ଭୁବନେଶ୍ବର: କରୋନା ଯୋଗୁଁ ରାଜ୍ୟର ଅଣୁ, କ୍ଷୁଦ୍ର, ମଧ୍ୟମ ଠାରୁ ଆରମ୍ଭ କରି ବୃହତ୍ ଶିଳ୍ପ ପର୍ଯ୍ୟନ୍ତ ସମସ୍ତେ ପ୍ରତିକୂଳ ପରିସ୍ଥିତି ଦେଇ ଗତି କରୁଛନ୍ତି। ରାଜ୍ୟ ସରକାର କରୋନାକୁ ପ୍ରତିହତ କରିବା ପାଇଁ ଲକ୍ଡାଉନ୍ ଅବଧିକୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ଏହାକୁ ଉତ୍କଳ ଶିଳ୍ପ ଓ ବଣିକ ମହାସଂଘ (ୟୁସିସିଆଇ) ସ୍ବାଗତ କରିଛି। ତେବେ ଏଭଳି ଅସମୟରେ ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକୁ ସହାୟତା ଯୋଗାଇବା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେବାକୁ ସଂଘ ଦାବି କରିଛି। ଏହି ମର୍ମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କୁ ୟୁସିସିଆଇ ପକ୍ଷରୁ ଏକ ୧୨ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଦାବିପତ୍ରର ନକଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ରାଜ୍ୟ ଏମଏସଏମଇ ବିଭାଗର ପ୍ରମୁଖ ସଚିବଙ୍କୁ ଦିଆଯାଇଛି। ବୃହତ୍ ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକୁ କିଭଳି ସହଜରେ କଞ୍ଚାମାଲ ଆସିପାରିବ ଏବଂ ଉତ୍ପାଦିତ ସାମଗ୍ରୀକୁ ଗ୍ରାହକଙ୍କ ନିକଟରେ ପହଞ୍ଚାଇ ହେବ ସେଥିପାଇଁ ପରିବହନ ବ୍ୟବସ୍ଥାକୁ ସ୍ବାଭାବିକ କରିବା ଲାଗି ସଂଘ ଦାବି କରିଛି। କରୋନା ପରେ କଳକାରଖାନାରେ ଶ୍ରମିକଙ୍କ ଉତ୍କଟ ଅଭାବ ଦେଖାଦେଇଛି। ଲକଡାଉନ୍ ଉଠିବା ପରେ ଏହି ସମସ୍ୟାର ସମାଧାନ କରାଯିବା ଆବଶ୍ୟକ ରହିଛି। ଏପରିକି ବର୍ତ୍ତମାନ ମଧ୍ୟ କେତେକ କ୍ଷେତ୍ରରେ କର୍ମଚାରୀମାନଙ୍କୁ କାର୍ଯ୍ୟ କରିବାକୁ ଅନୁମତି ଦେବାର ଆବଶ୍ୟକତା ରହିଛି। ଅଧିକାଂଶ କଳ କାରଖାନା ଏବେ ବନ୍ଦ ହୋଇଯାଇଛି। ଆଗକୁ ମଧ୍ୟ କେତେକ କାରଖାନା ବନ୍ଦ ହେବାର ଆଶଙ୍କା ରହିଛି। କର୍ମଚାରୀଙ୍କୁ ଦରମା ପ୍ରଦାନ ନେଇ ଶ୍ରମ ବିଭାଗ ପକ୍ଷରୁ ଗତ ମାସ ୨୧ ତାରିଖରେ ଯେଉଁ ନିର୍ଦ୍ଦେଶନାମା ଜାରି କରାଯାଇଛି ଲକଡାଉନ୍ ଅବଧି ବୃଦ୍ଧି ପରିପ୍ରେକ୍ଷୀରେ ତାହାକୁ ଅନୁଧ୍ୟାନ କରିବାକୁ ସଂଘ ଦାବି କରିଛି। ବିଶେଷକରି ପୂର୍ଣ୍ଣ ଦରମା ପ୍ରଦାନ ପ୍ରସଙ୍ଗକୁ ଅନୁଧ୍ୟାନ କରିବାକୁ କୁହାଯାଇଛି। ଏଥିସହିତ କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି, ଇଏସଆଇ ଆଦି ପ୍ରଦାନ ଦାୟିତ୍ବ ସରକାର ନିଜ ମୁଣ୍ଡକୁ ନେବା ଆବଶ୍ୟକ ବୋଲି କୁହାଯାଇଛି। ମନ୍ତ୍ରୀ ଏବଂ ଏମ୍ପି ମାନଙ୍କ ଦରମାକୁ ଆସନ୍ତା ୨ ବର୍ଷ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ କମାଇ ଦେଇଥିବାରୁ ସେହି ଢାଞ୍ଚାରେ ଆସନ୍ତା ୬ ମାସ ପାଇଁ କର୍ମଚାରୀମାନଙ୍କୁ କମ୍ ବେତନ ପ୍ରଦାନ କରିବା ପାଇଁ ଅନୁମତି ଦେବାକୁ ସଂଘ ଅନୁରୋଧ କରିଛି। ଏଥିସହିତ କମ୍ପାନି ଗୁଡ଼ିକୁ କମ୍ ସୁଧ ହାରରେ ଋଣ ଦିଆଯିବା ଆବଶ୍ୟକ। ପଞ୍ଜାବ, ରାଜସ୍ଥାନ ଏବଂ ଗୁଜରାଟ ସରକାର ଯେଭଳି ପଦକ୍ଷେପ ନେଇଛନ୍ତି ସେହିଭଳି ଆମ ରାଜ୍ୟରେ ଲକଡାଉନ୍ ଅବଧିର ଡିମାଣ୍ଡ ଚାର୍ଜ ଏବଂ ବିଦ୍ୟୁତ ଶୁଳ୍କ ଛାଡ଼ କରିବାକୁ ଦାବି କରାଯାଇଛି। ଏଥିସହିତ ପର୍ଯ୍ୟଟନ, ଭ୍ରମଣ ଏବଂ ଆତିଥେୟତା ଶିଳ୍ପ,କୁକୁଡ଼ା ଚାଷ ସମେତ ମତ୍ସ୍ୟ ଚାଷ ଓ ଚିଙ୍ଗୁଡ଼ି ରପ୍ତାନି କ୍ଷେତ୍ରକୁ ମଧ୍ୟ ସୁଧାରିବା ପାଇଁ ୟୁସିସିଆଇ ପକ୍ଷରୁ ଏକାଧିକ ପ୍ରସ୍ତାବ ଦିଆଯାଇଛି ବୋଲି ସଂଘର ସଭାପତି ରମେଶ ମହାପାତ୍ର କହିଛନ୍ତି।
ଶିଳ୍ପ ପାଇଁ ପ୍ୟାକେଜ୍ ଦାବି କଲା ୟୁସିସିଆଇ, ମୁଖ୍ୟମନ୍ତ୍ରୀଙ୍କୁ ଦେଲା ଦାବିପତ୍ର
/sambad/media/post_attachments/wp-content/uploads/2020/03/money.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)