ନୂଆଦିଲ୍ଲୀ: ସାରା ବିଶ୍ବ ଭୂରାଜନୈତିକ ସଙ୍କଟ, ଟ୍ରମ୍ପଙ୍କ ଶୁଳ୍କ ଲଢ଼େଇ ଓ ଅନ୍ୟାନ୍ୟ କାରଣ ଦ୍ବାରା ପ୍ରଭାବିତ ହୋଇଥିବା ବେଳେ ଏହି ସବୁ ସମସ୍ୟାଗୁଡ଼ିକୁ ସଫଳତାର ସହ ମୁକାବିଲା କରି ଭାରତ ସବୁଠୁ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଜାତିସଂଘ ଏହାକୁ ସ୍ପଷ୍ଟ କରିଛି। ଏହା ନିଜର ଅର୍ଧ ବାର୍ଷିକ ଆକଳନରେ ଜଣାଇଛି ଯେ ଚଳିତ ବର୍ଷ ଭାରତର ଅଭିବୃଦ୍ଧି ୬.୩ ପ୍ରତିଶତ ହେବ ଯାହା ପ୍ରମୁଖ ଦେଶଗୁଡ଼ିକ ମଧ୍ୟରେ ସର୍ବାଧିକ। ୨୦୨୬ରେ ମଧ୍ୟ ସେହି ଧାରା ବଜାୟ ରହି ଭାରତର ଅଭିବୃଦ୍ଧି ୬.୪ ପ୍ରତିଶତ ହେବ। ୨୦୨୫ରେ ଚୀନ୍‌ର ଅଭିବୃଦ୍ଧି ୪.୬ ପ୍ରତିଶତ ରହିବ ଯାହା ଭାରତର ୬.୩ ପ୍ରତିଶତ ଅଭିବୃଦ୍ଧିଠାରୁ ଯଥେଷ୍ଟ କମ୍। ବିଶ୍ବ ଅର୍ଥନୀତିର ଅଭିବୃଦ୍ଧି ୨.୪ ପ୍ରତିଶତ ଏବଂ ଆମେରିକାର ଅଭିବୃଦ୍ଧି ୧.୬ ପ୍ରତିଶତ ରହିବ ବୋଲି ଜାତିସଂଘ ଆକଳନ କରିଛି।

Advertisment

ଭାରତର ଅର୍ଥନୈତିକ ବିକାଶରେ ପୁଞ୍ଜି ବଜାର ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ୨୦୧୯ରେ ଏହାର ଖୁଚୁରା ନିବେଶକ ସଂଖ୍ୟା ୪.୯ କୋଟି ଥିଲା। ୨୦୨୪ ଡିସେମ୍ବର ସୁଦ୍ଧା ସେମାନଙ୍କ ସଂଖ୍ୟା ୨.୭ ଗୁଣା ବୃଦ୍ଧି ପାଇ ୧୩.୨ କୋଟି ହୋଇଛି। ଇନିସିଆଲ୍‌ ପବ୍ଲିକ୍ ଅଫରିଂ (ଆଇପିଓ) ସଂଖା ମଧ୍ୟ ଗତବର୍ଷର ୧୯୬ ତୁଳନାରେ ବୃଦ୍ଧି ପାଇ ୨୫୯ ହୋଇଛି। 

୨୦୧୩-୧୪ରେ ଭାରତର ରପ୍ତାନି ୪୬,୬୨୨ କୋଟି ଡଲାର ଥିଲା। ୨୦୨୪-୨୫ ସୁଦ୍ଧା ତାହା ୭୭ ପ୍ରତିଶତ ବୃଦ୍ଧି ପାଇ ୮୨,୪୯୦ କୋଟି ଡଲାର ହୋଇଛି। ୨୦୧୪-୧୫ରେ ଦେଶର ସ୍ବଦେଶୀ ପ୍ରତିରକ୍ଷା ଉତ୍ପାଦନ ୪୬,୪୨୯ କୋଟି ଟଙ୍କା ଥିଲା। ୨୦୨୩-୨୪ ସୁଦ୍ଧା ତାହା ୧,୨୭,୪୩୪ ‌କୋଟି ଟଙ୍କାକୁ ବୃଦ୍ଧି ପାଇଛି। ୨୦୧୩-୧୪ରେ ଭାରତର ପ୍ରତିରକ୍ଷା ରପ୍ତାନି ମାତ୍ର ୬୮୬ କୋଟି ଟଙ୍କା ଥିଲା ଯାହା ୨୦୨୪-୨୫ରେ ୨୩,୬୨୨ କୋଟି ଟଙ୍କାରେ ପହଞ୍ଚିଛି।