ଷ୍ଟକ ବଜାରରେ ୟୁକ୍ରେନ୍ ଝଟ୍‌କା

ନିବେଶକ ହରାଇଲେ୧୪.୯୭ ଲକ୍ଷ କୋଟି

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷ୍ ଆକ୍ରମଣ ଆଜି ନବମ ଦିନରେ ପହଞ୍ଚିଛି। ୟୁରୋପର ସର୍ବବୃହତ୍‌ ଆଣବିକ ପ୍ଲାଣ୍ଟ ଉପରେ ରୁଷ୍‌ ଆକ୍ରମଣ ଖବର ପ୍ରସାରିତ ହେବା ଫଳରେ ଆଜି ସେନସେକ୍ସରେ ୭୬୯ ପଏଣ୍ଟର ବଡ଼ ହ୍ରାସ ଘଟିଛି। ଦିନକରେ ନିବେଶକମାନଙ୍କର ୫ ଲକ୍ଷ କୋଟି ଟଙ୍କାର ସଂପତ୍ତି ପୋଛି ହୋଇଯାଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ବଜାର ପୁଞ୍ଜି ଗତକାଲି ୨୫୧ ଲକ୍ଷ କୋଟି ଟଙ୍କା ରହିଥିଲା।

କିନ୍ତୁ ଆଜି ଏହା ପ୍ରାୟ ୨୪୬ ଲକ୍ଷ କୋଟି ଟଙ୍କା ସ୍ତରକୁ ଖସିଆସିଛି। ଫେବ୍ରୁଆରି ୧୫ ତାରିଖରେ ରୁଷ ୟୁକ୍ରେନ ସୀମାରୁ ସେନା ପ୍ରତ୍ୟାହାର କରିବା ‌ଘୋଷଣା କରିଥିଲା। ସେହି ସମୟରେ ସେନସେକ୍ସ ଯେଉଁ ସ୍ତରରେ ଥିଲା ବର୍ତ୍ତମାନ ସେଥିରେ ପାଖାପାଖି ୪୦୦୦ ପଏଣ୍ଟ ହ୍ରାସ ଘଟିଲାଣି। ଅର୍ଥାତ୍ ନିବେଶକମାନେ ଏହି ସମୟ ମଧ୍ୟରେ ୧୪.୯୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ହରାଇଲେଣି। ଭାରତୀୟ ନିବେଶକମାନଙ୍କ ଏହି କ୍ଷତି ୟୁକ୍ରେନ୍‌ର ଅର୍ଥନୀତି ଠାରୁ ଅଧିକ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ଆକଳନ ଅନୁଯାୟୀ ୨୦୨୧ରେ ୟୁକ୍ରେନର ଜିଡିପି ୧୮୧.୦୩ ବିଲିଅନ ଡଲାର (୧୩.୭୫ ଲକ୍ଷ କୋଟି ଟଙ୍କା) ରହିଥିଲା।

ଇତି ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଠାରୁ ଆରମ୍ଭ କରି ସୂର୍ଯ୍ୟମୁଖୀ ତେଲ, ଆଲୁମିନିୟମ, ଇସ୍ପାତ, ନିକେଲ ଆଦି ଧାତବ ପଦାର୍ଥ ମହଙ୍ଗା ହେବାରେ ଲାଗିଛି। ବିଶ୍ବର ଯୋଗାଣ ଶୃଙ୍ଖଳା ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଥିବାରୁ ସାମଗ୍ରୀ ଦାମ୍ ବୃଦ୍ଧି ପାଉଛି।

