ୟୁକୋ ବ୍ୟାଙ୍କ ୨୦୦ ନୂଆ ଶାଖା ଖୋଲିବ

ଭୁବନେଶ୍ବର: ରାଷ୍ଟ୍ରାୟତ୍ତ ୟୁକୋ ବ୍ୟାଙ୍କ ଏହାର ଉପସ୍ଥିତିକୁ ସାରା ଦେଶରେ ବଢ଼ାଇବାକୁ ଯୋଜନା ପ୍ରସ୍ତୁତ କରିଛି। ଦେଶରେ ଏହାର ୩,୨୦୦ ପାଖାପାଖି ଶାଖା ଥିବା ବେଳେ ଏହା ଆଉ ୨୦୦ଟି ନୂଆ ଶାଖା ଖୋଲିବାକୁ ଯୋଜନା ରଖିଛି। ବ୍ୟାଙ୍କର ଏମ୍‌ଡି ଓ ସିଇଓ ସୋମା ଶଙ୍କର ପ୍ରସାଦ ଏହି ସୂଚନା ଦେଇଛନ୍ତି। ବ୍ୟାଙ୍କର ପୁଞ୍ଜି ସ୍ବଚ୍ଛଳତା ହାର ବେଶ ଭଲ ସ୍ଥିତିରେ ଥିବାରୁ ଋଣ ଦେବା ଲାଗି ବ୍ୟାଙ୍କ ପାଖରେ ଏବେ ପର୍ଯ୍ୟାପ୍ତ ପାଣ୍ଠି ରହିଥିବା ସେ କହିଛନ୍ତି। ଆସନ୍ତା ଏକ ବର୍ଷ କେବଳ ଆଗକୁ ବଢ଼ିବା ଉପରେ ୟୁକୋ ବ୍ୟାଙ୍କ ଗୁରୁତ୍ବ ଦେବ। ଏହା ଗୃହ ଋଣ, ଭିତ୍ତିଭୂମି କ୍ଷେତ୍ର ବିଶେଷ କରି ଇସ୍ପାତ, କର୍ପୋରେଟ୍ ପ୍ରକଳ୍ପ, ଲିଜର ଓ ଟ୍ରାଭେଲ୍, ବ୍ୟକ୍ତିଗତ ଋଣ ଓ ଏମ୍ଏସ୍‌ଏମ୍ଇ କ୍ଷେତ୍ରକୁ ଅଧିକ ଋଣ ଦେବା ଉପରେ ଗୁରୁତ୍ବ ଦେଉଛି। ଚଳିତ ଆର୍ଥିକ ବର୍ଷ (୨୦୨୧-୨୨) ଶେଷ ସୁଦ୍ଧା ଋଣରେ ବ୍ୟାଙ୍କ ୧୨-୧୫% ଅଭିବୃଦ୍ଧି ଆଣିବାକୁ ଲକ୍ଷ୍ୟ ରଖିଛି। କେନ୍ଦ୍ର ସରକାର ଭିତ୍ତିଭୂମି ପ୍ରକଳ୍ପରେ ନିବେଶ ବଢ଼ାଉଥିବା ବେଳେ ଜାତୀୟ ମନେଟାଇଜେସନ୍ ପ୍ଲାନ୍ (ଏନ୍‌ଏମ୍‌ପି) ଆଦି ଘୋଷଣା କରିଥିବାରୁ ବ୍ୟାଙ୍କଗୁଡ଼ିକ ପାଖରେ ଋଣ ବଢ଼ାଇବା ଲାଗି ବ୍ୟାପକ ସୁଯୋଗ ରହିବ ବୋଲି ସେ କହିଛନ୍ତି।

ୟୁକୋ ବ୍ୟାଙ୍କର ଅନାଦେୟ ଋଣ (ଏନ୍‌ପିଏ) ଖାତାରେ ୧୦,୮୦୦ କୋଟି ଟଙ୍କା ଫସି ରହିଛି। ତାହାର ୯୧% ରାଶି ପାଇଁ ବ୍ୟାଙ୍କ ପ୍ରୋଭିଜନିଂ ବ୍ୟବସ୍ଥା କରିଛି। ତେଣୁ କୌଣସି ସମୟରେ ଯେଦି ସେହି ଋଣ ଫେରିବାରେ ଅସୁବିଧା ହେବ ତେବେ ବ୍ୟାଙ୍କ ହିସାବ ଖାତା ସେଥିପାଇଁ ପ୍ରଭାବିତ ହେବ ନାହିଁ ବୋଲି ଶ୍ରୀ ପ୍ରସାଦ କହିଛନ୍ତି। ନିକଟରେ ବିକ୍ରି ହୋଇଥିବା ଏୟାର ଇଣ୍ଡିଆରୁ ମଧ୍ୟ ବ୍ୟାଙ୍କ ଋଣ ରାଶି ଫେରିପାଇଛି। ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଆଉ ଏକ ବଡ଼ କର୍ପୋରେଟ୍ ସଂସ୍ଥାର ଖାତା ଏନ୍‌ପିଏରେ ସାମିଲ ହେବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି। ତେବେ ସେଥିପାଇଁ ୨୦୨୧ ଡିସେମ୍ବର ଭିତରେ ପ୍ରୋଭିଜନିଂ ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି। ଏହି ଅବସରରେ ୟୁକୋ ବ୍ୟାଙ୍କର ମହାପ୍ରବନ୍ଧକ ଅରୁପାନନ୍ଦ ଜେନା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର