ଅନିଶ୍ଚିତତାରେ ବିଗ୍‌ ବଜାର ପ୍ରଫିଟ୍ କ୍ଲବ ଗ୍ରାହକ: ରାଜ୍ୟରେ ସ୍ମାର୍ଟ ବଜାରରେ ବଦଳିଗଲାଣି ୧୨ ବିଗ୍‌ ବଜାର

କଲ୍‌ ସେଣ୍ଟରରେ ବି ମିଳୁନି ସ୍ପଷ୍ଟ ସୂଚନା

ଭୁବନେଶ୍ବର: ଫ୍ୟୁଚର ଗ୍ରୁପ୍‌ର ରିଟେଲ ଫର୍ମାଟ୍‌ ବିଗ୍ ବଜାରର ପ୍ରଫିଟ୍ କ୍ଲବ ସଦସ୍ୟମାନେ ଏବେ ଅସୁବିଧାରେ ପଡ଼ିଛନ୍ତି। ପୂର୍ବରୁ ଏହି ସଦସ୍ୟମାନେ ବିଗ୍‌ ବଜାରରେ ଏକାଥରେ ୧୦ ହଜାର ଟଙ୍କା ଜମା କରି ୧୨ ମାସ ପର୍ଯ୍ୟନ୍ତ ମାସିକ ୧୦୦୦ ଟଙ୍କା ଲେଖାଏଁର ସାମଗ୍ରୀ କିଣିପାରୁଥିଲେ। କିନ୍ତୁ ବିଗ୍‌ ବଜାର ଗୁଡ଼ିକ ରିଲାଏନ୍ସ ଅଧୀନକୁ ଚାଲିଯିବା ପରେ ଷ୍ଟୋରଗୁଡ଼ିକର ନାଁ ବଦଳି ଯାଇଛି। ସେଗୁଡ଼ିକ ସ୍ମାର୍ଟ ବଜାର ନାମରେ ଚାଲିଛି। କିନ୍ତୁ ସେଠାରେ ବିଗ୍‌ ବଜାରର ପ୍ରଫିଟ୍‌ କ୍ଲବ ସଦସ୍ୟମାନଙ୍କୁ ଯେଉଁ ମାସିକିଆ ୧୦୦୦ ଟଙ୍କା ଲେଖାଏଁର ସାମଗ୍ରୀ ମିଳିବା କଥା ତାହା ମିଳୁନାହିଁ। ଫଳରେ ଲୟାଲଟି ଯୋଜନାରେ ପ୍ରଫିଟ କ୍ଲବର ସଦସ୍ୟ ହୋଇଥିବା ଗ୍ରାହକମାନେ ଏବେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେଉଁ ଗ୍ରାହକ ଥରଟିଏ ତ ଆଉ କେଉଁ ଗ୍ରାହକ ଦୁଇଥର ବିଗ୍‌ ବଜାରରୁ ସଉଦା କିଣିବା ପରେ ଅବ୍ୟବସ୍ଥା ଆରମ୍ଭ ହୋଇଯାଇଛି। କିଛି ସଦସ୍ୟଙ୍କର ୯୦୦୦ ଟଙ୍କା ଲେଖାଏଁ ଉକ୍ତ କାର୍ଡରେ ପଡ଼ିରହିଛି। ସ୍ମାର୍ଟ ବଜାରଗୁଡ଼ିକରେ ଏହି କାର୍ଡକୁ ଗ୍ରହଣ କରାଯାଉ ନାହିଁ। ଏତେବଡ଼ ସଂସ୍ଥାଠାରୁ ‌ଗ୍ରାହକମାନେ ଆଗୁଆ ଅର୍ଥ ଜମା କରି ଏବେ ଏକରକମ ଠକାମିରେ ପଡ଼ିଛନ୍ତି। ଆଗାମୀ ଦିନରେ ବିଗ୍‌ ବଜାର ପ୍ରଫିଟ୍ କ୍ଲବ ସଦସ୍ୟମାନଙ୍କ କାର୍ଡକୁ ସମ୍ମାନ ଦେଇ ସ୍ମାର୍ଟ ବଜାର ସାମଗ୍ରୀ ଯୋଗାଇ ଦେବ କି ନାହିଁ ତାହାର ଉତ୍ତର ମଧ୍ୟ କାହାରି ପାଖରେ ନାହିଁ। ଫଳରେ ଅନେକ ସଦସ୍ୟ ଏବେ ଚିନ୍ତିତ ହୋଇ ପଡ଼ିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ବିଭିନ୍ନ ସହରରେ ବିଗ୍‌ ବଜାରର ମୋଟ ୧୩ଟି ଶାଖା ରହିଥିଲା। ସେଗୁଡ଼ିକ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୨ଟି ସ୍ମାର୍ଟ ବଜାରରେ ପରିଣତ ହୋଇ ସାରିଥିବାବେଳେ ଭୁବନେଶ୍ବରର ପଟିଆସ୍ଥିତ ଷ୍ଟୋର ବିଗ୍‌ ବଜାର ନାମରେ ଚାଲୁଛି। ସ୍ମାର୍ଟ ବଜାରରେ ଏହି କାର୍ଡକୁ ଗ୍ରହଣ କରାଯାଉ ନଥିବାରୁ ଭୁବନେଶ୍ବରରେ ପଟିଆସ୍ଥିତ ବିଗ୍‌ ବଜାରକୁ ଧାଉଁଛନ୍ତି। କିନ୍ତୁ ସେଠାରେ ପୂର୍ବ ସର୍ତ୍ତ ମୁତାବକ ‌ମାସକୁ ୧୦୦୦ ଟଙ୍କାର ସଉଦା କିଣିବା ସୁଯୋଗ ମିଳୁଛି। ଫଳରେ ବିଗ୍‌ ବଜାରର ଅନ୍ୟ ଷ୍ଟୋରରୁ ଉକ୍ତ କାର୍ଡ କିଣିଥିବା ଗ୍ରାହକମାନେ ସେମାନଙ୍କ ଘର ନିକଟରେ ଏହି ସୁବିଧା ନପାଇ ପଟିଆ ଷ୍ଟୋରକୁ ଯାଉଛନ୍ତି।