ପ୍ରଭାବିତ ହେବେ ଗରିବ ଲୋକ: ବିଶ୍ବ ବ୍ୟାଙ୍କ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷ୍‌ର ଆକ୍ରମଣ ବିଶ୍ବପାଇଁ ଏକ ଆର୍ଥିକ ବିପର୍ଯ୍ୟୟ। ବିଶ୍ବରେ ଅର୍ଥନୈତିକ ଅଭିବୃଦ୍ଧିକୁ ଏହା କମାଇ ଦେବ। ବିଶ୍ବରେ ଦରଦାମ ପୂର୍ବରୁ ଉଚ୍ଚସ୍ତରରେ ରହିଥିବାରୁ ଯୁଦ୍ଧ ଏକ ଭୁଲ ସମୟରେ ଆସିଛି ବୋଲି ବିଶ୍ବ ବ୍ୟାଙ୍କ ସଭାପତି ଡେଭିଡ ମାଲପାସ୍ କହିଛନ୍ତି। ଯୁଦ୍ଧ ଯୋଗୁ ତେଲ ଏବଂ ଗ୍ୟାସ ଦରରେ ଯେଉଁ ବୃଦ୍ଧି ଘଟିବ ତାହା ଗରିବ ଲୋକଙ୍କୁ ସବୁଠୁ ଅଧିକ ପ୍ରଭାବିତ କରିବ। ୟୁରୋପୀୟ ସଂଘର ସଦସ୍ୟ ଦେଶଗୁଡ଼ିକ ଭୟଙ୍କର କ୍ଷତି ସହିବେ। ଯୋଗାଣ ଶୃଙ୍ଖଳ ବିଗିଡ଼ିବା କାରଣରୁ ବିଶ୍ବରେ ଗହମ, ସୋୟାବିନ, ସାର ଏବଂ କପର, ଇସ୍ପାତ, ଆଲୁମିନିୟମ ଆଦି ଧାତୁର ମୂଲ୍ୟ ବୃଦ୍ଧି ଘଟିଛି। ଭାରତ ବିଶ୍ବର ତୃତୀୟ ବୃହତ୍ ତେଲ ବ୍ୟବହାରକାରୀ ରାଷ୍ଟ୍ର। ଅନ୍ତର୍ଜାତୀୟ ବଜାରରେ ଦରବୃଦ୍ଧି ସାଧାରଣ ଲୋକଙ୍କ ପକେଟକୁ ବାଧିବ ‌େବାଲି ଆକଳନ କରାଯାଇଛି।

୧୨ ଟଙ୍କା କ୍ଷତିରେ ବିକ୍ରି ହେଉଛି ପେଟ୍ରୋଲ

The Indian Express

ନୂଆଦିଲ୍ଲ: ଉତ୍ତର ପ୍ରଦେଶ ସମେତ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଗତ ୪ ମାସ ହେଲା ତେଲ କମ୍ପାନି ଗୁଡ଼ିକ ପେଟ୍ରୋଲ, ଡିଜେଲ ମୂଲ୍ୟ ବୃଦ୍ଧି କରିନାହାନ୍ତି। ଇତି ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ୧୦୦ ଡଲାର ଟପି ସାରିଛି। ଅଶୋଧିତ ତେଲ ଦର ବଢ଼ିଥିବାରୁ ତେଲ କମ୍ପାନି ଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲ ବିକ୍ରିରେ ଲିଟର ପିଛା ୧୨ ଟଙ୍କା କ୍ଷତି ସହିବା ସ୍ତରକୁ ଆସିଲେଣି। ପେଟ୍ରୋଲ, ଡିଜେଲର ଉତ୍ପାଦନ ଓ ବିକ୍ରି ମୂଲ୍ୟ ମଧ୍ୟରେ ୧୨ ଟଙ୍କାର ପାର୍ଥକ୍ୟ ରହିଛି।

ମାର୍ଚ୍ଚ ୧୬ ସୁଦ୍ଧା ତେଲ କମ୍ପାନିଗୁଡ଼ିକ ପେଟ୍ରୋଲ, ଡିଜେଲର ଲିଟର ପିଛା ଦର ୧୨ ଟଙ୍କା ବୃଦ୍ଧି କରିଲେ ଉତ୍ପାଦନ ଏବଂ ବିକ୍ରି ମୂଲ୍ୟ ସମାନ ହେବ। ବିନା ଲାଭ ଓ କ୍ଷତି ସ୍ଥିତିକୁ ଯିବା ପାଇଁ ହେଲେ ପେଟ୍ରୋଲ, ଡିଜେଲ ଲିଟର ପିଛା ୧୨ ଟଙ୍କା ୧୦ ପଇସା ଏବଂ କିଛି ଲାଭ କରିବାକୁ ହେଲେ ଲିଟର ପିଛା ୧୫ ଟଙ୍କା ୧୦ ପଇସା ବୃଦ୍ଧିର ଆବଶ୍ୟକତା ରହିଛି ବୋଲି ଆଇସିଆଇସିଆଇ ସିକ୍ୟୁରିଟିଜ୍‌ ପକ୍ଷରୁ କୁହାଯାଇଛି। ମାର୍ଚ୍ଚ ୩ ତାରିଖରେ ଭାରତ ବ୍ୟାରେଲ ପିଛା ୧୧୭.୩୯ ଡଲାରରେ ଅଶୋଧିତ ତେଲ କିଣିଛି। ନିର୍ବାଚନ ସରିଲେ ଆସନ୍ତା ସପ୍ତାହରୁ ଦେଶରେ ପୁଣି ପେଟ୍ରୋଲ, ଡିଜେଲ ଦର ବଢ଼ିବା ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର