ନୂଆଦିଲ୍ଲୀ: ଭାରତର ଡିଜିଟାଲ୍ ବିପ୍ଳବକୁ ଜାତିସଂଘ ସାଧାରଣ ପରିଷଦର ସଭାପତି ଡେନିସ୍ ଫ୍ରାନ୍ସିସ୍ ପ୍ରଶଂସା କରିଛନ୍ତି। ଡିଜିଟାଲ୍ ବିପ୍ଳବ କ୍ଷେତ୍ରରେ ଭାରତ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ଏଥିସହିତ ଦେଶର ଗ୍ରାମୀଣ ଅଞ୍ଚଳକୁ ବ୍ୟାଙ୍କିଂ ସେବା ସଂପ୍ରସାରିତ ହୋଇପାରିଛି। ସ୍ମାର୍ଟଫୋନ୍ର ବ୍ୟବହାର ଫଳରେ ଗତ ୫ରୁ ୬ ବର୍ଷ ମଧ୍ୟରେ ୮୦ କୋଟି ଭାରତୀୟ ଦାରିଦ୍ର୍ୟ କବଳରୁ ମୁକ୍ତ ହୋଇଛନ୍ତି ବୋଲି ସେ ଖାଦ୍ୟ ଓ କୃଷି ସଂଗଠନ(ଏଫ୍ଏଓ) ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏହା କହିଛନ୍ତି। ପୂର୍ବରୁ ଭାରତର ଗ୍ରାମାଞ୍ଚଳ ଲୋକଙ୍କ ନିକଟରେ ବ୍ୟାଙ୍କିଂ ବା ପେମେଣ୍ଟ୍ ସୁବିଧା ନଥିଲା। କିନ୍ତୁ ସ୍ମାର୍ଟଫୋନ ବ୍ୟବହାର ଫଳରେ ସେମାନେ ଏବେ ବ୍ୟାଙ୍କିଂ ସେବା ପାଇବାକୁ ସମର୍ଥ ହୋଇଛନ୍ତି। ଭାରତରେ ଇଣ୍ଟରନେଟ୍ର ପହଞ୍ଚ ଓ ଉପଲବ୍ଧତା ବଢ଼ିଛି।
ଏଥିସହିତ ସ୍ମାର୍ଟଫୋନ ବ୍ୟବହାର ଫଳରେ ଲୋକମାନେ ସହଜରେ ବ୍ୟାଙ୍କିଂ ସେବା ପାଇ ପାରୁଛନ୍ତି। ଗ୍ଲୋବାଲ ସାଉଥ୍ ବା ଆଫ୍ରିକୀୟ ଦେଶଗୁଡ଼ିକ ମଧ୍ୟ ଡିଜିଟାଲାଇଜେସନକୁ ବ୍ୟାପକ କରିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। ଗ୍ଲୋବାଲ ସାଉଥ୍ର ଅଧିକାଂଶ ଦେଶରେ ଡିଜିଟାଲାଇଜେସନ୍ କ୍ଷେତ୍ରରେ ସମତା ନାହିଁ। ଏହି ସମସ୍ୟାକୁ ଦୂର କରିବା ପାଇଁ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି ବୋଲି ଫ୍ରାନ୍ସିସ୍ କହିଛନ୍ତି। ମୋଦୀ ସରକାର ଗତ ୧୦ ବର୍ଷ ହେଲା ଡିଜିଟାଲାଇଜେସନ ଉପରେ ଗୁରୁତ୍ବ ଦେଉଛନ୍ତି। ୨୦୧୬ ନଭେମ୍ବର ୮ରେ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ର ବିମୁଦ୍ରୀକରଣ ପରେ ଡିଜିଟାଲ କାରବାର ଦେଶରେ ବଢ଼ିଛି। ଏଥିରେ ୟୁପିଆଇର ବଡ଼ ଯୋଗଦାନ ରହିଛି।