୨-୧୦ ଲକ୍ଷ ଟଙ୍କା ବର୍ଗରେ ଅଧିକ ଋଣ ଦେବ ୟୁକୋ ବ୍ୟାଙ୍କ

ଭୁବନେଶ୍ବର : ୟୁକୋ ବ୍ୟାଙ୍କ ପକ୍ଷରୁ ରାଜ୍ୟରେ ଥିବା ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍‌ଏମ୍ଇ)ଗୁଡ଼ିକୁ ୨ ଲକ୍ଷ ଟଙ୍କାରୁ ଆରମ୍ଭ କରି ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବର୍ଗରେ ଅଧିକ ଋଣ ପ୍ରଦାନ କରିବାକୁ ଆଗ୍ରହ ପ୍ରକାଶ କରାଯାଇଛି। ବ୍ୟାଙ୍କର ମହାପ୍ରବନ୍ଧକ ସରୋଜ ରଞ୍ଜନ ନାୟକ ଏହି ସୂଚନା ଦେଇଛନ୍ତି।

ସେ କହିଲେ, ଅଧିକ ମୁଦ୍ରା ଋଣ ଆବଣ୍ଟନ କରିବା ଉପରେ ଆମ ବ୍ୟାଙ୍କ ଜୋର ଦେଉଛି। ବିଶେଷ କରି ମୁଦ୍ରା ଋଣର ତରୁଣ ବର୍ଗରେ ଅଧିକ ଋଣ ଦେବାକୁ ଆମେ ଚାହୁଛୁ। ଏହି ବର୍ଗରେ ଦିଆଯାଉଥିବା ଋଣ ବୁଡ଼ିବାର କମ୍ ଆଶଙ୍କା ରହିଥାଏ। ଯେଉଁମାନେ ଋଣ ନିଅନ୍ତି ସେମା‌ନେ ତାହାକୁ ଅର୍ଥପୂର୍ଣ୍ଣ ଢଙ୍ଗରେ ବ୍ୟବହାର କରନ୍ତି ବୋଲି ସେ କହିଛନ୍ତି। ଆସନ୍ତାକାଲି ପୁରୀ ଜିଲ୍ଲାରେ ବ୍ୟାଙ୍କ ତରଫରୁ ଏକ ଗ୍ରାହକ ସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସେଠାରେ ବିଭିନ୍ନ ବର୍ଗର ଗ୍ରାହକଙ୍କୁ ୪୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଋଣ ମଞ୍ଜୁର କରାଯିବ। ଏହି କାର୍ଯ୍ୟକ୍ରମ ନିମନ୍ତେ ୨୧୦୦ରୁ ଅଧିକ ଆବେଦନ ପହଞ୍ଚିଥିବା ବ୍ୟାଙ୍କ ତରଫରୁ ସୂଚନା ଦିଆଯାଇଛି। ଆସନ୍ତାକାଲିର କାର୍ଯ୍ୟକ୍ରମରେ ବ୍ୟାଙ୍କ ତରଫରୁ ଆଧାର ସିଡିଂ ଠାରୁ ଆରମ୍ଭ କରି ନୂଆ ଖାତା ଖୋଲିବା ଭଳି ଅନେକ ପ୍ରକାର ସୁବିଧା ପ୍ରଦାନ କରାଯିବ। ଏହା ବ୍ୟତୀତ ମୁଦ୍ରା, କୃଷି, କୁକୁଡ଼ା ପାଳନ ଏବଂ ଏମ୍ଏସ୍‌ଏମ୍ଇ କ୍ଷେତ୍ରକୁ ଋଣ ମଞ୍ଜୁର କରାଯିବ।

ବର୍ତ୍ତମାନ ରାଜ୍ୟରେ ୟୁକୋ ବ୍ୟାଙ୍କର ମୋଟ କାରବାର ପରିମାଣ ୯୩୧୦ କୋଟି ଟଙ୍କା ରହିଛି। ସେଥିରେ ଜମାର ଭାଗ ୬୮୪୬ କୋଟି ଟଙ୍କା ଥିବା ବେଳେ ଅଗ୍ରୀମ ପରିମାଣ ୨୪୭୪ କୋଟି ଟଙ୍କା ରହିଛି। ଋଣ ପ୍ରଦାନ କ୍ଷେତ୍ରରେ ଏହି ବ୍ୟାଙ୍କ ୧୨% ଅଭିବୃଦ୍ଧି ହାସଲ କରିଛି। ୟୁକୋ ବ୍ୟାଙ୍କ କୃ‌ଷି, ଏମ୍ଏସ୍‌ଏମ୍ଇ ଓ ଖୁଚୁରା କ୍ଷେତ୍ରକୁ ଅଧିକ ଋଣ ଆବଣ୍ଟନ କରିଛି।

ସମ୍ବନ୍ଧିତ ଖବର