ପରିତାପର ବିଷୟ ହେଲା ବିଗ୍‌ ବଜାରର ସ୍ଥାନୀୟ ଅଧିକାରୀଙ୍କ ପାଖରେ ମଧ୍ୟ ଏ ନେଇ କିଛି ସ୍ପଷ୍ଟ ସୂଚନା ନାହିଁ। ଜଣେ ଅଧିକାରୀଙ୍କୁ ପଚାରିବାରୁ ସେ ଆଗକୁ ବିଗ୍‌ ବଜାରର କଲ୍ ସେଣ୍ଟର ନମ୍ବର ଦେଇଥିଲେ। ଆମ ପ୍ରତିନିଧି ସେହି ନମ୍ବର ୧୮୦୦୨୬୬୨୨୫୫ ରେ ଯୋଗାଯୋଗ କରି ମଧ୍ୟ କୌଣସି ସ୍ପଷ୍ଟ ସୂଚନା ପାଇ ନଥିଲେ। କେବଳ ଏତିକି କୁହାଯାଇଥିଲା ଯେ ଏହି ସମସ୍ୟା ସାମୟିକ ସମୟ ପାଇଁ ଦେଖାଦେଇଛି। ଶୀଘ୍ର ସମାଧାନ ହୋଇଯିବ। ତେବେ ଏତେ ସଂଖ୍ୟକ ସଦସ୍ୟ ଥିବା ସଂସ୍ଥା କିଭଳି ଗ୍ରାହକମାନଙ୍କୁ ଆଗୁଆ ଏ ନେଇ କୌଣସି ସୂଚନା ଦେଉନାହିଁ ତାହା ଅନେକଙ୍କୁ ଚକିତ କରିଛି। ସମସ୍ୟାଗୁଡ଼ିକ ସଂପର୍କରେ ଆଗୁଆ ସୂଚନା ଦେବା ପାଇଁ ଗ୍ରାହକଙ୍କ ମହଲରେ ଦାବି ହେଉଛି।

ସମ୍ବନ୍ଧିତ ଖବର