଇଥିଲା।