ଏଲନ୍‌ ମସ୍କ୍‌ଙ୍କୁ ବହୁ ପଛରେ ପକାଇ ୭ ମିନିଟ୍‌ ପାଇଁ ବିଶ୍ବର ସବୁଠୁ ବଡ଼ ଧନୀ ହେଲେ ଇଂଲଣ୍ଡ୍‌ର ମ୍ୟାକ୍ସ୍‌ ଫସ୍‌

ଲଣ୍ଡନ୍‌: ‘ଟେଲ୍‌ସା’ର ସଂସ୍ଥାପକ ଏଲନ୍‌ ମସ୍କ୍‌ଙ୍କ ସମ୍ପତ୍ତିର ପ୍ରାୟ ଦୁଇଗଣା ସମ୍ପତ୍ତିର ଅଧିକାରୀ ହୋଇ ଇଂଲଣ୍ଡ୍‌ର ମ୍ୟାକ୍ସ୍‌ ଫସ୍‌ ମାତ୍ର ୭ ମିନିଟ୍‌ ପାଇଁ ବିଶ୍ବର ସବୁଠୁ ବଡ଼ ଧନୀ ବ୍ୟକ୍ତି ହୋଇଥିଲେ।

ଏଭଳି ଅସମ୍ଭବକୁ କିଭଳି ସମ୍ଭବ କଲେ ସେ ବିଷୟରେ ପୂର୍ଣ୍ଣାଙ୍ଗ ଭିଡିଓ ପ୍ରସ୍ତୁତ କରି ୬ ଲକ୍ଷ ଅନୁଗାମୀ ଥିବା ‘ୟୁଟ୍ୟୁବର୍‌’ ମ୍ୟାକ୍ସ୍‌ ଫସ୍‌ ‘କମ୍‌ ଆଟ୍‌ ମି ଏଲନ୍‌’ (ମୋ ଘରକୁ ଆସ ଏଲନ୍‌) ପରିଚୟୋକ୍ତି ଲେଖି ତାହାକୁ ପୋଷ୍ଟ୍‌ କରିଛନ୍ତି।

ଭିଡିଓରେ ସେ କହିଛନ୍ତି, ଯଦି ମୁଁ ଅସୀମିତ ଟଙ୍କା ଓ ୧୦ ବିଲିୟନ୍‌ ସେୟାର୍‌ ଥିବା ଲିମିଟେଡ୍‌ କମ୍ପାନିଟିଏ ଗଠନ କରି ତାକୁ ପଞ୍ଜୀକୃତ କରି ବିନିଯୋଗ ପାଇଁ ପ୍ରତି ସେୟାର୍‌କୁ ୫୦ ପାଉଣ୍ଡ୍‌ରେ ବିକ୍ରୟ କରେ। ତଥ୍ୟଗତ ଦୃଷ୍ଟିରୁ ଏହା ମୋର କମ୍ପାନିକୁ ୫୦୦ ବିଲିୟନ୍‌ ପାଉଣ୍ଡ୍‌ କମ୍ପାନିର ମାନ୍ୟତା ଦେବ। ଏବଂ ଏହା ମୋର ନିକଟତମ ପ୍ରତିଦ୍ବନ୍ଦ୍ବୀ ଏଲନ୍‌ ମସ୍କ୍‌ଙ୍କୁ ପଛରେ ପକାଇ ମତେ ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ଭାବେ ପରିଗଣିତ କରାଇବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କର ଏହି ଭିଡିଓଟି ଏ ପର୍ଯ୍ୟନ୍ତ ୫.୭୫ ଲକ୍ଷ ‘ଭିୟୁ’ ହାସଲ କରିସାରିଲାଣି। କିନ୍ତୁ, ଉପରୋକ୍ତ ବ୍ୟବସ୍ଥାରେ ଗୋଟାଏ ଅସୁବିଧା ରହିଛି। ସେ ଠକାମି ଅଭିଯୋଗରେ ସରବ୍ୟ ହୋଇପାରନ୍ତି। ତାହା ଭଲ କଥା ନୁହେଁ।

Image Courtesy of Amar Ujala

ସାଢ଼େ ୮ ମିନିଟ୍‌ର ଏହି ଭିଡିଓରେ ସେ ଅସ୍ତିତ୍ବ ନ ଥିବା କମ୍ପାନି ‘ଅନ୍‌ଲିମିଟେଡ୍‌ ମିନି ଲିମିଟେଡ୍‌’ ସ୍ଥାପନ କରିଛନ୍ତି। ଇଂଲଣ୍ଡ୍‌ରେ କମ୍ପାନିଟିଏ ପଞ୍ଜିକରଣ କରିବାକୁ ୨ ଦିନ ଲାଗୁଥିଲେ ବି ପଞ୍ଜିକରଣ ପ୍ରକ୍ରିୟାରେ ଥିବା ତ୍ରୁଟିଦ୍ବାରା ସେ ଦୋକାନରୁ କପେ କଫି କିଣିବାକୁ ଯେତିକି ସମୟ ଲାଗେ ସେତିକି ସମୟରେ ତାଙ୍କ କମ୍ପାନିକୁ ପଞ୍ଜିକୃତ କରି ପକାଇଲେ।  ଫଳରେ ତାଙ୍କ କମ୍ପାନି ଗୋଟାଏ ସରକାରୀ ମାନ୍ୟତାପ୍ରାପ୍ତ କମ୍ପାନିରେ ପରିଣତ ହୋଇଗଲା।

ପ୍ରଥମେ ଜଣେ ମହିଳା ୫୦ ପାଉଣ୍ଡ୍‌ରେ ତାଙ୍କ କମ୍ପାନିର ଗୋଟାଏ ସେୟାର୍‌ ଖରିଦ କରିବାକୁ ରାଜି ହେଲେ। ପରେ ପରେ ତାଙ୍କ କମ୍ପାନି ୫୦୦ ବିଲିୟନ୍‌ ପାଉଣ୍ଡ୍‌ର କମ୍ପାନିରେ ପରିଗଣିତ ହୋଇଗଲା। କିନ୍ତୁ, ଫକ୍ସ୍‌ଙ୍କର ଏହି ସ୍ବପ୍ନ ଥିଲା ଅଳିକ। କମ୍ପାନିର ପରମାୟୁ ଥିଲା ମାତ୍ର ୭ ମିନିଟ୍‌।

ତାଙ୍କ କମ୍ପାନିର କୌଣସି ଆୟ ନ ଥିବାରୁ କମ୍ପାନି ମୂଲ୍ୟାୟନର କୌଣସି ଯଥାର୍ଥତା ନ ଥିଲା। ସେ ଠକାମି କରୁଛନ୍ତି ବୋଲି ଆଇନତଃ ଧରା ପଡ଼ିଯିବେ ବୋଲି କହିଥିଲେ। ଶେଷକୁ କମ୍ପାନି ବନ୍ଦ କରିବା ପାଇଁ ସେୟାର୍‌ କିଣିଥିବା ଉକ୍ତ ମହିଳାଜଣଙ୍କୁ ଖୋଜି ପାଇବା ଥିଲା ତାଙ୍କ ପାଇଁ କାଠିକର ପାଠ। କୌଣସି ମତେ କାଗଜପତ୍ରରୁ ସେ ତାଙ୍କ ଇମେଲ୍‌ ଠିକଣା ପାଇଥିଲେ ଓ ତାଙ୍କ ଅନୁମତି ପାଇ ମିଟିଙ୍ଗ୍‌ ଭାଙ୍ଗିବା ସହ କମ୍ପାନି ବନ୍ଦ କରିଥିଲେ।

ସମ୍ବନ୍ଧିତ ଖବର